ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ବର୍ଷ ନମନ୍ତେ ୨ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ୨ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ୨୦୨୧-୨୨ ବର୍ଷ ତୁଳନାରେ ୧୭.୬ ପ୍ରତିଶତ ଅଧିକ ଅଟେ ।
ଚଳିତବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେତୁ ମାର୍ଚ୍ଚ ୩୧ତାରିଖ ପୂର୍ବରୁ ବଜେଟ୍ ଉପସ୍ଥାପନ ସମ୍ଭ ନଥିଲା । ତେଣୁ ଏକ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରିବର୍ତ୍ତେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଏକ ଲକ୍ଷ ୬ହଜାର ୪ଶହ ୯୮କୋଟି ଟଙ୍କାର କାମଚଳା ବଜେଟ୍ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ପ୍ରଚଳିତ ପ୍ରତିଷ୍ଠାନ, ଯୋଜନା ଏବଂ ପ୍ରକଳ୍ପଗୁଡିକ ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଇ ଦେବାରେ ସରକାର ସକ୍ଷମ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
୨୦୨୨-୨୩ ବର୍ଷ ପାଇଁ ଆଗତ ୨ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ମଧ୍ୟରେ ପ୍ରଶାସନ ଖର୍ଚ୍ଚ ୮୯,୬୨୦ କୋଟି ଟଙ୍କା ଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ଏକ ଲକ୍ଷ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩୨୧୦ କୋଟି ଓ ରାଜ୍ୟ ସରକରଙ୍କ ହସ୍ତାନ୍ତରିତ ହୋଇଥିବା ଅର୍ଥରୁ ୭୧୭୦ କୋଟି ଟଙ୍କା ରହିଛି ।
ସେହିଭଳି କୃଷି ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୨୦,୩୪୪କୋଟି, ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୩,୯୪୭ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୨,୨୪୧ କୋଟି ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ୮୨୫୫କୋଟି, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ୩୩,୨୦୩କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
ବିଭିନ୍ନ ବିଭାଗ ପାଇଁ ବଜେଟ୍ରେ ବରାଦ ହୋଇଥିବା ଅର୍ଥ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୦,୩୩୦.୭୬ କୋଟି, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ ୨୧,୨୪୬.୪୨କୋଟି, ଜଳସମ୍ପଦ ବିଭାଗ ପାଇଁ ୧୦,୦୪୪.୯୬କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପାଇଁ ୩୫୬୬.୬୨କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୬୫୫୯.୧୩ କୋଟି ଟଙ୍କାର ବରାଦ ହୋଇଛି ।