Home Banking ଏମ୍‍ଏସ୍‍ଏମ୍‍ଇକୁ ସମ୍ଭାଳିନେଲେ ବ୍ୟାଙ୍କ୍‍

ଏମ୍‍ଏସ୍‍ଏମ୍‍ଇକୁ ସମ୍ଭାଳିନେଲେ ବ୍ୟାଙ୍କ୍‍

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର ପ୍ରତି ବ୍ୟାଙ୍କମାନଙ୍କର ସକରାକ୍ରମ ମନୋଭାବ ପରିସ୍ଥିତିକୁ ସମ୍ଭାଳି ନେଇଛି । ଫଳରେ ଚଳିତ ଆର୍ଥିକ ବର୍ଷରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‍ଏସ୍‍ଏମ୍‍ଇ)କୁ ୩୦,୪୫୮ କୋଟି ଟଙ୍କାର ଋଣ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୯,୨୨୭ କୋଟି ଟଙ୍କାର ଋଣ ଦିଆଯାଇ ପାରିଛି ।

ଏମ୍‍ଏସ୍‍ଏମ୍‍ଇକୁ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଥିବାବେଳେ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବତ୍ର ସାହୁଙ୍କ ପଦକ୍ଷେପ ଯୋଗୁଁ ମାର୍ଚ୍ଚ ୩୧ ସୁଦ୍ଧା ବିଭାଗ ଋଣ ଲକ୍ଷ୍ୟ ପୂରଣ କରିପାରିବ ବୋଲି ଅଧିକାରୀମାନେ ଆଶା କରିଛନ୍ତି ।

ଉଦାହରଣ ସ୍ୱରୂପ ୧,୭୪,୭୯୧ ବ୍ୟାଙ୍କ୍‍ ଆକାଉଣ୍ଟରେ ଇମର୍ଜେନ୍ସି କ୍ରେଡିଟ୍‍ ଲାଇନ୍‍ ଗ୍ୟାରେଣ୍ଟି ସ୍କିମ୍‍ (ଇସିଏଲ୍‍ଜିଏସ୍‍) ଦେବାପାଇଁ ଲକ୍ଷ୍ୟ ଥିବାବେଳେ ୧,୬୧,୦୯୫ ଆକଉଣ୍ଟ ପାଇଁ ଏହା ମଞ୍ଜୁର ହୋଇଛି । ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍‍, ୟୁକୋ ବ୍ୟାଙ୍କ୍‍ ଶତ ପ୍ରତିଶତ ମଞ୍ଜୁର କରିଥିବାବେଳେ ପଞ୍ଜାବ ନେସନାଲ ବ୍ୟାଙ୍କ ୯୯.୯୯ ପ୍ରତଶତ ମଞ୍ଜୁର କରିଛି । ଇସିଏଲ୍‍ଜିଏସ୍‍ କ୍ଷେତ୍ରରେ ଏହି ସମସ୍ତ ବ୍ୟାଙ୍କ୍‍ ଆଗରେ ରହିଛନ୍ତି ।

କୋଭିଡ ମହାମାରୀ ସମୟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ଇସିଏଲ୍‍ଜିଏସ୍‍ରେ ଓଡିଶାକୁ ୯୨ ପ୍ରତିଶତ ସଫଳା ମିଳିଛି । ଖୋରଧା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲା ୯୬ ପ୍ରତିଶତ ସଫଳତା ସହିତ ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ ବଲାଙ୍ଗିର ୯୩ ଓ ପୁରୀ ୯୨ ପ୍ରତିଶତ ସଫଳତା ପାଇଛି । କେତେକ ଜିଲ୍ଲା ଲକ୍ଷ୍ୟ ପୂରଣ କରିପାରିନଥିବାବେଳେ ଯୋଜନାର ଅବଧି ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେବେ ଲକ୍ଷ୍ୟପୂରଣ ପାଇଁ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ଓ ଅଗ୍ରଣୀ ବ୍ୟାଙ୍କ୍‍ଗୁଡିକୁ ସଚେତନ କରାଯାଉଛି ।

