ଭୁବନେଶ୍ୱର : ବିଜୟ ଓ ବିପର୍ଯ୍ୟୟରେ କେବେବି ବିଚଳିତ ହୋଇନଥିବା ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଆବର୍ତ୍ତମାନର ୨୫ବର୍ଷରେ ବି ଓଡ଼ିଆ ଜାତି ଝୁରୁଛି । ୧୯୪୬ ମସିହାରୁ ନିର୍ବାଚନ ରାଜନୀତିରେ ସକ୍ରିୟ ରହିଥିବା ବିଜୁ ପଟ୍ଟନାୟକ ୫୧ବର୍ଷ ଧରି ଜାତୀୟ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ହେବା ସହ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।
୧୯୧୭ ମାର୍ଚ୍ଚ ୫ ତାରିଖରେ ଜନ୍ମିତ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହୋଇଥିଲା ୧୯୯୭ ଏପ୍ରିଲ ୧୭ରେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ ସରକାରଙ୍କ ଅଧୀନରେ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ ବି ସେ କ୍ରାନ୍ତିକାମୀ ଆନ୍ଦୋଳନକାରୀମାନଙ୍କ ସହ ସଂପର୍କ ରଖିବା ଦୃଷ୍ଟିରୁ ତାଙ୍କୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଥିଲା । କାରାମୁକ୍ତ ହେବା ପରେ ବିଜୁ ବାବୁ ଆଉ ଚାକିରି କ୍ଷେତ୍ରକୁ ନ ଫେରି ଜବାହରଲାଲ ନେହେରୁଙ୍କ ଆଗ୍ରହ କ୍ରମେ ସ୍ୱାଧୀନତା ପୂର୍ବରୁ ୧୯୪୬ରେ ହୋଇଥିବା ଓଡ଼ିଶାର ଦ୍ୱିତୀୟ ବିଧାନସଭା ନିର୍ବାଚନରେ ଉତ୍ତରକଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଏହାପରେ କଂଗ୍ରେସ ପ୍ରାର୍ଥୀ ଭାବେ ୧୯୫୨ରେ ସେ ଜଗନ୍ନାଥପ୍ରସାଦ, ୧୯୫୭ରେ ସୋରଡା ଓ ୧୯୬୧ରେ ଚୌଦ୍ୱାର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୯୬୭ରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ପାଟକୁରା ବିଧାନସଭା ଆସନରୁ ପରାଜିତ ହୋଇଥିଲେ । ୧୯୭୧ରେ ବିଜୁ ବାବୁ ରେକର୍ଡ ସଂଖ୍ୟକ ୫ଟି ଆସନରୁ ଏକ ସଙ୍ଗେ ପ୍ରତିଦ୍ୱନ୍ଦ୍ୱିତା କରି ସବୁ ସ୍ଥାନରୁ ହାରିଥିଲେ ।
ଭଞ୍ଜନଗର ଲୋକସଭା ଆସନରୁ ୧୯୭୧ରେ ତାଙ୍କୁ କମ୍ୟୁନିଷ୍ଟ ପ୍ରାର୍ଥୀ ଦୂତିକୃଷ୍ଣ ପଣ୍ଡା ହରାଇଥିବା ବେଳେ ଚୌଦ୍ୱାର ବିଧାନସଭା ଆସନରେ କାହ୍ନୁ ଚରଣ ଲେଙ୍କା, ଭୁବନେଶ୍ୱର ବିଧାନସଭା ଆସନରେ ହରେକୃଷ୍ଣ ମହତାବ, ଭଞ୍ଜନଗର ବିଧାନସଭା ଆସନରେ ସୋମନାଥ ରଥ ଓ ଖୋର୍ଦ୍ଧାରେ ବେଣୁଧର ବଳିଆର ସିଂହ ବିଜୁ ବାବୁଙ୍କ ହରାଇଥିଲେ । ସେତେବେଳେ ସେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ ।
