ଭୁବନେଶ୍ୱର : ଖାଦ୍ୟ ସାମଗ୍ରୀ ଖରିଦ ପାଇଁ ଓଡିଶାକୁ କେନ୍ଦ୍ର ସରକାର ଯୋଗାଉଥିବା ସବ୍ସିଡ୍ ପରିମାଣ ଗତ ୪ବର୍ଷ ଧରି ବଢି ବଢି ଚାଲିଛି । ୨୦୧୮-୧୯ ବର୍ଷରେ କେନ୍ଦ୍ର ସରକାର ଏଥିପାଇଁ ୪୬୫୧ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୨୦-୨୧ ରେ ତାହା ପାଖାପାଖି ୯ହଜାର କୋଟି ଟଙ୍କା ରହିଥିଲା ।
କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ସଂସଦରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ଏଥିରେ ଦର୍ଶାଯାଇଛି ଯେ ଖାଦ୍ୟ ସାମଗ୍ରୀ ଖରିଦ ପାଇଁ ରାଜ୍ୟ ସରକାର ଓ ସେମାନଙ୍କର ବିଭିନ୍ନ ସଂସ୍ଥାକୁ କେନ୍ଦ୍ର ସରକାର ସବସିଡ୍ ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ୧୮ଟି ରାଜ୍ୟ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତିବର୍ଷ ସବସିଡ୍ ଅର୍ଥ ପାଉଛନ୍ତି ।
ଓଡିଶାକୁ ୨୦୧୮-୧୯ବର୍ଷରେ ସବସିଡ୍ ବାବଦରେ ୪୬୫୧.୦୧ କୋଟି ଟଙ୍କା ମିଳିଥିବାବେଳେ ୨୦୧୯-୨୦ ରେ ଏହି ପରିମାଣ ୫୮୦୭.୪୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ଓଡିଶାକୁ ଏ ବାବଦରେ ୮୯୮୫.୭୩ କୋଟି ଟଙ୍କା ଯୋଗାଇ ଥିବାବେଳେ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ୧୪ତାରିଖ ସୁଦ୍ଧା ମଞ୍ଜୁର ହୋଇଥିବା ସବ୍ସିଡ୍ ପରିମାଣ ୬୮୩୪.୫୭ କୋଟି ଟଙ୍କା ରହିଥିବା ଜଣାଯାଇଛି ।
କେବଳ ଖାଦ୍ୟ ସାମଗ୍ରୀ ଖରିଦ ବାବଦରେ ସବ୍ସିଡ୍ ନୁହେଁ, ଆନ୍ତଃରାଜ୍ୟ ଖାଉଟି ସାମଗ୍ରୀ ଯୋଗାଣ ସମେତ ଖାଦ୍ୟ ସାମଗ୍ରୀ ପରିଚାଳନା ଏବଂ ପିଡିଏସ୍ ଡିଲରମାନଙ୍କ ପାଇଁ କମିଶନ ଅର୍ଥ ମଧ୍ୟ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ଏ ବାବଦୀୟ ଅର୍ଥ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଉଛନ୍ତି । ତେବେ ଓଡିଶାକୁ ଏ ବାବଦରେ ୬୭୯.୪୫ କୋଟି ଟଙ୍କା ମିଳିଛି । ଏହି ଯୋଜନାରେ ସର୍ବାଧିକ ୩୩୫୮ କୋଟି ଟଙ୍କା ବିହାରକୁ ମିଳିଥିବା ଜଣାଯାଇଛି ।
ଖାଦ୍ୟ ସାମଗ୍ରୀ ବାବଦରେ କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) କୁ ଦେଉଥିବା ସବସିଡ୍ ପରିମାଣ ବି ବଢି ବଢି ଚାଲିଛି । ୨୦୧୬-୧୭ରେ କେନ୍ଦ୍ର ସରକାର ଏଫ୍ସିଆଇକୁ ୭୮,୩୩୪ କୋଟି ଟଙ୍କାର ସବସିଡ୍ ପ୍ରଦାନ କରିଥିବାବେଳେ ୨୦୨୦-୨୧ରେ ଏହା ୪,୬୨,୭୮୯କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ୨ଲକ୍ଷ କୋଟି ଟଙ୍କାରୁ ଅଧିକ ସବସିଡ୍ ମଞ୍ଜୁର ହୋଇଥିବା ଜଣାଯାଇଛି ।
ଉଲ୍ଲେଖନୀୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ଅନୁଯାୟୀ ଗ୍ରାମାଞ୍ଚଳର ୭୫ ପ୍ରତିଶତ ଏବଂ ସହରାଞ୍ଚଳର ୫୦ ପ୍ରତିଶତ ଲୋକଙ୍କୁ ଅଧିକ ପରିମାଣର ସବସିଡ୍ ଯୁକ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ୨୦୧୧ର ଜନଗଣନା ଆଧାରରେ ସମଗ୍ର ଦେଶରେ ୮୧.୩୫ କୋଟି ପରିବାର ଏଥିରେ ସାମିଲ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ବଢାଇବାପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କର ବିଚାରାଧିନ ନାହିଁ । (ତଥ୍ୟ)