Home General ଚୁଲି ଭଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଅ

ଚୁଲି ଭଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର : ଶ୍ରୀମନ୍ଦିର ରୋଷଘରେ ଏକାଧିକ ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢୁଥିବାରୁ ସରକାରଙ୍କ ହାତରୁ ମାମଲା ଖସିଯିବା ପୂର୍ବରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ଶ୍ରୀ ମହାପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ଦୁଇ ଦିନ ଧରି ଲୁଚାଇ ରଖିବାପରେ ଏହା ପଦାକୁ ଆସିଛି । ତେବେ ଏହି ଘଟଣାରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ନିଜର ଅପାରଗତା ପ୍ରଦର୍ଶନ କରିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଜଣେ ଏସ୍‍ପି ପାହ୍ୟାର ଅଫିସର ନିୟୋଜିତ ହେବାକଥା । ତେବେ ଯେଉଁଦିନ ଚୁଲି ଭାଙ୍ଗିଥିବା ପ୍ରଶାସନ କହୁଛି ସେଦିନ ଏହି ପାହ୍ୟାର କୌଣସି ସୁରକ୍ଷା ଅଧିକାରୀ ଶ୍ରୀମନ୍ଦିରରେ ନଥିଲେ ।

ସେହିଭଳି ଶ୍ରୀମନ୍ଦିର ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟଙ୍କ ପରାମର୍ଶକୁ ବି ରାଜ୍ୟ ସରକାର ଅଣଦେଖା କରି ଚାଲିଥିବା ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଶ୍ରୀମନ୍ଦିରରେ ଜଣେ ନିୟମିତ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମ୍‍କୋର୍ଟ ୨୦୧୯ ମସିହାରେ କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ତାହା କଲେ ନାହିଁ । ସେହିଭଳି ଶ୍ରୀମନ୍ଦିର ଆୟବ୍ୟୟର ଅଡିଟ୍‍ ଏଜିଙ୍କ ଦ୍ୱାରା ମଧ୍ୟ ହେଲାନାହିଁ ।

ଏଥି ସହିତ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଆପତ୍ତି ଅଭିଯୋଗ ନହେବା ଭଳି ବିକାଶ କାର୍ଯ୍ୟ କରିବାକୁ କୁହାଯାଇଥିଲା । ତେବେ ବର୍ତ୍ତମାନ ଯେଉଁ ପ୍ରକାର ନିର୍ମାଣ କାର୍ଯ୍ୟ ଚାଲିଛି ତାହାକୁ ନେଇ ବିବାଦ ଦେଖାଦେଇଛି । ଖୋଳା ଯାଇଥିବା ସ୍ଥାନରେ ଏବେ ବାଲି ଭର୍ତ୍ତି କରାଯାଉଛି । ଏଥିରୁ ପ୍ରମାଣିତ ହେଉଛି ଯେ ଏଠାରେ ବଡ ବଡ ଗାଡ ଖୋଳା ଯାଇଥିଲା ।

ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହିତ ରାଜ୍ୟ ସରକାର ତୁରନ୍ତ ଦୋଷୀଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।