୧୯୭୧ର ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜୁ ବାବୁ ପରାସ୍ତ ହେବା ପରେ ସେହିବର୍ଷ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେଥର ବିଧାନସଭା ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ପ୍ରହଲ୍ଲାଦ ମଲ୍ଲିକ ଉଭୟ ପଟ୍ଟାମୁଣ୍ଡାଇ ଓ ରାଜନଗର ବିଧାନସଭା ଆସନରୁ ଜିଣିଥିଲେ ପ୍ରହ୍ଲାଦ ମଲ୍ଲିକ ପଟ୍ଟାମୁଣ୍ଡାଇ ଆସନଟି ରଖି ରାଜନଗର ଆସନରୁ ଇସ୍ତଫା ଦେବା ପରେ ଉପନିର୍ବାଚନ ଲଢ଼ି ବିଜୁ ବାବୁ ସେହିବର୍ଷ ପୁଣି ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ଏହା ପରଠାରୁ ଆଉ କୌଣସି ନିର୍ବାଚନରେ ସେ ହାରି ନାହାନ୍ତି ।
୧୯୭୪ରେ ରାଜନଗର, ୧୯୮୦ରେ ପାଟକୁରା, ୧୯୮୫, ୧୯୯୦ ଓ ୧୯୯୫ରେ ସେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚନ ଜିଣିଥିଲେ । ଏହାଛଡା ୧୯୭୭, ୧୯୮୦ ଓ ୧୯୮୪ରେ ସେ କେନ୍ଦ୍ରାପଡା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବେଳେ ୧୯୯୬ରେ ଏକସଙ୍ଗେ ଆସିକା ଓ କଟକ ଲୋକସଭା ଆସନରୁ ମଧ୍ୟ ନିର୍ବାଚିତ ହୋଇଥିଲେ ।
ବିଜୁ ବାବୁ ୧୯୮୦ରେ ପାଟକୁରା ବିଧାନସଭା ଆସନରୁ ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ ବିଜୟ ମହାପାତ୍ର ଉପନିର୍ବାଚନ ଜିଣି ବିଧାନସଭାକୁ ଆସିଥିଲେ । ସେହିଭଳି ୧୯୮୫ରେ ସେ କେନ୍ଦ୍ରାପଡା ଲୋକସଭା ଆସନରୁ ଇସ୍ତଫା ଦେବା ପରେ ସେଠାରୁ ତାଙ୍କ ପ୍ରାର୍ଥୀ ଶରତ ଦେବ ବିଜୟୀ ହୋଇଥିଲେ । ସେହିଭଳି ୧୯୯୬ରେ ସେ କଟକ ଲୋକସଭା ଆସନରୁ ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଅନାଦି ସାହୁ ଓ ଭୁବନେଶ୍ୱର ବିଧାନସଭା ଆସନରୁ ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ ବିଜେପି ପ୍ରାର୍ଥୀ ବିଶ୍ୱ ଭୂଷଣ ହରିଚନ୍ଦନ ବିଜୟୀ ହୋଇଥିଲେ ।
୫୧ବର୍ଷର ନିର୍ବାଚନ ରାଜନୀତିରେ ସକ୍ରିୟ ଥିବା ବିଜୁ ପଟ୍ଟନାୟକ ୧୯୬୧ ଜୁନରୁ ୧୯୬୩ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ପୁଣିଥରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଥିଲେ । ବିଜୁ ବାବୁ ତାଙ୍କ ରାଜନୈତିକ ଜୀବନର ଅଧିକାଂଶ ସମୟ ବିରୋଧୀ ଦଳର ନେତା ଭାବେ ସକ୍ରିୟ ଭୂମିକା ନିଭାଇଥିଲେ ।
୧୯୯୭ରେ ତାଙ୍କର ମୃତ୍ୟୁ ହେବା ପରେ ଆସିକା ଲୋକସଭା ଆସନରୁ ତାଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ଉପନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେବେଠାରୁ ନବୀନ କେନ୍ଦ୍ରମନ୍ତ୍ରୀ ଓ ପରେ ପରେ ୨୨ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ।