Home Administration ସମ୍ପତ୍ତି ତାଲିକା ଦାଖଲ ସୀମା ମାସେ ଘୁଞ୍ଚିଲା

ସମ୍ପତ୍ତି ତାଲିକା ଦାଖଲ ସୀମା ମାସେ ଘୁଞ୍ଚିଲା

ଭୁବନେଶ୍ୱର : ସମ୍ପତ୍ତି ତାଲିକା ଦାଖଲ ପାଇଁ ସରକାରୀ କର୍ମଚାରୀଙ୍କୁ ଆଉ ଗୋଟିଏ ମାସ ମହଲତ ମିଳିଛି । ଚଳିତ ମାସ ୩୦ତାରିଖ ସୁଦ୍ଧା ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ସରକାରୀ ବିଭାଗ, ଆରଡିସି ଓ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୩୧ ତାରିଖକୁ ଧାର୍ଯ୍ୟ ହୋଇଥିଲା ।

ତେବେ ପଞ୍ଚାୟତ ଓ ପୌର ନିର୍ବାଚନର ବ୍ୟସ୍ତତା ସହିତ ଆଉ କେତେକ କାରଣ ପାଇଁ ଅନେକ କର୍ମଚାରୀ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିପାରିନଥିବା ସାଧାରଣ ପ୍ରଶାସନ ବିଭାଗର ଦୃଷ୍ଟିକୁ ଆସିଥିଲା । ଏଭଳି ସ୍ଥିତିକୁ ବିଚାର କରି ଅନ୍‍ଲାଇନ୍‍ ଜରିଆରେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲର ସମୟସୀମାକୁ ସରକାର ଆଉ ଗୋଟିଏ ମାସ ଅର୍ଥାତ୍‍ ଏପ୍ରିଲ୍‍ ୩୦ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

ନୂତନ ସୟମସୀମା ସଂକ୍ରାନ୍ତରେ ନିଜ ନିଜ ଅଧସ୍ତନ କର୍ମଚାରୀଙ୍କୁ ଅବଗତ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି । ତେବେ ସମ୍ପତ୍ତି ତାଲିକା ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ଏହା ପୂର୍ବରୁ ଦେଇଦେବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ-୧୯ ମହାମାରୀ ଯୋଗୁଁ ରାଜ୍ୟ ସରକାର ପୂର୍ବରୁ ସମ୍ପତ୍ତି ତାଲିକା ଦାଖଲର ଅବଧିକୁ ତିନି ତିନି ଥର ବଢାଇଛନ୍ତି ।

ସମସ୍ତ ସରକାରୀ ବାଧ୍ୟତାମୂଳକ ଭାବେ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ରାଜ୍ୟ ସରକାର ଜୁନ୍‍ ୯ତାରିଖରେ ବସିଥିବା କ୍ୟାବିନେଟ୍‍ ବୈଠକରେ ନିଷ୍ପତ୍ତି ନେବା ସହିତ ଓଡିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ୍‍, ୧୯୫୯ରେ ସଂଶୋଧନ କରିଛନ୍ତି । ସଂଶୋଧିତ ଏହି ଆଇନ୍‍ର ଧାରା ୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ସରକାରୀ କର୍ମଚାରୀ ସେମାନଙ୍କ ନିକଟରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସବିଶେଷ ସୂଚନା ଘୋଷଣାନାମା ଆକାରରେ ପ୍ରଦାନ କରିବେ ।

ତେବେ ଏହି ସଂଶୋଧନ ଅନୁଯାୟୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସରକାରୀ କର୍ମଚାରୀଙ୍କର ଏହି ବାର୍ଷିକ ସମ୍ପତ୍ତି ତାଲିକାକୁ ୱେବସାଇଟ୍‍ରେ ଅପଲୋଡ୍‍ କରାଯିବ । ସମ୍ପତ୍ତି ତାଲିକାର ଏକ କିତା ନକଲ ଲୋକାୟୁକ୍ତଙ୍କ ଅବଗତି ନିମନ୍ତେ ମଧ୍ୟ ତାଙ୍କ ନିକଟକୁ ପଠାଯିବ । (ତଥ୍ୟ)