ଭୁବନେଶ୍ୱର : ତିରିଶ ବର୍ଷ ଭିତରେ ଓଡିଶାରେ ଚାଷ ଜମିର ପରିମାଣ ଅନ୍ୟୁନ ୧୦ଲକ୍ଷ ହେକ୍ଟର କମିଛି । ଗୋଟିଏ ପଟେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ପଟେ ଚାଷ ହେଉଥିବା ଜମିର ପରିମାଣ ବର୍ଷକୁ ବର୍ଷ କମିବା ଉଦବେଗଜନକ ବୋଲି ଯୋଜନା, କୃଷି ଓ ଅର୍ଥନୀତି ବିଶେଷଜ୍ଞମାନେ ଉଦ୍ବେଗର ସହ ମତବ୍ୟକ୍ତ କରୁଛନ୍ତି ।
ରାଜ୍ୟ ସରକାରଙ୍କ ପ୍ରକାଶିତ ତଥ୍ୟ ମୁତାବକ ୧୯୯୦-୯୧ ବର୍ଷରେ ଓଡିଶାରେ ୬୩ଲକ୍ଷ ୪ହଜାର ହେକ୍ଟର ଜମିରେ ଚାଷ କରାଯାଉଥିବାବେଳେ ୨୦୦୦-୦୧ ବେଳକୁ ତାହା କମି କମି ୫୮ଲକ୍ଷ ୨୯ହଜାର ହେକ୍ଟରରେ ପହଞ୍ଚିଥିଲା । ୨୦୧୮-୧୯ ରେ କିନ୍ତୁ ଓଡିଶାରେ ଚାଷ ହୋଇଥିବା ଜମିର ପରିମାଣ ୫୩ଲକ୍ଷ ୬୨ହଜାର ହେକ୍ଟରରେ ରହିଛି । ୧୯୯୧ ବେଳକୁ ରାଜ୍ୟର ଜନସଂଖ୍ୟା ଯାହା ଥିଲା ଏବେ ତାହା ଢେର ଅଧିକଗୁଣ ବଢିଥିବାବେଳେ ଚାଷଜମି ପରିମାଣ ବଢିବା ପରିବର୍ତ୍ତେ କମି ଚାଲିଛି ।
ସରକାରୀ ତଥ୍ୟ ମୁତାବକ ଓଡିଶାରେ ଏବେ ୧୫୫ଲକ୍ଷ ୭୧ ହଜାର ହେକ୍ଟର ଜମି ରହିଛି । ଯେଉଁଥିରୁ ଜଙ୍ଗଲ ଜମି ପରିମାଣ ହେଉଛି ୫୮ଲକ୍ଷ ୧୩ହଜାର ହେକ୍ଟର । ସରକାରୀ ପରିସଂଖ୍ୟାନରେ ୧୯୯୦-୯୧ରୁ ୨୦୧୮-୧୯ ମଧ୍ୟରେ ଓଡିଶାରେ ଜଙ୍ଗଲ ଜମିର ପରିମାଣ ପ୍ରାୟ ସାଢେ ୩ଲକ୍ଷ ହେକ୍ଟର ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଜଳସେଚିତ ଜମି ପରିମାଣ କିନ୍ତୁ ଏହି ୩୦ବର୍ଷ ମଧ୍ୟରେ ୬ଲକ୍ଷ ହେକ୍ଟରରୁ ଅଧିକ ବଢିଛି । ୧୯୯୦-୯୧ ବର୍ଷରେ ସରକାରୀ ତଥ୍ୟ ମୁତାବକ ୧୯ଲକ୍ଷ ୩୪ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ୨୦୦୦-୦୧ ବର୍ଷରେ ଏହାର ପରିମାଣ ୧୫ଲକ୍ଷ ୯୦ହଜାର ହେକ୍ଟରକୁ କମିଥିଲା । ତେବେ ୨୦୧୦-୧୧ ବର୍ଷରେ ୨୦ଲକ୍ଷ ୮୫ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ଏହାର ପରିମାଣ ୨୫ଲକ୍ଷ ୯୨ହଜାର ହେକ୍ଟରକୁ ବୃଦ୍ଧି ପାଇଥିଲା ।
