ଭୁବନେଶ୍ୱର : ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଏବେ ପ୍ରମୁଖ ରାଜନୈତିକ ଦଳମାନଙ୍କ ପାଇଁ ପୌର ନିର୍ବାଚନ ପରିପ୍ରେକ୍ଷୀରେ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । ମେୟର ପଦବୀ ପାଇଁ ବେଶି ଦାବିଦାର ନଥିବାବେଳେ ବିଭିନ୍ନ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳଗୁଡିକରେ କର୍ପୋରେଟର ଓ କାଉନସିଲର ହେବାପାଇଁ ବିଭିନ୍ନ ଦଳର ବହୁ ଆଶାୟୀ ରହିଛନ୍ତି । ଏମାନଙ୍କୁ ମନାଇବାପାଇଁ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭକରି ଦଳୀୟ କର୍ମକର୍ତ୍ତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।
ପୌର ନିର୍ବାଚନ ଲାଗି ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିହେବ ଏବଂ ୯ତାରିଖରେ ସ୍କ୍ରୁଟିନି ଓ ୧୪ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷଦିନ ଥିବାବେଳେ ପ୍ରଚାର ପାଇଁ ମାତ୍ର ଆଠଦିନ ସମୟ ମିଳିବ । କାରଣ ସମଗ୍ର ରାଜ୍ୟରେ ୧୦୯ଟି ପୌରସଂସ୍ଥା ଲାଗି ଚଳିତମାସ ୨୪ତାରିଖରେ ନିର୍ବାଚନ ହେବାକୁ ଯାଉଛି ।
ଏଥର ମେୟର ଓ ପୌରାଧ୍ୟକ୍ଷ ପଦବୀପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବାବେଳେ ଦଳୀୟ ଭିତ୍ତିରେ ଭୋଟ ଲଢାଯାଉଥିବା ଏବଂ ଇଭିଏମ୍ରେ ଭୋଟ ସଂଗ୍ରହ କରାଯିବା ବ୍ୟବସ୍ଥା ରହିଛି । ନିକଟରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଦଳୀୟ ଚିହ୍ନରେ କେବଳ ଜିଲ୍ଲା ପରିଷଦ ସଦସ୍ୟ ବଛାଯାଇଥିବାବେଳେ ସରପଞ୍ଚ, ସମିତିସଦସ୍ୟ ଓ ୱାର୍ଡମେମ୍ବର ନିର୍ବାଚନ ର୍ନିଦଳୀୟ ଭିତ୍ତିରେ ହୋଇଛି ।
ଏହି ନିର୍ବାଚନରେ ବିଜେଡି ପାଖପାଖି ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ଦଖଲ କରିଥିବାବେଳେ ୩୦ଟି ଯାକ ଜିଲ୍ଲାରେ ସହଜରେ ଜିଲ୍ଲା ପରିଷଦ ଗଢିପାରିବ । କିନ୍ତୁ ସମିତି ସଦସ୍ୟ ଓ ପରପଞ୍ଚ ଭାବେ ବହୁ ସ୍ଥାନରେ ବିଭିନ୍ନ ଦଳର ଅସନ୍ତୁଷ୍ଟ ବା ବିଦ୍ରୋହୀ ପ୍ରାର୍ଥୀମାନେ ଜିଣିଥିବାରୁ ଅନେକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ କେଉଁ ଦଳର ଅକ୍ତିଆରରେ ରହିବ ସେଥିଘେନି ସନ୍ଦେହ ରହିଛି । ଏ ପରିପ୍ରେକ୍ଷୀରେ ପୌର ନିର୍ବାଚନରେ ଯଦି ଅଧିକ ସଂଖ୍ୟକ ଅସନ୍ତୁଷ୍ଟ ପ୍ରାର୍ଥୀ ରୁହନ୍ତି ତେବେ ତାହା ଦଳୀୟ ଭୋଟ ବିଭାଜନର ମୁଖ୍ୟ କାରଣ ହେବବୋଲି ପ୍ରାୟ ସବୁ ଦଳର ନେତା ସ୍ୱୀକାର କରୁଛନ୍ତି ।
ଇତି ମଧ୍ୟରେ କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ବିଭିନ୍ନ ପୌର ନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସିରେ ଅନେକ ଦଳୀୟ ନେତା ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏମିତିକି କେତେକ ଦଳୀୟ ଟିକଟ ଦାଖଲ ନକରି ଦଳୀୟ ପ୍ରାର୍ଥୀଭାବେ ବି ମହା ଆଡମ୍ବରରେ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ମାର୍ଚ୍ଚ ୭ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାରୁ କେଉଁଠି କେଉଁ ଲୋକଙ୍କୁ କେଉଁଦଳ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇଯିବ ।
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସଂଖ୍ୟା ଢେର ଅଧିକ ରହୁଛି । ଏମିତିକି କେତେକ ଛୋଟ ଛୋଟ ଏନ୍ଏସିରେ ବି ନିଜ ଦବଦବା ଜାହିର କରିବାକୁ ଅନେକ ଅସନ୍ତୁଷ୍ଟ ନେତା ପ୍ରାର୍ଥୀପତ୍ର ଦାଖଲ କରିସାରିଲେଣି । କାଳେ ଏମାନଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଚାପ ପଡିବ ସେହି ଆଶଙ୍କାରେ ପ୍ରାର୍ଥୀପତ୍ର ଦାଖଲ ପରେ କେତେକ ଦଳୀୟ ନେତାଙ୍କୁ ଧରାଛୁଆଁ ଦେଉନଥିବାବେଳେ ଆଉ କେତେକ ମୂଲଚାଲ କରୁଥିବା ଶୁଣିବାକୁ ମିଳୁଛି ।
ଗତ ପୌର ନିର୍ବାଚନରେ ବିରୋଧିଦଳମାନେ ଯେତେ ଆସନ ପାଇଥିଲେ ଏଥର ତାହାଠାରୁ ଅଧିକ ପାଇବେ ବୋଲି ସବୁଦଳ ଦାବି କରୁଥିବାବେଳେ ବାସ୍ତବରେ କିନ୍ତୁ ପଞ୍ଚାୟତ ନିର୍ବାଚନର ଫଳାଫଳ ପୌର ନିର୍ବାଚନରେ ବିଜେଡି ସପକ୍ଷରେ ହାୱା ସୃଷ୍ଟି କରିବାରେ ସକ୍ଷମ ହେବବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶାବ୍ୟକ୍ତ କରୁଛନ୍ତି । (ତଥ୍ୟ)