Home Covid ପିଲାଙ୍କ ସଂକ୍ରମଣ ୩୦୦ ଉପରେ

ପିଲାଙ୍କ ସଂକ୍ରମଣ ୩୦୦ ଉପରେ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଦେଢ ହଜାର ଆଖପାଖରେ ରହୁଥିବାବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ହ୍ରାସ ପାଉନାହିଁ । ପ୍ରାୟ ସପ୍ତାହେ ହେଲା ଏହା ୩୦୦ ଉପରେ ରହୁଛି । ଚଳିତ ମାସ ୬ତାରିଖରେ ରାଜ୍ୟରେ ୨୮୩ ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ପିଲାଙ୍କ ସଂକ୍ରମଣ ତିନି ଶହ ଉପରେ ରହୁଛି ।

ଚଳିତ ମାସ ୭ ତାରିଖରେ ରାଜ୍ୟରେ ୧୫୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପିଲାଙ୍କ ସଂଖ୍ୟା ଥିଲା ୩୨୯ । ସେହିଭଳି ୮ତାରିଖରେ ଏହା ଯଥାକ୍ରମେ ୧୭୧୨ ଓ ୩୨୩ ଥିବାବେଳେ ୯ତାରିଖରେ ୧୪୮୦ ଓ ୩୩୪, ୧୦ ତାରିଖରେ ୧୫୭୨ ଓ ୩୦୯ ଏବଂ ଗତ ୨୪ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୧୫୩୯ ଓ ୩୪୨ ରହିଛି ।

ଚିହ୍ନଟ ହୋଇଥିବା ନୂଆ ୧୫୩୯ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୨୨୩ ଜଣ ଥିବାବେଳେ ସୁନ୍ଦରଗଡରୁ ୧୨୪ ଓ ଅନୁଗୁଳରୁ ୧୧୯ ଜଣ ରହିଛନ୍ତି । ମାଲକାନଗିରିରେ ସବୁଠାରୁ କମ୍‍ ମାତ୍ର ଜଣେ ଚିହ୍ନଟ ହୋଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଦୁଇ ଅଙ୍କରେ ରହିଛି ।

ସେହିଭଳି ରାଜ୍ୟର କୋଭିଡ ମୃତ୍ୟୁ ତାଲିକାରେ ଆଉ ୨୪ଜଣ ଯୋଡିହେବାପରେ ମୋଟ୍‍ ମୃତ୍ୟୁସଂଖ୍ୟା ୮୮୬୨ରେ ପହଞ୍ଚିଛି । ତାଲିକାରେ ସାମିଲ ୨୪ଜଣ ମୃତକଙ୍କ ମଧ୍ୟରେ ଖୋରଧାରୁ ୭ ଓ ବାଲେଶ୍ୱରରୁ ୬ଜଣ ରହିଛନ୍ତି ।

ତେବେ ରାଜ୍ୟରେ ସଂକ୍ରମଣ ତୁଳନାରେ ସୁସ୍ଥହାର ଅଧିକ ରହୁଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩,୨୮୫କୁ ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ମୋଟ୍‍ ୧୨,୭୬,୧୧୪ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨,୮୩,୫୫,୯୩୭ଟି ନମୂନା ପରୀକ୍ଷା ହୋଇଛି ।

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲଗାତାର ଭାବେ ଦେଢ ହଜାର ଆଖପାଖରେ ରହୁଥିବାବେଳେ ଖୋରଧା ଜିଲ୍ଲା ଏବେ ବି ରେଡ୍‍ ଜୋନ୍‍ରେ ରହିଛି । ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪୬୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅନ୍ୟ ସମସ୍ତ ଜିଲ୍ଲା ଗ୍ରିନ୍‍ ଜୋନ୍‍ରେ ଥିବାବେଳେ ମାଲକାନଗିରି ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ୫୨ଜଣ ସଂକ୍ରମିତ ରହିଛନ୍ତି ।