ସେହିଭଳି ପ୍ରଧାନମନ୍ତ୍ରୀ ସୃଜନ ରୋଜଗାର ଯୋଜନା (ପିଏମ୍‍ଇଜିପି) ରେ ୪୫୩୯ ୟୁନିଟ୍‍ ପାଇଁ ଲକ୍ଷ୍ୟ ଥିବାବେଳେ ଗତମାସ ୨୦ ତାରିଖ ସୁଦ୍ଧା ୨୧୫୧ ୟୁନିଟ୍‍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଯାହାକି ଲକ୍ଷ୍ୟର ପ୍ରାୟ ୫୦ ପ୍ରତିଶତ ଅଟେ । କୋଭିଡ ମହାମାରୀ ସମୟରେ କାଗଜପତ୍ର ଯାଞ୍ଚରେ ବିଳମ୍ବ ଯୋଗୁଁ ଏଭଳି ସ୍ଥିତି ହୋଇଥିବା ଅଧିକାରୀମାନେ କହିଛନ୍ତି । ତେବେ ଗତବର୍ଷ ପିଏମ୍‍ଇଜିପି ମାତ୍ର ୩୭ପ୍ରତିଶତ ଲକ୍ଷ୍ୟ ପୂରଣ କରିପାରିଥିଲା । ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ଯେଭଳି ଏହି ଯୋଜନା ତାହାର ଲକ୍ଷ୍ୟ ପୂରଣ କରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଘରୋଇ ବ୍ୟାଙ୍କ୍‍ମାନେ ପିଏମ୍‍ଇଜିପିରେ ଋଣ ପ୍ରଦାନ କରିନଥିବାବେଳେ ସେମାନଙ୍କୁ ସଚେତନ କରାଯାଉଛି ।

ମୁଦ୍ରା ଯୋଜନାରେ ରାଜ୍ୟର ୧୬,୮୨,୯୭୦ ବ୍ୟାଙ୍କ୍‍ ଆକାଉଣ୍ଟରେ ୬୭୯୫କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । କୋଭିଡ ମହାମାରୀ ସମୟରେ ଛୋଟ ଛୋଟ ଉଦ୍ୟୋଗକୁ ମୁଦ୍ରାଋଣ ସହାୟକ ହୋଇଥିବା ଅଧିକାରୀମାନେ କହିଛନ୍ତି । ଗଞ୍ଜାମ, ଖୋରଧା ଏବଂ ସୁନ୍ଦରଗଡ ମୁଦ୍ରା ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରିଥିବାବେଳେ ଗଜପତି, ମାଲକାନଗିରି, ଏବଂ କନ୍ଧମାଳ ଜିଲ୍ଲାରେ ଏହି ଯୋଜନାରେ ଅଧିକ ଋଣ ପ୍ରଦାନ କରିବା ଆବଶ୍ୟକ ବୋଲି ଅଧିକାରୀମାନେ ମତ ଦେଉଛନ୍ତି ।

ଅତି ଛୋଟ ଛୋଟ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ପାଇଁ କେନ୍ଦ୍ର ସରକାର ପିଏମ୍‍ଏଫ୍‍ଏମ୍‍ଇ ଯୋଜନା ଆରମ୍ଭ କରିଥିବାବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟର ପାଣ୍ଠି ୬୦:୪୦ ଅନୁପାତରେ ରହିଛି । ଏହି ଯୋଜନାରେ ୧୫ ପ୍ରତିଶତ ଟପ୍‍ ଅପ୍‍ ସବସିଡ୍‍ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାପରେ ଏହା ଅନେକଙ୍କୁ ଆକର୍ଷିତ କରିପାରିଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଶତ ପ୍ରତିଶତ କ୍ରେଡିଟ୍‍ ଲିଙ୍କ୍‍ ଦିଆଯାଉଥିବାରୁ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ୧୦୦୦ ଛୋଟ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ହେବବୋଲି ଆଶା କରାଯାଉଛି । (ତଥ୍ୟ)