Home Election ଯେକୌଣସି ସମୟରେ ପୌର ନିର୍ବାଚନ ବିଜ୍ଞପ୍ତି

ଯେକୌଣସି ସମୟରେ ପୌର ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର : ଓଡିଶାରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଯେକୌଣସି ସମୟରେ ରାଜ୍ୟ ର୍ନିବାଚନ କମିଶନ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିପାରନ୍ତି । ଗୋଟିଏ ପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲୁ ରହିଥିବାବେଳେ ଅନ୍ୟ ପଟେ ପୌର ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକଦଳଗୁଡିକ ଭିତରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

ରାଜ୍ୟର ୧୦୭ଟି ପୌରସଂସ୍ଥା ଏବଂ ୩ଟି ମହାନଗର ନିଗମର ୧୯୩୧ ୱାର୍ଡ ଲାଗି ୪୫୮୪ଟି ବୁଥ୍‍ରେ ମତଗ୍ରହଣ କରାଇବାପାଇଁ ତାଲିକା ଚୂଡାନ୍ତ ହୋଇସାରିଛି । ଇତି ମଧ୍ୟରେ ପୌରାଞ୍ଚଳରେ ୱାର୍ଡ ପୁର୍ନଗଠନ, ସଂରକ୍ଷଣ, ଭୋଟରତାଲିକା ସଂଶୋଧନ ଆଦି ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ବି ପୌର ନିର୍ବାଚନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ କରିସାରିଛନ୍ତି ଏବଂ ପ୍ରଶାସନିକ ସ୍ତରରେ ବି ଏହି ପ୍ରସ୍ତୁତି ଲାଗି ଆଲୋଚନା ହୋଇଛି ।

ଏଥର ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍‍ଏସିଗୁଡିକରେ ମେୟର ଓ ଅଧ୍ୟକ୍ଷ ର୍ନିବାଚନ ପ୍ରତ୍ୟକ୍ଷ ଭାବେ କରାଯିବ ଏବଂ ତା ସହିତ କର୍ପୋରେଟର ଓ କାଉନସିଲର ର୍ନିବାଚନ ବି ହେବ । ପଞ୍ଚାୟତ ର୍ନିବାଚନ ବାଲାଟପେପରରେ କରାଯାଉଥିବାବେଳେ ପୌର ର୍ନିବାଚନ କିନ୍ତୁ ଇଭିଏମ୍‍ରେ ହେବ ଏବଂ ପ୍ରତ୍ୟେକ ଭୋଟର ଦୁଇଟି ଇଭିଏମ୍‍ ସାହାଯ୍ୟରେ ମେୟର/ଅଧ୍ୟକ୍ଷ ଓ କର୍ପୋରେଟର କିମ୍ବା କାଉନସିଲରଙ୍କୁ ବାଛିବେ ।

ଇତି ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଇଭିଏମ୍‍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୧୫ଟି ଜିଲ୍ଲା ଲାଗି ତାଲିମ ଦିଆଯିବ । ଏହି ର୍ନିବାଚନ ପାଇଁ ଇଭିଏମ୍‍ ସଂଗ୍ରହ କରାଯିବା ସହ ସେଗୁଡିକୁ ବିଭିନ୍ନ ଜିଲ୍ଲାକୁ ପଠା ସରିଲାଣି ।

ପୌର ନିର୍ବାଚନ ତିନିବର୍ଷ ତଳୁ ହେବାକଥା । ସଂରକ୍ଷଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିବାଦ ଦୃଷ୍ଟିରୁ ଏହା ବିଳମ୍ବିତ ହୋଇଛି । ତୁରନ୍ତ ପୌର ନିର୍ବାଚନ କରାନଗଲେ ଆଇନ୍‍ ଅଦାଲତର ଆଶ୍ରୟ ନିଆଯିବ ବୋଲି କେତେକ ବିରୋଧିଦଳ ଚେତାବନୀ ଦେବା ସହିତ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏବେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ବାତାବରଣ ଥିବାବେଳେ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାର ଆଭାସ ମିଳିବାପରେ ଏହି ଦଳମାନେ କିନ୍ତୁ ସ୍ୱର ବଦଳାଇ ପୌର ନିର୍ବାଚନକୁ ବିଳମ୍ବରେ କରାଇବାକୁ ମତ ଦେଉଛନ୍ତି ।

ପଞ୍ଚାୟତ ନିର୍ବାଚନର ଫଳାଫଳ ପୌର ନିର୍ବାଚନ ଉପରେ ପ୍ରଭାବ ପକାଇପାରେ । ଏହାକୁ ହାତଛଡା ନକରିବାପାଇଁ ସଂଖ୍ୟାଧିକ ଆସନରେ ବିଜୟ ସମ୍ଭାବନା ରଖିଥିବା ଦଳ ତ୍ୱରିତ ପୌର ନିର୍ବାଚନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟମାନେ କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଟିକେ ଦମ୍‍ ନେଇ, ଅଣ୍ଟା ସଳଖି କିଛି ବିଳମ୍ବରେ ନିର୍ବାଚନ ମଇଦାନକୁ ଓହ୍ଲାଇବାପାଇଁ ଚାହୁଁଛନ୍ତି ।

ଏବେ ଭୁବନେଶ୍ୱର, କଟକ ଓ ବ୍ରହ୍ମୁପର ମହାନଗର ନିଗମ ଏବଂ ଆଉ ୧୦୭ଟି ପୌରସଂସ୍ଥା ଲାଗି ବିଭିନ୍ନ ଦଳରୁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ନିର୍ବାଚନ ସମ୍ପୂର୍ଣ୍ଣ ଦଳୀୟ ଚିହ୍ନରେ ହେବ ଓ ଏହାଛଡା ସ୍ୱାଧୀନ ପ୍ରାର୍ଥୀମାନେ ବି ପ୍ରତିଦ୍ୱନ୍ଦିତା କରିପାରିବେ । ଏବେ ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀମାନେ ବେଶ୍‍ ଉତ୍ସାହିତ ଥିବା ଜଣାପଡୁଛି । (ତଥ୍ୟ)