ଭୁବନେଶ୍ୱର : ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଆଖିବୁଜା ଅନୁମତି ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏକ ମହଲା ଓ ଦୁଇ ମହଲା ଘର କରିଥିବା ଲୋକେ ଅଣନିଶ୍ୱାସି ହୋଇ ପଡିଲେଣି । ସେମାନଙ୍କ ଘରକୁ ସୂର୍ଯ୍ୟକିରଣ ତ ଦୂରରକଥା ପବନ ଟିକେ ବି ଆସିପାରୁ ନାହିଁ ।
ସହରର ବିଭିନ୍ନ ଜନବସତି ଅଞ୍ଚଳରେ ଘରଟିଏ କରିବାପାଇଁ ସରକାରଙ୍କ ଠାରୁ ସ୍ୱଳ୍ପ ମୂଲ୍ୟରେ ଜମି ନେଇଥିବା ଲୋକେ ଏବେ ସେହି ଜମିରେ ଆପାର୍ଟମେଣ୍ଟ ନିର୍ମାଣ କରିବାରେ ଲାଗିଛନ୍ତି । କେଉଁଠି ଜମି ମାଲିକ ନିଜେ କରୁଛନ୍ତି ତ ଆଉ କିଏ ବିଲ୍ଡରଙ୍କ ଜରିଆରେ କରୁଛନ୍ତି । ତେବେ ଏଥିପାଇଁ ବିଡିଏ ନିକଟରୁ ତୁରନ୍ତ ଅନୁମତି ମିଳିଯାଉଛି । ଏହା ଫଳରେ ଏବେ ଏହି ଆପାର୍ଟମେଣ୍ଟ ପାଶ୍ୱର୍ରେ ନିର୍ମାଣ ହୋଇଥିବା ଏକ ମହଲା କିମ୍ବା ଦୁଇ ମହଲା ଘର ଏକ ପ୍ରକାର ଲୁଚି ଗଲାଣି ।
ଆପାର୍ଟମେଣ୍ଟ ବ୍ୟବସାୟରେ ଲାଭ ଯୋଗୁଁ ଏବେ ବିଭିନ୍ନ ଅଞ୍ଚଳରେ ସାଧାରଣ ପ୍ରଶାସନ ଠାରୁ ଲିଜ୍ରେ ଜମି ପାଇଥିବା ଲୋକେ ଆପାର୍ଟମେଣ୍ଟ ନିର୍ମାଣ କରୁଛନ୍ତି । ଅଧିକାଂଶ ସ୍ଥାନରେ ବିଲ୍ଡରମାନଙ୍କୁ ଜମି ଟେକି ଦେଇ ସେମାନଙ୍କ ଠାରୁ ବିନା ମୂଲ୍ୟରେ ତିନି ଚାରିଟି ଘର ପାଇଯାଉଛନ୍ତି । ନିଜେ ଗୋଟିଏ ଘରେ ରହି ଅନ୍ୟଗୁଡିକୁ ଭଡା ଦେଉଛନ୍ତି । ତେଣୁ କେତେକ ସ୍ଥାନରେ ଲୋକେ ତିଆରି କରିଥିବା ଛୋଟ ଘରକୁ ଭାଙ୍ଗି ସେଠାରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପଛାଉ ନାହାନ୍ତି ।
ତେବେ ରାଜଧାନୀରେ ରହିବାପାଇଁ ସାଧାରଣ ପ୍ରଶାସନ ଜମି ଖଣ୍ଡିଏ ଯୋଗାଇଥିବା ଲୋକଙ୍କୁ ବିଡିଏ କିଭଳି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଉଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସମ୍ପୃକ୍ତ ଅଞ୍ଚଳରେ ସେହିସବୁ ଜମି ଉପରେ ଗୋଟିଏ କିମ୍ବା ଅତି ବେଶିରେ ଦୁଇଟି ପରିବାର ରହଣିକୁ ଦୃଷ୍ଟିରେ ରଖି ସ୍ୱରେଜ, ରାସ୍ତାଘାଟ, ବିଦ୍ୟୁତ୍, ପାନୀୟଜଳ ଯୋଗାଣର ବ୍ୟବସ୍ଥା ହୋଇଛି । ହଠାତ୍ ଏହି ସବୁ ଅଞ୍ଚଳରେ ଆପାର୍ଟମେଣ୍ଟ ଛିଡାହେବା ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଯେଉଁ ଜମି ଉପରେ ଚାରି ପାଞ୍ଚ ଜଣ ବ୍ୟକ୍ତି ରହିବାକଥା ସେଠାରେ ଶହେ ଲୋକ ରହିବା ଫଳରେ ସେମାନଙ୍କ ଗାଡି ମୋଟର ରଖିବାପାଇଁ ସ୍ଥାନ ଟିକେ ମିଳୁନାହିଁ । ଅଧିକାଂଶ ଲୋକେ ସେଠାକାର ରାସ୍ତାଘାଟକୁ କବ୍ଜା କରି ନେଉଛନ୍ତି । ସେହିଭଳି ପୂର୍ବରୁ ଥିବା ସ୍ୱରେଜ ଲାଇନ୍ ସମ୍ପ୍ରସାରଣ ସମ୍ଭବପର ନଥିବାରୁ ବହୁ ସମୟରେ ରାସ୍ତାଉପରେ ନର୍ଦ୍ଦମାଜଳର ସୁଅ ଛୁଟିବାରେ ଲାଗିଛି । ପାନୀୟଜଳ ଠାରୁ ଆରମ୍ଭ କରି ବିଦ୍ୟୁତ୍ ପର୍ଯ୍ୟନ୍ତ ସମାନ ଅବସ୍ଥା ।
ଆପାର୍ଟମେଣ୍ଟ ପାଇଁ ଅନୁମତି ଦେଇ ବିଡିଏ, ବିଏମ୍ସି ଆଦି ନିଜର ଆୟ ବୃଦ୍ଧି କରୁଥିବାବେଳେ ଏଥିଯୋଗୁଁ ସେହିସବୁ ଅଞ୍ଚଳରେ କି ପ୍ରକାର ସମସ୍ୟା ଉପୁଜୁଛି ସେଥିପ୍ରତି ନଜର ଦେଉ ନାହାନ୍ତି । ସାଧାରଣ ପ୍ରଶାସନ ଲିଜ୍ରେ ଦେଇଥିବା ଜମିରେ କୌଣସି ପ୍ରକାର ବ୍ୟବସାୟ ପାଇଁ ବାରଣ ଥିବାବେଳେ ଏବେ ସେଠାରେ ଚାଲିଥିବା ଆପାର୍ଟମେଣ୍ଟ ବ୍ୟବସାୟ ସ୍ଥାନୀୟ ଲୋକଙ୍କ ଜୀବନକୁ ଏକ ପ୍ରକାର ଦୁର୍ବିସହ କରିଦେଲାଣି । ତେଣୁ ଏବେ ବିଭିନ୍ନ ଜନବସତି ଅଞ୍ଚଳ ବିଶେଷକରି ସାଧାରଣ ପ୍ରଶାସନ ଯୋଗାଇଥିବା ଜମି ଉପରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ନଦେବାକୁ ସାଧାରଣରେ ଦାବି ହେଉଛି । (ତଥ୍ୟ)