କୃଷି ବିଭାଗର ପରିସଂଖ୍ୟାନ ମୁତାବକ ଗତ ୩୦ବର୍ଷ ମଧ୍ୟରେ ଓଡିଶାରେ ବାର୍ଷିକ ବୃଷ୍ଟିପାତ ପରିମାଣ ୯୯୦ ମିଲିମିଟରରୁ ୧୬୨୭ ମିଲିମିଟର ମଧ୍ୟରେ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ବାର୍ଷିକ ବୃଷ୍ଟିପାତର ପରିମାଣ ସ୍ୱାଭାବିକ ଭାବେ ୧୪୫୧ରୁ ୧୫୦୨ ମିଲିମିଟର ମଧ୍ୟରେ ରହିବାକଥା । ୧୯୯୨ ରୁ ୨୦୧୯ ମଧ୍ୟରେ ଅନ୍ୟୁନ ୧୬ବର୍ଷରେ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ହୋଇଛି । ୧୯୯୨ରେ ଓଡିଶାରେ ଆବଶ୍ୟକତା ଠାରୁ ୧୦ ମି.ମି କମ୍ ବୃଷ୍ଟିପାତ ହୋଇଥିବାବେଳେ ୧୯୯୪ରେ ୩୪ ମି.ମି, ୨୦୦୦ରେ ୩୧ମି.ମି, ୨୦୦୨ରେ ୩୨ ମି.ମି, ୨୦୦୧୪ରେ ୧୪ମି.ମି, ୨୦୧୦ ରେ ୧୧ ମି.ମି, ୨୦୧୫ରେ ୧୬ ମି.ମି, ୨୦୧୭ରେ ୮ ମି.ମି କମ୍ ବୃଷ୍ଟିପାତ ହୋଇଥିଲା ।
ଠିକଣା ସମୟରେ ଆବଶ୍ୟକ ମୁତାବକ ବର୍ଷା ନହୋଇ କେତେବେଳେ ଆବଶ୍ୟକ ନଥାଇ ବାଦଲଫଟା ବର୍ଷା ହୋଇ ବନ୍ୟା, ବାତ୍ୟାରେ ବ୍ୟାପକ କ୍ଷତି ଘଟୁଛି ତ ଆଉ କେତେବେଳେ ମାସ ମାସ ଧରି ଆଦୌ ବର୍ଷା ନହେବା କିମ୍ବା ଚାଷ ପାଇଁ ବର୍ଷାର ଆବଶ୍ୟକତା ଥିବାବେଳେ ଢେର କମ୍ ବୃଷ୍ଟିପାତ ହେବା ଫଳରେ ମରୁଡି ଓ ଶସ୍ୟହାନି ଭଳି ପରିସ୍ଥିତି ଲାଗି ରହୁଛି । ଏହା କୃଷକମାନଙ୍କ ପାଇଁ ବଡ ଆହ୍ୱାନ ଭାବେ ଉଭା ହୋଇଛି । ବୃଷ୍ଟିପାତର ଅନିୟମିତତା ଯୋଗୁଁ ପାଣିପାଗରେ ଉଦ୍ବେଗଜନକ ପରିବର୍ତ୍ତନ ଘଟି ଫସଲ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି । କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି କାରଣରୁ ଚଳିତବର୍ଷ ରାଜ୍ୟରେ ଲେମ୍ବୁ, ଆମ୍ବ ଓ ଟମାଟୋ ଆଦି ଖରାଦିନିଆ ବିଶେଷ ଉତ୍ପାଦନ ନହେବା ଫଳରେ ବଜାରରେ ଦର ଢେର ଅଧିକ ରହୁଛି । (ତଥ୍ୟ)