ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ଉନ୍ନୟନ କାଉନସିଲ୍ (ଡବ୍ଲ୍ୟୁଓଡିସି) ଅନ୍ତର୍ଗତ ସମସ୍ତ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ରାଶିକୁ ବୃଦ୍ଧି କରିବା ପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଥିବା ଚିଠିରେ କୁହାଯାଇଛି ଯେ, ଡବ୍ଲ୍ୟୁଓଡିସି ପାଇଁ ପୂର୍ବରୁ ବାର୍ଷିକ ୧୦୦ କୋଟି ଟଙ୍କାର ବଜେଟ ଥିବାବେଳେ କାଉନସିଲ୍ ଅନ୍ତର୍ଗତ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ପ୍ରତି ବିଧାୟକଙ୍କୁ ବାର୍ଷିକ ୧ କୋଟି ଟଙ୍କା ପ୍ରଦାନ କରାଯାଉଥିଲା ।
ବର୍ତମାନ ଏହି ବଜେଟ ବାର୍ଷିକ ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାରୁ ସ୍ଥାନୀୟ ଅଂଚଳର ବିକାଶ କାର୍ଯ୍ୟ ପାଇଁ କାଉନସିଲ୍ ଅନ୍ତର୍ଗତ ପ୍ରତ୍ୟେକ ୩୭ ଜଣ ବିଧାୟକଙ୍କୁ ପ୍ରତି ବର୍ଷ ଅତି କମ୍ରେ ୫ କୋଟି ଟଙ୍କା ପ୍ରଦାନ କରିବାକୁ ବିଜେପି ବିଧାୟକମାନେ ଦାବୀ କରିଛନ୍ତି । ଏହା ଦ୍ୱାରା ସ୍ଥାନୀୟ ଅଂଚଳ ଓ ବାସିନ୍ଦାମାନେ ଅଧିକ ଲାଭାନ୍ୱିତ ହେବା ସହିତ ବିକାଶ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ବରିଷ୍ଠ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, ଲୋଇସିଙ୍ଗା ବିଧାୟକ ଡ.ମୁକେଶ ମହାଲିଙ୍ଗ, ତଲସରା ବିଧାୟକ ଭବାନୀ ଭୋଇ ଏବଂ ବିରମିତ୍ରପୁର ବିଧାୟକ ଶଂକର ଓରାମ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି ।