Home Health ସାହା ହେଲା ଓଡ଼ିଶା-ମୋ ପରିବାର

ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: କଥାରେ ଅଛି ରଖେ ହରି ମାରେ କିଏ? ୫୭ ବର୍ଷ ବୟସ୍କ ଗରିବ ଦିନ ମଜୁରିଆ ପ୍ରଫୁଲ୍ଲ ମଲ୍ଲିକଙ୍କ କ୍ଷେତ୍ରରେ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି । ଗୁରୁତର ଅସୁସ୍ଥ ପ୍ରଫୁଲ୍ଲଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ହାତ ଟେକି ଦେଇଥିଲେ । ଚିକିତ୍ସା ପାଇଁ ପରିବାର ଲୋକଙ୍କ ହାତରେ କଉଡିଏ ନଥିଲା । ମାତ୍ର ଓଡ଼ିଶା-ମୋ ପରିବାରର ସହଯୋଗରେ ଉନ୍ନତମାନର ଚିକିତ୍ସା ପାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ ।

ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଅଞ୍ଚଳର ପ୍ରଫୁଲ୍ଲ ମଲ୍ଲିକ ଅତ୍ୟନ୍ତ ଗରିବ ଶ୍ରେଣୀର । ମୂଲ ଲାଗିଲେ ପରିବାର ପେଟକୁ ଦାନା ଆସେ । ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଚିକିତ୍ସା କରି ଔଷଧ ଖାଇବା ପାଇଁ ତାଙ୍କର ସାମର୍ଥ୍ୟ ନଥିଲା । ତେବେ ଗତ ନଭେମ୍ବର ୨୭ ତାରିଖରେ ହଠାତ୍‍ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ।

ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ପରୀକ୍ଷାରୁ ତାଙ୍କର ହାର୍ଟ, କିଡନୀ ଏବଂ ଲଙ୍ଗସ୍ ଯଥେଷ୍ଟ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲେ । ମାତ୍ର ସେଠି ବି ସମାନ ଦଶା ଭୋଗିବାକୁ ପଡ଼ିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସସିବି ଡାକ୍ତରମାନେ ମଧ୍ୟ ତାଙ୍କୁ ଫେରାଇ ଦେଇଥିଲେ ।

ତେବେ ସଙ୍କଟାପନ୍ନ ପ୍ରଫୁଲ୍ଲଙ୍କୁ ବଞ୍ଚାଇବାର ଶେଷ ଆଶା ଛାଡ଼ି ନ ଥିଲେ ତାଙ୍କ ପରିବାର ଲୋକେ । ହାତ ଉଧାର କରି ଅର୍ଥ ଯୋଗାଡ଼ କରିବାକୁ ସାହାସ ବାନ୍ଧି ନଭେମ୍ବର ୨୮ ତାରିଖରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିମ୍ସ ଡାକ୍ତରମାନେ ତାଙ୍କୁ ତ୍ୱରିତ ଉନ୍ନତମାନର ଚିକିତ୍ସା ସେବା ଦେବାରୁ ବଞ୍ଚିବାର ଆଶା ଉଜ୍ଜୀବିତ ହୋଇଥିଲା । ସେଥିପାଇଁ ଅପର୍ଯ୍ୟାପ୍ତ ପଇସାର ଆବଶ୍ୟକତା ଥିଲା । ହସ୍ପିଟାଲ୍ ବିଲ ଦେଢଲକ୍ଷରୁ ଅଧିକ ହେଲାପରେ ପ୍ରଫୁଲ୍ଲଙ୍କ ପରିବାର ମୁଣ୍ଡରେ ଚଡ଼କ ପଡ଼ିଥିଲା ।

ଅସହାୟ ପ୍ରଫୁଲ୍ଲଙ୍କୁ ସହଯୋଗର ହାତ ବଢ଼ାଇଥିଲା ଓଡ଼ିଶା-ମୋ ପରିବାର । ପ୍ରଫୁଲ୍ଲଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହେଲା ପରେ କାଳବିଳମ୍ବ ନକରି ଓଡ଼ିଶା-ମୋ ପରିବାର ଟିମ ତାଙ୍କ ଜୀବନ ରକ୍ଷା ପାଇଁ ଆଗକୁ ଆସିଥିଲେ । ପ୍ରଫୁଲ୍ଲଙ୍କୁ ତୁରନ୍ତ ସହାୟତା ଦେବାକୁ ଓଡ଼ିଶା-ମୋ ପରିବାର ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଆର୍ଥିକ ସହାୟତା ଭାବେ ତାଙ୍କୁ ଅବିଳମ୍ବେ ୧ ଲକ୍ଷ ୩୦ ହଜାର ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରଯାଇଥିଲା । ଫଳରେ ତାଙ୍କ ଚିକିତ୍ସା ଭଲରେ ହୋଇଥିଲା । ଇତିମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ । ମରଣ ମୁହଁରୁ ଫେରିଥିବା ଗରିବ ପ୍ରଫୁଲ୍ଲଙ୍କ ପରିବାର ମୁହଁରେ ଏବେ ହସ ଫୁଟିଛି । ଓଡ଼ିଶା- ମୋ ପରିବାରର ଏହି ଅମୂଲ୍ୟ ସହଯୋଗ ପାଇଁ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ପ୍ରକାଶ କରି ଧନ୍ୟବାଦ ଜଣାଇଛନ୍ତି ।