Home General ରାଜଧାନୀ ଫ୍ଲାଟ୍‍ ଦଲାଲ ଏବେ ଛାନିଆ

ରାଜଧାନୀ ଫ୍ଲାଟ୍‍ ଦଲାଲ ଏବେ ଛାନିଆ

ଭୁବନେଶ୍ୱର : ସରକାରୀ ଘର ଆବଣ୍ଟନ କେଳେଙ୍କାରୀ ଅଭିଯୋଗରେ କଟକରେ ଜଣେ ବ୍ୟକ୍ତି ଗିରଫ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଏବେ ଦଲାଲମାନଙ୍କ ଭିତରେ ଏବେ କୋକୁଆଭୟ ସୃଷ୍ଟି ହୋଇଛି । ସମାନ ଅଭିଯୋଗରେ ରାଜଧାନୀରେ କେତେକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ବସ୍ତିବାସିନ୍ଦା ବିଶେଷକରି ଗରିବ ଲୋକଙ୍କୁ ମାଗଣାରେ ଆବାସ ଯୋଗାଇ ଦେବା ପାଇଁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟର ସହରାଞ୍ଚଳରେ ଏହି ଯୋଜନାରେ ଅନେକ ଲୋକଙ୍କୁ ଫ୍ଲାଟ୍‍ ଆବଣ୍ଟନ କରାଯାଇଛି ଏବଂ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ମୁତାବକ ଯୋଜନା କରି ସରକାର ବି ନୂଆ ଫ୍ଲାଟମାନ ନିର୍ମାଣ କରୁଛନ୍ତି ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କଟକରେ ଦଲାଲଙ୍କୁ ଟଙ୍କା ଦେଇ ଘର ପାଇବାରୁ ବଞ୍ôଚତ କେତେକ ବ୍ୟକ୍ତି ବିଭିନ୍ନ ମହଲରେ ଘର ଖଣ୍ଡିଏ ପାଇଁ ଗୁହାରି କରିଥିବା ପରିପ୍ରେକ୍ଷୀରେ ତଦନ୍ତ କରାଯିବାରୁ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ଏହି ଘର କେଳେଙ୍କାରୀରେ ସଂପୃକ୍ତ ଥିବା ଏବଂ ଘର ପାଇବା ପାଇଁ ଅପେକ୍ଷାରେ ଥିବା ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଘେନି ଗୁରୁତର ଅଭିଯୋଗ ମିଳିଥିଲା । ସେହି ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି । ତେବେ କଟକ ମହାନଗର ନିଗମ ଅଞ୍ଚଳରେ ଏଭଳି କଳାକାରନାମାରେ ଆଉ ଅନେକ ବ୍ୟକ୍ତି ସଂପୃକ୍ତ ରହି ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିବା ଘେନି ଏବେ ଅନେକ ଅଞ୍ଚଳର ଲୋକେ କହୁଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ବି ପର୍ଯ୍ୟାୟକ୍ରମେ ବସ୍ତିବାସିନ୍ଦାଙ୍କୁ ଫ୍ଲାଟ୍‍ ଘରମାନ ଦିଆଯାଉଛି । କେତେକ ସ୍ଥାନରେ ପୁରୁଣା ବସ୍ତିମାନ ଉଚ୍ଛେଦ କରାଯିବା ବେଳେ ଥଇଥାନ ଯୋଜନାରେ କିଛି ବସ୍ତିବାସିନ୍ଦାଙ୍କୁ ଜମି ସହିତ ଘର ତିଆରି ପାଇଁ ବି ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିଲା ଏବଂ ଆଉ କେତେକ ସ୍ଥାନରେ କର୍ତ୍ତୃପକ୍ଷ ସମାନ ଧରଣର ଘର ତିଆରିକରି ଯୋଗାଇଛନ୍ତି । ଏବେ ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କ ପାଇଁ ବହୁତଳ ବିଶିଷ୍ଟ ଫ୍ଲାଟମାନ ବିଭିନ୍ନ ଅଞ୍ଚଳରେ ନିର୍ମାଣ କରି ସେମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି ।

