ଭୁବନେଶ୍ୱର : ଜାତୀୟ ସ୍ତରରେ ଜେଲ୍ଗୁଡିକର କ୍ଷମତା ତୁଳନାରେ ହାରାହାରି ୧୧୮ ପ୍ରତିଶତ ବନ୍ଦୀ ରହୁଥିବାବେଳେ ଓଡିଶାରେ ଏହା କିନ୍ତୁ କମ୍ ରହିଛି । ଓଡିଶାର ଜେଲରେ କ୍ଷମତା ତୁଳନାରେ ହାରାହାରି ୯୦ ପ୍ରତିଶତ ବନ୍ଦୀ ରହୁଛନ୍ତି ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ‘ପ୍ରିଜନ ଷ୍ଟାଟିଷ୍ଟିକ୍ସ ଇଣ୍ଡିଆ’ର ସର୍ବଶେଷ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ସମଗ୍ର ଦେଶରେ ମୋଟ୍ ୧୩୦୬ଟି ଜେଲ୍ ରହିଥିବାବେଳେ ଏଥିରୁ ସର୍ବାଧିକ ୧୪୫ଟି ଉତ୍ତରପ୍ରଦେଶରେ ରହିଛି । ଓଡିଶାରେ ୯୨ଟି ଜେଲ୍ ଥିବାବେଳେ ସବୁଠାରୁ କମ୍ ଗୋଟିଏ କରି ଚଣ୍ଡିଗଡ, ଲଦାଖ ଓ ଗୋଆରେ ରହିଛି । ଦୁଇଟି କରି ଜେଲ୍ ଥିବା ତାଲିକାରେ ରହିଛନ୍ତି ଡାମନ ଓ ଡିଉ, ଅରୁଣାଚଳପ୍ରଦେଶ ଏବଂ ସିକିମ୍ ।
ଦେଶରେ ଥିବା ୧୩୦୬ଟି ଜେଲ୍ରେ ୪,୧୪,୦୩୩ ଜଣ ବନ୍ଦୀ ରହିବାର ବ୍ୟବସ୍ଥା ଥିବାବେଳେ ଅଛନ୍ତି ୪,୮୮,୫୧୧ । ଏହା ହେଉଛି ଜେଲ୍ରେ ଥିବା ସ୍ଥାନ ତୁଳନାରେ ୧୧୮ ପ୍ରତିଶତ ଅଧିକ । ତେବେ ରାଜ୍ୟଗୁଡିକ ମଧ୍ୟରେ ଉତ୍ତରପ୍ରଦେଶରେ ଜେଲ୍ଗୁଡିକରେ କ୍ଷମତା ତୁଳନାରେ ୧୭୭ ପ୍ରତିଶତ ଅଧିକ ବନ୍ଦୀ ଥିବାବେଳେ ସିକିମ୍ରେ ୧୭୩.୮ ପ୍ରତିଶତ, ଉତ୍ତରାଖଣ୍ଡରେ ୧୬୮.୬ ପ୍ରତିଶତ, ଦିଲ୍ଲୀରେ ୧୫୯.୫ ପ୍ରତିଶତ, ମଧ୍ୟପ୍ରଦେଶରେ ୧୫୮.୬ ପ୍ରତିଶତ, ଛତିଶଗଡରେ ୧୩୧.୮ ପ୍ରତିଶତ ବନ୍ଦୀ ରହିଛନ୍ତି । ଏହାକୁ ମିଶାଇ ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜେଲ୍ରେ ଥିବା କ୍ଷମତା ଠାରୁ ଅଧିକ ବନ୍ଦୀ ରହିଛନ୍ତି ।
ତେବେ ଓଡିଶାରେ ଏହି ହାର ରହିଛି ୯୦.୭ ପ୍ରତିଶତ । ରାଜ୍ୟର ମୋଟ୍ ୯୨ଟି ଜିଲ୍ଲାରେ ୨୦,୮୧୯ ବନ୍ଦୀଙ୍କ ପାଇଁ ସ୍ଥାନ ଥିବାବେଳେ ଏଠାରେ ୨୦୨୦ ଡିସେମ୍ବର ୩୧ ଅର୍ଥାତ୍ ରିପୋର୍ଟ ପ୍ରସ୍ତୁତ ବେଳକୁ ୧୮,୮୮୧ଜଣ ବନ୍ଦୀ ରହିଥିଲେ ।
ତେବେ ଜାତୀୟ ସ୍ତରରେ ଜେଲ୍ଗୁଡିକରେ ଯେତେ ସଂଖ୍ୟକ ବନ୍ଦୀ ରହିଛନ୍ତି ସୋମନଙ୍କ ମଧ୍ୟରୁ ୭୬ ପ୍ରତିଶତରୁ ଅଧିକ ହେଉଛନ୍ତି ବିଚରାଧିନ ବନ୍ଦୀ । ଦୋଷୀ ସାବ୍ୟସ୍ତ ହୋଇଥିବା ବନ୍ଦୀଙ୍କ ସଂଖ୍ୟା ମାତ୍ର ୨୩ ପ୍ରତିଶତ । ସେହିଭଳି ଜେଲ୍ରେ ଥିବା ବନ୍ଦୀଙ୍କ ମଧ୍ୟରୁ ୧୮ରୁ ୩୦ ବର୍ଷ ବୟସର ବ୍ୟକ୍ତିଙ୍କ ସଂଖ୍ୟା ଏକ ଲକ୍ଷ ୮୧ହଜାରରୁ ଅଧିକ ରହିଛି ଯାହା କି ସର୍ବାଧିକ ।
ଜାତୀୟ ସ୍ତରରେ କେନ୍ଦ୍ରୀୟ ଜେଲ୍ ଠାରୁ ଆରମ୍ଭ କରି ଜିଲ୍ଲା ଜେଲ୍ ପର୍ଯ୍ୟନ୍ତ ସବୁଠାରେ ସ୍ଥାନ ତୁଳନାରେ କିନ୍ନରଙ୍କ ସଂଖ୍ୟା ଅଧିକ ରହିଛି । ଦେଶର କେନ୍ଦ୍ରୀୟ ଜେଲ୍ଗୁଡିକରେ ସ୍ଥାନ ତୁଳନାରେ ୧୧୪.୫ ପ୍ରତିଶତ ପୁରୁଷ ବନ୍ଦୀ ଥିବାବେଳେ ମହିଳା ବନ୍ଦୀଙ୍କ ହାର ହେଉଛି ୯୧.୭ ପ୍ରତିଶତ । କିନ୍ତୁ ଏଠାରେ କିନ୍ନରଙ୍କ ହାର ହେଉଛି ୩୭୫ ପ୍ରତିଶତ । ଜିଲ୍ଲା ଜେଲ୍ଗୁଡିକରେ ବି ଅନୁରୂପ ଅବସ୍ଥା । ଏଠାରେ ପୁରୁଷ, ମହିଳା ଓ କିନ୍ନର ବନ୍ଦୀଙ୍କ ସଂଖ୍ୟା ଯଥାକ୍ରମେ ୧୩୯.୧ ପ୍ରତିଶତ, ୯୪.୯ ପ୍ରତିଶତ ଓ ୫୩୩.୩ ପ୍ରତିଶତ ରହିଛି । ତେବେ ଦେଶର ସମସ୍ତ ଜେଲ୍ରେ କିନ୍ନର ବନ୍ଦୀଙ୍କ ସଂଖ୍ୟା ସ୍ଥାନ ତୁଳନାରେ ୬୩୬.୪ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । (ତଥ୍ୟ)