ଭୁବନେଶ୍ୱର : ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ମାଳ ମାଳ ପଦବୀ ଖାଲି । ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଅଣଶିକ୍ଷକଙ୍କ ପର୍ଯ୍ୟନ୍ତ ଏକାଧିକ ପଦବୀ ପୂରଣ ହୋଇପାରୁ ନାହିଁ । ଅନେକ ବିଦ୍ୟାଳୟରେ ତ ପ୍ରିନିପାଲ ବି ନାହାନ୍ତି ।
ରାଜ୍ୟରେ ଥିବା ୩୧ଟି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଏବେ ଅଛନ୍ତି ମାତ ୭ଜଣ ପ୍ରିନ୍ସପାଲ । ଏହି ସାତଜଣ ରହିଛନ୍ତି ବାରିପଦା, ଭୁବନେଶ୍ୱର, ବ୍ରହ୍ମପୁର, ବାଗୁଡି, ଲଙ୍ଗଳେଶ୍ୱର, ଟିଟିଲାଗଡ ଓ ତୁଡିଗଡିଆ ବିଦ୍ୟାଳୟରେ । ଅନ୍ୟ ୨୪ଟି ବିଦ୍ୟାଳୟରେ ମୁଖିଆ ନାହାନ୍ତି । ସେହିଭଳି ୩୫୮ଟି ଶିକ୍ଷକ ପଦବୀ ମଧ୍ୟରୁ ୨୬୫ଟି ଖାଲି ପଡିଛି । ବାଲଗୁଡା ଓ ଫୁଲବାଣୀ ବିଦ୍ୟାଳୟକୁ ଛାଡି ଅନ୍ୟ ସବୁଠାରେ ୧୨ଟି କରି ‘ଟିଚର ଏଜୁକେଟର’ ପଦବୀ ରହିଛି । ହେଲେ କେଉଁଠି ଜଣେ ତ ଆଉ କେଉଁଠି ଦୁଇ ତିନିଜଣ । ସର୍ବାଧିକ ୫ଜଣ ଅଛନ୍ତି ଧର୍ମଗଡରେ ।
ଏହି ସବୁ ବିଦ୍ୟାଳୟରେ କ୍ରୀଡା ତାଲିମ ପାଇଁ ଥିବା ୩୧ଟି ପିଇଆଇ ପଦବୀ ମଧ୍ୟରୁ ଅଛନ୍ତି ମାତ୍ର ୧୦ଜଣ । ପ୍ରତ୍ୟେକ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଏଥିପାଇଁ ଗୋଟିଏ କରି ପଦବୀ ଥିବାବେଳେ ୨୧ଟି ବିଦ୍ୟାଳୟରେ ଏହି ପଦବୀ ଫାଙ୍କା ପଡିଛି । କଳା ତାଲିମ ପାଇଁ ଥିବା ୬୦ଟି ପଦବୀ ମଧ୍ୟରୁ ୪୮ଟି ଖାଲି ପଡିଛି । ଏହି ପଦବୀରେ ବାଲିଗୁଡା ଓ ଫୁଲବାଣୀରେ ଗୋଟିଏ କରି ପଦବୀ ଥିବାବେଳେ ଅନ୍ୟ ସମସ୍ତ ବିଦ୍ୟାଳୟରେ ୨ଟି କରି ରହଛି । ତେବେ ୨୧ଟି ବିଦ୍ୟାଳୟରେ ଏହି ‘ଆର୍ଟ ଇନଷ୍ଟ୍ରକ୍ଟର’ ପଦବୀ ଖାଲି ପଡିଛି ।
ମୋଟାମୋଟି ଭାବେ ଏହିସବୁ ବିଦ୍ୟାଳୟରେ ତାଲିମ ପାଇଁ ଥିବା ମୋଟ୍ ୪୮୦ଟି ପଦବୀ ମଧ୍ୟରୁ ୩୫୮ ପଦବୀ ଖାଲି ପଡିଛି । ୧୨୨ଟି ପଦବୀରେ ପ୍ରଶିକ୍ଷକ ଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କିଭଳି ଚାଲିଥିବ ତାହା ସହଜରେ ଅନୁମେୟ ।
କେବଳ ପ୍ରିନ୍ସପାଲ କିମ୍ବା ଶିକ୍ଷକ ନୁହନ୍ତି, ଏହିସବୁ ବିଦ୍ୟାଳୟ ପାଇଁ ଥିବା ଅଣଶିକ୍ଷକ ପଦବୀ ମଧ୍ୟ ବହୁ ସଂଖ୍ୟାରେ ଖାଲି ପଡିଛି । ଏହିସବୁ ବିଦ୍ୟାଳୟ ପାଇଁ ଥିବା ୨୫ଟି ବରିଷ୍ଠ କିରାଣୀ ପଦବୀ ମଧ୍ୟରୁ ୧୫ଟି ଖାଲି ପଡିଥିବାବେଳେ ୯ଟି କନିଷ୍ଠ କିରାଣୀ ମଧ୍ୟରୁ ୪ଟି ଖାଲି ପଡିଛି । ତେବେ ବିଦ୍ୟାଳୟଗୁଡିକ ପାଇଁ ମଞ୍ଜୁରୀପ୍ରାପ୍ତ ୯୯ଟି ପିଅନ ଓ ୫ଟି ଝାଡୁଦାର ଓ ୨୦ଟି ଜଗୁଆଳି ପଦବୀ ମଧ୍ୟରୁ ଯଥାକ୍ରମେ ୩୬, ୨ ଓ ୫ଟି ଖାଲି ପଡିଛି । କମ୍ପ୍ୟୁଟର ତାଲିମପ୍ରାପ୍ତ ୩୧ଟି ଷ୍ଟୋରକିପର ପଦବୀରେ ଜଣେ ହେଲେ କେହି ନାହାନ୍ତି । ତେବେ ୨୯ଟି ଲାଇବ୍ରେରିଆନ ପଦବୀରେ ୨୮ଜଣ ରହିଛନ୍ତି । ମୋଟାମୋଟି ଭାବେ ମଞ୍ଜୁରୀପ୍ରାପ୍ତ ୨୧୮ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ମାତ୍ର ୯୪ଟି ଖାଲି ପଡିଛି ।
ଉଭୟ ପ୍ରଶିକ୍ଷକ ଶିକ୍ଷକ ଓ ଅଣଶିକ୍ଷକର ବିଭିନ୍ନ ପାହ୍ୟାରେ ବ୍ୟାପକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବାରେ ଲାଗିଛି । ଏ ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ତେଣୁ ଭବିଷ୍ୟତର ଶିକ୍ଷକ ପ୍ରସ୍ତୁତି ପାଇଁ ଥିବା ଏହି ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)