Home Finance କେନ୍ଦ୍ରୀୟ ଅନୁଦାନ ଲଗାତାର କମୁଛି

କେନ୍ଦ୍ରୀୟ ଅନୁଦାନ ଲଗାତାର କମୁଛି

ଭୁବନେଶ୍ୱର : ଓଡିଶା ସରକାର କେନ୍ଦ୍ରରୁ ଅଧିକରୁ ଅଧିକ ଅନୁଦାନ ପାଇବାକୁ ଆଶା ରଖୁଥିବାବେଳେ ଏହା କିନ୍ତୁ ପ୍ରତିବର୍ଷ କମିବାରେ ଲାଗିଛି । ଉଭୟ ଅଂଶଧନ ଟିକସ ଓ ଅନୁଦାନ ପରିମାଣ ପ୍ରାୟ ୯୫୦୦ କୋଟି ଟଙ୍କା କମ୍‍ ମିଳିଛି ।

ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରରୁ ୨୪,୧୫୨.୧୦ କୋଟି ଟଙ୍କାର ଅନୁଦାନ ପାଇଥିବାବେଳେ ୨୦୨୦-୨୧ ବର୍ଷରେ ଏହାର ପରିମାଣ ୨୩,୦୬୮.୩୪ କୋଟି ଟଙ୍କାକୁ କମିଗଲା । ୨୦୨୧-୨୨ରେ ଏହି ପରିମାଣ ଆହୁରି ମଧ୍ୟ କମିଯାଇଛି । ଆର୍ଥିକ ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ପାଇଛନ୍ତି ୨୦,୪୬୫.୬୭ କୋଟି ଟଙ୍କା ।

ତେବେ ଅଂଶଧନ ଟିକସ ବାବଦରେ କେନ୍ଦ୍ରରୁ ମିଳୁଥିବା ଅର୍ଥ ପରିମାଣ ଅପେକ୍ଷାକୃତ ବୃଦ୍ଧି ପାଇଛି । ୨୦୨୧-୨୨ ବଜେଟ୍‍ରେ କେନ୍ଦ୍ରରୁ ଏ ବାବଦରେ ୩୦,୧୩୬.୬୮ କୋଟି ଟଙ୍କା ପାଇବାର ଲକ୍ଷ୍ୟ ଥିବାବେଳେ ଆର୍ଥିକବର୍ଷ ଶେଷସୁଦ୍ଧା ଓଡିଶାକୁ ମିଳିଛି ୩୮,୧୪୪.୭୯ କୋଟି ଟଙ୍କା, ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିଛି ।

ତେବେ ଉଭୟ ଅଂଶଧନ ଟିକସ ଓ ଅନୁଦାନ ଆକାରରେ କେନ୍ଦ୍ରକୁ ମିଳିଥିବା ଅର୍ଥ ରାଜ୍ୟର ଆଶା ଠାରୁ କମ୍‍ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ଉଭୟ ଟିକସ ଓ ଅନୁଦାନ ବାବଦରେ ରାଜ୍ୟ ସରକାର କେନ୍ଦ୍ରରୁ ୫୮,୧୬୦ କୋଟି ଟଙ୍କା ପାଇଛନ୍ତି ଯାହାକି ସରକାର ଆକଳନ କରିଥିବା ଅର୍ଥ ଠାରୁ ୯୪୯୦ କୋଟି ଟଙ୍କା କମ୍‍ ରହିଛି । ଉଲ୍ଲେଖନୀୟ ଯେ କେନ୍ଦ୍ରରୁ ମିଳିଥିବାକୁ ଥିବା ଅର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କର ବଜେଟ୍‍ ପ୍ରସ୍ତୁତ କରିଥାନ୍ତି ଓ କେନ୍ଦ୍ରୀୟ ଅଂଶଧନ ଟିକସ ଓ ଅନୁଦାନ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କର ଏଭଳି ଅନୁଦାନ ହ୍ରାସର କୌଣସି ଉତ୍ତର ରାଜ୍ୟ ସରକାରଙ୍କ ନିକଟରେ ନାହିଁ । କେନ୍ଦ୍ର ସରକାର ଅନୁଦାନ ହ୍ରାସ କରୁଥିବାବେଳେ ରାଜ୍ୟରୁ ଆଦାୟ କରୁଥିବା ସେସ୍‍ରୁ ମଧ୍ୟ କୌଣସି ଅର୍ଥ ପ୍ରଦାନ କରୁନାହାନ୍ତି । ଓଡିଶାରୁ ଆଦାୟ ହେଉଥିବା କୋଇଲା ସେସ୍‍ର ଅଂଶ ଓଡିଶାକୁ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ କହି ଆସୁଛନ୍ତି ।

ଓଡିଶା ଗୋଟିଏ କୋଇଲା ବହୁଳ ରାଜ୍ୟ ହୋଇଥିବାବେଳେ ସେସ୍‍ର ୬୦ ପ୍ରତିଶତ ପାଇଁ ଦାବିକରି ଆସୁଛି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ସହ ସାକ୍ଷାତ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଇଲା ସେସରୁ ୬୦ ପ୍ରତିଶତ ଦେବାପାଇଁ ଦାବି କରିଥିଲେ । ତେବେ ଏ ସଂକ୍ରାନ୍ତରେ କେନ୍ଦ୍ରରୁ କୌଣସି ପ୍ରତିଶ୍ରୁତି ମିଳିନାହିଁ । (ତଥ୍ୟ)