Home Finance କେନ୍ଦ୍ର ବଜେଟ୍‍ ଉପରେ ରାଜ୍ୟର ନଜର

କେନ୍ଦ୍ର ବଜେଟ୍‍ ଉପରେ ରାଜ୍ୟର ନଜର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନଜର ଏବେ କେନ୍ଦ୍ର ବଜେଟ୍‍ ଉପରେ । ସଂସଦରେ କେନ୍ଦ୍ର ସରକାର ୨୦୨୨-୨୩ ବର୍ଷର ବଜେଟ୍‍ ଆଗତ କରିବାପରେ ତାହାକୁ ଦେଖି ରାଜ୍ୟ ବଜେଟ୍‍ର ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳୁଛି ।

ରାଜ୍ୟ ସରକାର ଏବେ ଆସନ୍ତା ବଜେଟ୍‍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏ ସଂକ୍ରାନ୍ତରେ ବିଭିନ୍ନ ବିଭାଗଗୁଡିକ ସହିତ ପର୍ଯ୍ୟାୟକ୍ରମେ ଆଲୋଚନା କରୁଛନ୍ତି । ତେବେ କେନ୍ଦ୍ର ସରକାର ତାଙ୍କ ବଜେଟ୍‍ରେ କେଉଁ କ୍ଷେତ୍ରକୁ କେତେ ପରିମାଣରେ ଅର୍ଥ ଦେବେ ସେ ସଂକ୍ରାନ୍ତରେ ରାଜ୍ୟ ସରକାର ନିଶ୍ଚିତ ହୋଇପାରୁ ନଥିବାରୁ ରାଜ୍ୟ ବଜେଟ୍‍ ଚୂଡାନ୍ତ ହେଉନାହିଁ ।

ବିଗତ ବର୍ଷଗୁଡିକରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ ବୃହତ୍‍ ବଜେଟ୍‍ ପ୍ରସ୍ତୁତ କରିଥିବାବେଳେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ତାଙ୍କ ବଜେଟ୍‍ରେ ଅର୍ଥ ହ୍ରାସ କରିବା ଯୋଗୁଁ ଯୋଗୁଁ ପାଣ୍ଠି ଯୋଗାଡ ନେଇ ସମସ୍ୟାରେ ପଡୁଛନ୍ତି । ଏଥିଯୋଗୁଁ ଅନେକ ଉନ୍ନୟନ ଯୋଜନାର ଗତି ମନ୍ଥର ହେବା ସହିତ ବିଳମ୍ବ ହେବାରେ ଲାଗୁଛି ।

ଅନ୍ୟ ପକ୍ଷରେ ଆସନ୍ତା ଫେବୃୟାରୀ ୧ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସଂସଦରେ ବଜେଟ୍‍ ଆଗତ କରିବେ । ଏହାପରେ ଓଡିଶାକୁ କେନ୍ଦ୍ରୀୟ ବଜେଟ୍‍ରେ କେତେ ଅର୍ଥ କେଉଁ ବାବଦରେ ମିଳିବ ତାହା ସ୍ପଷ୍ଟ ହୋଇଯିବ । ଯେହେତୁ ରାଜ୍ୟ ସରକାରଙ୍କ ହାତରେ ବଜେଟ୍‍ ପ୍ରସ୍ତୁତି ଚୂଡାନ୍ତ ଲାଗି କିଛି ସମୟ ରହିଛି ତେଣୁ ରାଜ୍ୟର ଅଧିକାରୀମାନେ ଏବେ କେନ୍ଦ୍ରୀୟ ବଜେଟ୍‍ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହିତ ପ୍ରାକ୍‍ ବଜେଟ୍ ପରାମର୍ଶ ସମୟରେ ଓଡିଶା ସରକାର ତାଙ୍କର ତାଲିକା ଉପସ୍ଥାପନ କରିଛନ୍ତି । ଏବେ ଏହା ଦେଖିବାକୁ ପଡ଼ିବ ଯେ କେନ୍ଦ୍ର ସରକାର କେନ୍ଦ୍ର ବଜେଟରେ କେତେ ସ୍ଥାନ ଦେଇଛନ୍ତି ।

ଅନ୍ୟ ପକ୍ଷରେ ଆସନ୍ତା ପାଞ୍ଚଞ୍ଚବର୍ଷ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେବାକୁ ସ୍ଥିର କରିଛନ୍ତି । କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଉତ୍ପାଦନ ଏବଂ ସେବା କ୍ଷେତ୍ରର ପୁନରୁଦ୍ଧାରକୁ ପ୍ରଭାବିତ କରିଛି । ଲୋକଙ୍କ ଜୀବନ ଏବଂ ଜୀବିକା ରକ୍ଷା କରିବା ଲକ୍ଷ୍ୟରେ ମାର୍ଚ୍ଚ ୨୦୨୦ ଠାରୁ ରାଜ୍ୟ ମହାମାରୀ ସହ ଲଢେଇ କରୁଛି । ମଧ୍ୟମ ଅବଧିରେ ରାଜ୍ୟ ସରକାରଙ୍କ ପ୍ରାଥମିକତା ଦେଉଥିବାବେଳେ ଶୀଘ୍ର ଦାରିଦ୍ର‌୍ୟ ହ୍ରାସ, ଫସଲର ବିବିଧତା ଏବଂ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତରଣ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି, ସମସ୍ତଙ୍କୁ ପାଇପ୍ ପାନୀୟ ଜଳ ଯୋଗାଇବା, ଗୁଣାତ୍ମକ ସୁଲଭ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ବାକି ରହିଲା ।

ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ସକ୍ଷମ କରିବା, ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ପାଇଁ ଗୁଣାତ୍ମକ ଶାରୀରିକ ଭିତ୍ତିଭୂମି ଯୋଗାଇବା, ଅର୍ଥନୈତିକ କାର୍ଯ୍ୟକଳାପର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବା, ପିଏଚ୍‍ସି ସ୍ତରରେ ସ୍ୱାସ୍ଥ୍ୟ ସୁବିଧାକୁ ଆଧୁନିକୀକରଣ କରିବା ଏବଂ ରାଜ୍ୟରେ ବିଶ୍ୱ ସ୍ତରୀୟ ଡାକ୍ତରଖାନା ର୍ନିମାଣ ଏବଂ ଗ୍ରାମ ସ୍ତରରେ ପ୍ରାଥମିକ ଶିକ୍ଷା ପ୍ରତିଷ୍ଠାନରେ ଆଇଟି ସକ୍ଷମ ପ୍ଲାଟଫର୍ମ ଯୋଗାଇବା ପାଇଁ ରାଜ୍ୟ ସରକାର ମିଶନ୍ ମୋଡରେ ଅଛନ୍ତି । ଏତେସବୁ ଯୋଜନା ପାଇଁ ବଜେଟ୍‍ ପ୍ରସ୍ତୁତ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଜେଟ୍‍ ଉପରେ ରାଜ୍ୟର ଏବେ ନଜର ରହିଛି । (ତଥ୍ୟ)