ଭୁବନେଶ୍ୱର : କଣ୍ଟ୍ରୋଲ ଦୋକାନରେ ଖାଉଟିମାନେ ଯେପରି ଠକାମିର ଶିକାର ନହୁଅନ୍ତି ଏବଂ ସଠିକ ଓଜନର ଦ୍ରବ୍ୟ ପାଆନ୍ତି, ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଖିଲାଫକାରୀଙ୍କଠାରୁ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ଓଡ଼ିଶା ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନସ୍ଥ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ କଣ୍ଟ୍ରୋଲ ଦୋକାନରେ ଦ୍ରବ୍ୟ ଓଜନ ନିମନ୍ତେ ବ୍ୟବହୃତ ହେଉଥିବା ଓଜନ ଯନ୍ତ୍ର ଏବଂ ଉପକରଣଗୁଡ଼ିକର ବ୍ୟାପକ ଯାଞ୍ଚ କରାଯାଇଥିଲା ।
ଏଥି ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଓ ଆର୍ଡିସି ଜୋନ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ କାର୍ଯ୍ୟର ତଦାରଖ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବରେ ନିୟୋଜିତ କରାଯାଇଥିଲା । ମଇ ମାସରୁ ଆରମ୍ଭ କରାଯାଇଥିବା ଏହି ସ୍ୱତନ୍ତ୍ର ଯାଞ୍ଚବେଳେ ୩୬୦୦ଟି ସୁଲଭ ମୂଲ୍ୟ ଦୋକାନ ଯାଞ୍ଚ କରାଯାଇଥିଲା ।
ଏହି ସମୟରେ ୨୬୧ଟି ଦୋକାନରେ ଓଜନ ମାପରେ ଅନିୟମିତତା ଜଣାପଡ଼ିଥିଲା ଏବଂ ଆଇନ ଅନୁଯାୟୀ ସେମାନଙ୍କଠାରୁ ଜରିମାନା ଅର୍ଥ ଆଦାୟ କରାଯାଇଥିଲା । ସ୍କ୍ୱାଡ୍ ପକ୍ଷରୁ ମାପ ଓଜନ ଯନ୍ତ୍ର ପରୀକ୍ଷା ବାବଦକୁ ୪ ଲକ୍ଷ ୮୬ ହଜାର ୬୧୫ ଟଙ୍କା ଆଦାୟ କରାଯାଇଥିବାବେଳେ ଖିଲାପକାରୀଙ୍କଠାରୁ ଜରିମାନା ବାବଦକୁ କମ୍ପାଉଣ୍ଡିଂ ଫି ଆକାରରେ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଆଦାୟ କରାଯାଇଥିଲା ।
ଯାଞ୍ଚ ସମୟରେ ଅଧିକାରୀମାନେ ଉପସ୍ଥିତ ଥିବା ଖାଉଟିମାନଙ୍କୁ ଓଜନ ଯନ୍ତ୍ରର ସଠିକତା ଓ ଏଥିରେ ସରକାରୀ ମୋହର ଓ ପ୍ରାମାଣିକତା ସଂପର୍କରେ ସଚେତନ କରାଇବା ସହିତ ଗ୍ରାହକମାନେ ସର୍ବଦା ଜିନିଷ କଣିବା ପୂର୍ବରୁ ଓଜନ ମାପ ଯନ୍ତ୍ରକୁ ଭଲ ଭାବେ ପରୀକ୍ଷା କରାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଓଜନ ମାପ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁରହିଛି ବୋଲି ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶକ ଶ୍ରୀ ସତ୍ୟନାରାୟଣ ଦାଶ କହିଛନ୍ତି ।