ଭୁବନେଶ୍ୱର : କଟକ-ପାରାଦୀପ ରାଜ୍ୟ ରାଜପଥର ଚକଚକିଆ ରାସ୍ତାରେ ଏବେ ସର୍ବନିମ୍ନ ବେଗରେ ଗାଡି ଚଳାଇ ଯିବା ସମ୍ଭବ ନୁହେଁ । ଅଳ୍ପ ଦୂରତରେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଏକାଧିକ ହମ୍ପସ୍ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।
କଟକରୁ ପାରାଦୀପ୍ ପର୍ଯ୍ୟନ୍ତ ୮୨ କିଲୋମିଟର ସଡକଟି ସମ୍ପୂର୍ଣ୍ଣ କଂକ୍ରିଟ୍ରେ ନିର୍ମାଣ ହୋଇଥିବାବେଳେ ଏହି ରାସ୍ତାରେ ଗୋଟିଏ ଟୋଲ ଗେଟ୍ ରହିଛି । ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏଠାରେ ତିନି ଓ ଚାରିଚକିଆ ବାହାନରୁ ଟିକସ ଆଦାୟ ହେଉଛି । ରାସ୍ତାଟି ପୂର୍ବରୁ ଚକଚକିଆ ଥିବା ଓ ଅଳ୍ପ ସମୟ ମଧ୍ୟରେ ଲୋକେ କଟକରୁ ପାରାଦୀପରେ ପହଞ୍ଚି ଯାଉଥିବାରୁ ଟିକସ ଟୋଲଗେଟ୍ରେ ଅର୍ଥ ଦେବାକୁ ପଛାଉ ନଥିଲେ । ଏପରିକି କଟକରୁ ଜଗତ୍ସିଂହପୁର ଯାଉଥିବା ଗାଡିଚାଳକମାନେ ଭିଡରୁ ବର୍ତ୍ତିବା ଓ ତେଲ କମ୍ ଖର୍ଚ୍ଚ ହେଉଥିବାରୁ ଅର୍ଥ ପଇଠ କରି ପାରାଦୀପ୍ ରାସ୍ତାରେ ଯାଉଥିଲେ ।
ହେଲେ ଧିରେ ଧିରେ ଏହି ରାସ୍ତାରେ ହମ୍ପସ୍ ସଂଖ୍ୟା ବଢିବାରେ ଲାଗିଛି । ରାସ୍ତା ପାଶ୍ୱର୍ରେ ଥିବା ପ୍ରାୟ ପ୍ରତ୍ୟେକ ଗ୍ରାମ ମୁଣ୍ଡରେ ଦୁଇ ପଟେ ହମ୍ପସ୍ ନିର୍ମାଣ କରାଯାଇଛି । ଗୋଟିଏ ପଟେ ଅତି କମ୍ରେ ୧୦ରୁ ୧୫ଟି ଛୋଟ ଛୋଟ ହମ୍ପସ (ରମ୍ପଲର) ଥିବାରୁ ଦୁଇ ଚକିଆରୁ ଚାରି ଚକିଆ ପର୍ଯ୍ୟନ୍ତ କୌଣସି ଗାଡି ଆଉ ସେଠାରେ ଘଣ୍ଟାପ୍ରତି ୧୦ରୁ ୨୦ କିଲୋମିଟର ବେଗରେ ଯାଇପାରୁନାହାନ୍ତି ।
ଏହି ସଡକର କେତେକ ସ୍ଥାନକୁ ପ୍ରଶାସନ ପକ୍ଷରୁ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଚିହ୍ନଟ କରାଯିବା ସହିତ ଲୋକଙ୍କୁ ସତର୍କ କରାଇବା ପାଇଁ ସେଠାରେ ଫଳକ ଲଗାଯାଇଛି ଓ ହମ୍ପସ ମଧ୍ୟ ନିର୍ମାଣ ହୋଇଛି । ହେଲେ ଫଳକ ମରାଯାଇ ନଥିବା ବହୁ ସ୍ଥାନରେ ବି ମାଳ ମାଳ ହମ୍ପସ ନିର୍ମାଣ ହୋଇଛି । ଅବସ୍ଥା ଏଭଳି ହୋଇଛି ଯେ ଗୋଟିଏ ହମ୍ପସ ଡେଇଁ ଗାଡି ଚାଳକ ଗାଡିର ବେଗ ବଢାଇଲା ବେଳକୁ ଆଉ ଗୋଟିଏ ହମ୍ପସ ଆସିଯାଉଛି । ଫଳରେ ଗାଡିଚାଳକ ବାଧ୍ୟହୋଇ ଗାଡିର ବେଗ କମାଉଛନ୍ତି । ଏହାଦ୍ୱାରା ସମୟ ଓ ତେଲର ବ୍ୟାପକ ଅପଚୟ ହେବାରେ ଲାଗିଛି ।
ବର୍ତ୍ତମାନ କଟକରୁ କନ୍ଦରପୁର ମଧ୍ୟରେ ୩/୪ଟି ସ୍ଥାନରେ ହମ୍ପସ ଥିବାବେଳେ କନ୍ଦରପୁରରୁ ଜଇପୁର ପର୍ଯ୍ୟନ୍ତ ମାଳ ମାଳ ହମ୍ପସ ନିର୍ମାଣ ହୋଇଛି । ତେଣୁ ଏହି ରାସ୍ତାରେ ଆଉ ପୂର୍ବଭଳି ଗାଡିଚାଳକମାନେ ସହଜରେ ଓ ଅଳ୍ପ ସମୟରେ ଯା ଆସ କରିବା କଷ୍ଟକର ହୋଇପଡିଲାଣି ।
ଶିଳ୍ପନଗରୀ ପାରାଦୀପ୍କୁ ବିଭିନ୍ନ ସାମଗ୍ରୀ ପରିବହନ କରୁଥିବା ଶହ ଶହ ଟ୍ରକ ଦୈନିକ ଏହି ରାସ୍ତା ଦେଇ ଯା ଆସ କରୁଛନ୍ତି । ସେମାନଙ୍କ ପାଇଁ ବି ଏହି ମାଳ ମାଳ ହମ୍ପସ ଏବେ ସମସ୍ୟା ସୃଷ୍ଟି କଲାଣି । ଟିକେ ସତର୍କ ନହେଲେ ଛୋଟ ଗାଡିଗୁଡିକ ଏଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଯିବେ ବୋଲି ଜଣେ ଗାଡିଚାଳକ ମତ ଦେଇଛନ୍ତି । ତେଣୁ ଅନାବଶ୍ୟକ ଭାବେ ନିର୍ମାଣ ହୋଇଥିବା ଏହି ହମ୍ପସଗୁଡିକ ପ୍ରତି ପୂର୍ତ୍ତ ବିଭାଗ ଦୃଷ୍ଟି ନଦେଲେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ବ୍ୟାପକ ଅର୍ଥ ବ୍ୟୟରେ ଏହି ପ୍ରଶସ୍ତ ସଡକ ର୍ନିମାଣ ହୋଇଥିଲା ତାହା ପୂରଣ ହୋଇପାରିବ ନାହିଁ । (ତଥ୍ୟ)