ଭୁବନେଶ୍ୱର : ପ୍ରତି ୨୯ ସେକେଣ୍ଡ ବ୍ୟବଧାନରେ ଦେଶ ଉପରେ ଗୋଟା ଏସାଇବର ଆକ୍ରମଣ ହେଉଛ ବୋଲି ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଡକ୍ଟର ପବିତ୍ରାନନ୍ଦ ପଟ୍ଟନାୟକ କହିଛନ୍ତି ।
ରାଷ୍ଟ୍ରୀୟ ବୈଷୟିକ ଦିବସ ପାଳନ ଅବସରରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ “ବୈଷୟିକ କୌଶଳ ଏବଂ ଦୀର୍ଘସ୍ଥାୟୀ ପ୍ରଗତି”ଶୀର୍ଷକ ୱେବିନାର ଆଲୋଚନାରେ ଯୋଗଦେଇ ଡକ୍ଟର ପଟ୍ଟନାୟକ କହିଛନ୍ତି ଯେ ପ୍ରଗତି କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ଜରୁରୀ କିନ୍ତୁ ଏହାର ବ୍ୟବହାର କ୍ଷେତ୍ରରେ ନିରାପତ୍ତା ଏକ ବଡ ପ୍ରସଙ୍ଗ ।
ସାଇବର ଆକ୍ରମଣର ଭୟ ରହିଥିବା ଯୋଗୁଁ ବୈଷୟିକ କୌଶଳର ବ୍ୟବହାରକାରୀମାନେ ପାସୱାର୍ଡ, ଓଟିପି, ଡିଜିଟାଲ ସ୍ୱାକ୍ଷର, ନେଟୱାର୍କ ସମସ୍ୟା ବ୍ୟାଙ୍କ ସହିତ ସମ୍ପର୍କ ଯୋଡିବା ଆଦି ବିଭିନ୍ନ କ୍ଷେତ୍ରରେ ଜ୍ଞାନ ହାସଲ କରିବା ଜରୁରୀ । ଦୀର୍ଘସ୍ଥାୟୀ ପ୍ରଗତି ନିମିତ୍ତ କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଗଠନ, ସୂଚନା ବିଜ୍ଞାନ, ଗଣଯୋଗାଯୋଗ ଆଦି କ୍ଷେତ୍ର ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହିସବୁ କ୍ଷେତ୍ରର ସଦୁପଯୋଗ ନିମନ୍ତେ ବୈଷୟିକ କ୍ଷେତ୍ରରେ ନିରାପତ୍ତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଛନ୍ତି ।
ବର୍ତ୍ତମାନ ବୈଷୟିକଜ୍ଞାନ କୌଶଳର ଅତି ମାତ୍ରାରେ ପ୍ରୟୋଗ ହେଉଛି ଏବଂ ଏହା ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ବିଜିନେସ ଆଡମିନିଷ୍ଟ୍ରସେନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପଲ୍ଲବୀ ମିଶ୍ର କହିଛନ୍ତି । ପ୍ରସଙ୍ଗର ଆଲୋଚନାରେ ସେ କହିଛନ୍ତି ଯେ ସାଧାରଣଜୀବନ, ସମାଜ, ପରିବେଶ, ଆଦି କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ଅତ୍ୟାବଶ୍ୟକ ଅଙ୍ଗ ହୋଇ ପଡିଛି ।
ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ ଓ ଏବଂ ବସ୍ତ୍ର ପ୍ରସଙ୍ଗରେ ଆଲୋଚନା କରି କୃଷି କ୍ଷେତ୍ରରେ ସଂଶ୍ଳିଷ୍ଟ ପ୍ରସଙ୍ଗଗୁଡିକରେ ବୈଷୟିକ କୌଶଳର ପ୍ରୟୋଗ ଉତ୍ପାଦନକୁ ବୃଦ୍ଧି କରିପାରୁଛି ବୋଲି କହିଥିଲେ । ସେହିପରି ବସ୍ତ୍ର ଉତ୍ପାଦନରେ ପରିବେଶ ଅନୁକୂଳ ପଦ୍ଧତି, ରଙ୍ଗ ବ୍ୟବହାର ଆଦି କ୍ଷେତ୍ରରେ ବୈଷୟିକ କୌଶଳ ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏ ସବୁର ପରିଚାଳନାରେ ମାନବ ସମ୍ବଳର ବିନିଯୋଗ, ସମ୍ବଳ, ପରିବେଶର ପ୍ରଭାବ ଆଦି ଦୀର୍ଘସ୍ଥାୟୀ ପ୍ରଗତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ ।
ରାଜ୍ୟ ପରିବହନ ପ୍ରାଧିକରଣର ଯୁଗ୍ମ କମିଶନର ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ଆଲୋଚନାରେ ଅଂଶ ଗ୍ରହଣକରି ଦେଶର ଦୀର୍ଘସ୍ଥାୟୀ ପ୍ରଗତି କ୍ଷେତ୍ରରେ ପରିବହନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସଡ଼କ ପଥ ପରିବହନ ବ୍ୟବସ୍ଥାରେ ବୈଷୟିକ କୌଶଳର ପ୍ରୟୋଗ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ବୈଷୟିକ କୌଶଳ ବିନା ପ୍ରଗତି ଅସମ୍ଭବ । ତେଣୁ ପରିବହନ କ୍ଷେତ୍ରରେ ଗାଡିର କିଣା ଠାରୁ ସମସ୍ତ ପ୍ରକାରର ପ୍ରମାଣପତ୍ର ପର୍ଯ୍ୟନ୍ତ, ଦୁର୍ଘଟଣାରୁ ଆରମ୍ଭ କରି ଗାଡି ଟ୍ରାକିଂ ହେଲପ ଲାଇନ ନମ୍ବର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ହେଉଛି । ଏହାର ପ୍ରୟୋଗ ଯୋଗୁଁ ବର୍ତ୍ତମାନ ଗତ ବର୍ଷ ଗୁଡିକ ତୁଳନାରେ ସଡକ ଦୁର୍ଘଟଣାକୁ ପନ୍ଦର ଶତାଂଶ କମାଇ ଦିଆଯାଇ ପାରିଛି ବୋଲି କହିଥିଲେ ।
ଆଲୋଚନା ଆରମ୍ଭରୁ ଆଞ୍ଚଳିକ ଜନ ସମ୍ପର୍କକାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ରାଷ୍ଟ୍ରୀୟ ବୈଷୟିକ କୌଶଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ବର୍ତ୍ତମାନ ଏହି ଦିବସ ପାଳନ ଦୀର୍ଘସ୍ଥାୟୀ ପ୍ରଗତି ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ୧୯୯୯ ମସିହାଠାରୁ ଆମ ଦେଶରେଏହି ଦିବସ ପାଳନ କରାଯାଉଛିେ ବାଲି ଉଲ୍ଲେଖ କରି ବର୍ତ୍ତମାନର ମୁଖ୍ୟ ଲକ୍ଷ୍ୟ ସମ୍ପର୍କରେ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଆକାଶବାଣୀର ବାର୍ତ୍ତାସମ୍ପାଦକ ଇତିଶ୍ରୀସିଂହ ରାଠୋର ଆଲୋଚନାର ଆଭିମୁଖ୍ୟ ବର୍ଣ୍ଣନା କରି ଏହାର ପରିଚାଳନା କରିଥିଲେ ।