ତେବେ ହିତାଧିକାରୀ ତାଲିକାରେ ନାମ ଦରଜ କରାଇବା ପାଇଁ ଅନେକ କ୍ଷେତ୍ରରେ ଦଲାଲମାନେ ଟଙ୍କା ନେଇଥିବା ବେଳେ ଏବେ ଘର ଆବଣ୍ଟନ ପୂର୍ବରୁ ଅଧିକ ଅର୍ଥ ବି ଆଦାୟ କରୁଥିବା ଘେନି ବିଭିନ୍ନ ବସ୍ତିରୁ ଅଭିଯୋଗମାନ ମିଳୁଛି । ହିତାଧିକାରୀ ତାଲିକାରେ ନାମ ଦରଜ ଓ ଘର ଆବଣ୍ଟନରେ ଏହି ଦଲାଲମାନଙ୍କର ଆଦୌ କିଛି ଭୂମିକା ନଥିଲେ ମଧ୍ୟ ସେମାନେ ଟଙ୍କା ଆଦାୟ କରି ଚାଲିଛନ୍ତି । ଏମିତିକି ଜଣେ ଜଣେ ବସ୍ତିବାସିନ୍ଦାଙ୍କ ପରିବାରର ସବୁ ସଦସ୍ୟଙ୍କ ନାଁରେ ଏକାଧିକ ମାଗଣା ଫ୍ଲାଟ୍‍ କରାଇଦେବା ପାଇଁ ବି ଏହି ଦଲାଲ ଗୋଷ୍ଠୀ ଅଧିକ ଅର୍ଥ ଦାବି କରୁଛନ୍ତି ଏବଂ କେତେକ ବସ୍ତିବାସିନ୍ଦା ମୋଟା ସୁଧରେ କରଜ ଆଣି ଏଥିପାଇଁ ଏମାନଙ୍କୁ ଟଙ୍କା ଦେଉଛନ୍ତି ।

କେବଳ ସେତିକି ନୁହେଁ, ଅନେକ ପୁରୁଣା ବସ୍ତି ନିକଟରେ ଥିବା ସରକାରୀ ଜାଗା ଓ ନୂଆ ବସ୍ତି ବସାଇବା ପାଇଁ କେତେକ ଦଲାଲ ମଧ୍ୟ ପ୍ଲଟିଂକରି ମୋଟା ଦାମରେ ଜାଗା ଯୋଗାଇବା ଏକ ସାଧାରଣ ପ୍ରଥାରେ ପଡିଗଲାଣି । ଏହି ଜମି ଯୋଗାଣ ପାଇଁ କୌଣସି ଦଲିଲ ଦସ୍ତାବିଜ ହୋଇନଥାଏ । ସରକାରୀ ଜମିରେ କିଳା ପୋତି ଏମାନେ ବେଆଇନ ଭାବେ ଜମି ଦଖଲ ଦିଆଇଥାନ୍ତି ।

ବସ୍ତି କମିଟି ସବୁ ଏଥିରେ ସଂପୃକ୍ତ ରହୁନଥିବାରୁ ଜାଗା କିଣିବା ପାଇଁ ଦଲାଲଙ୍କୁ ଟଙ୍କା ଦେଇ ଅନେକ ଦିନମଜୁରିଆ ଓ ରାସ୍ତା କଡର ଛୋଟ ଛୋଟ ବ୍ୟବସାୟୀ ଠକାମିରେ ପଡୁଛନ୍ତି । କମିଶନରେଟ ପୋଲିସ ବସ୍ତିକୁ ଚାଲ ଅଭିଯାନ ସହିତ ବସ୍ତିମିତ୍ର ଯୋଜନା ଚଳାଇଥିବା ପରିପ୍ରେକ୍ଷୀରେ ବସ୍ତିବାସିନ୍ଦାଙ୍କୁ ଫ୍ଲାଟ୍‍ ଦେବା ନାମରେ ଯେଉଁ ଦଲାଲମାନେ ବିପୁଳ ଅର୍ଥ ଲୁଟିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)