ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦି ବନ୍ଦ ଘୋଷଣା ପରେ ଏବେ ଅନ୍ଲାଇନ୍ ପାଠପଢା ପାଇଁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ହେଲେ କୋଭିଡର ଦ୍ୱିତୀୟ ଲହର ପରେ ପରେ ଘରୋଇ ଟେଲିକମ୍ ସଂସ୍ଥାମାନେ ଯେଭଳି ଭାବେ ଫୋନ୍ ଓ ଇଣ୍ଟରନେଟ୍ର ଦର ବୃଦ୍ଧି କରିଛନ୍ତି ତାହା ଅନ୍ଲାଇନ୍ ପାଠପଢା କ୍ଷେତ୍ରରେ ଅନ୍ତରାୟ ଉପୁଜାଇବ ବୋଲି କୁହାଯାଉଛି ।
ରାଷ୍ଟ୍ରାୟତ ସଂସ୍ଥା ବିଏସ୍ଏନ୍ଏଲ୍କୁ ବାଦ୍ ଦେଲେ ଅନ୍ୟ ଘରୋଇ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ଦରବୃଦ୍ଧି କରିଛନ୍ତି । ଓଡିଶାରେ ବିଏସ୍ଏନ୍ଏଲ୍ ସହିତ ରାଲାୟନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଦି ସେବା ଯୋଗାଣ କରୁଛନ୍ତି । ପୂର୍ବରୁ ଏମାନଙ୍କ ଦର ବିଏସ୍ଏନ୍ଏଲ୍ ଦର ସହିତ ପ୍ରାୟତଃ ସମାନ ରହିଥିଲା । ତେବେ କରୋନାର ଦ୍ୱିତୀୟ ଲହର ପରେ ପରେ ଘରୋଇ କମ୍ପାନୀମାନେ ଦର ବୃଦ୍ଧି କରିଛନ୍ତି ।
ଘରୋଇ କମ୍ପାନୀମାନଙ୍କ ଇଣ୍ଟରନେଟ୍ ଦରରେ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବାରୁ ଗାଁ ଗହଳର ସାଧାରଣ ଲୋକ ତ ଦୂରରକଥା ସହରର ରୋଜଗାରିଆ ଲୋକଙ୍କୁ ବି ଏହା ବାଧୁଛି । ବିଶେଷକରି ଯେଉଁମାନଙ୍କର ଅଧିକ ଇଣ୍ଟରନେଟ୍ ବ୍ୟବହାର ସେମାନେ ଏବେ ରାଷ୍ଟ୍ରାୟତ କମ୍ପାନୀ ବିଏସ୍ଏନ୍ଏଲ୍ ଆଡେ ମୁହାଁଇବା ଆରମ୍ଭ କରିଛନ୍ତି ।
ଏଭଳି ସ୍ଥିତିରେ ଗାଁ ଠୁ ସହର ଯାଏ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ପଢିବାପାଇଁ କେତେ ଅର୍ଥ ବିନିଯୋଗ କରିବେ ତାହା ବଡ ପ୍ରଶ୍ନବାଚୀ ହୋଇଛି । କାରଣ କୋଭିଡର ଦ୍ୱିତୀୟ ଲହର ସମୟରେ ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ସିଲାବସ ୩୦% ହ୍ରାସ ହୋଇଥିବାବେଳେ ସରକାର ପିଲାମାନଙ୍କୁ ୟୁଟ୍ୟୁବ ଜରିଆରେ ପାଠ ପଢାଇଥିଲେ । ଶିକ୍ଷକମାନେ ମଧ୍ୟ ଗୁଗୁଲକ୍ଲାସ, ହ୍ୱାଟ୍ସଅପ୍ ଆପ୍ ଜରିଆରେ ଭିଡିଓ କଲିଂ କରି ପାଠ ପଢାଇଥିଲେ ।
ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ୟୁଟ୍ୟୁବ, ଭିଡିଓ କଲିଂ ଆଦି କଲେ ଅପେକ୍ଷାକୃତ ଭାବେ ଅଧିକ ଇଣ୍ଟରନେଟ୍ ଆବଶ୍ୟକ ହୋଇଥାଏ । ଏଥି ସହିତ ଇଣ୍ଟରନେଟ୍ର ବେଗ ବି ଅଧିକ ରହିବା ଆବଶ୍ୟକ । ତେଣୁ ଲୋକେ ନିଜ ପାଇଁ ଯେଉଁ ଡାଟା ଆବଶ୍ୟକ କରୁଥିଲେ ପିଲାଙ୍କ ପାଇଁ ଅଧିକ ଡାଟା କିଣୁଥିଲେ । ହେଲେ ଟେଲିକମ କମ୍ପାନୀମାନେ ଯେଭଳି ଭାବେ ଦର ବୃଦ୍ଧି କରିଛନ୍ତି ତାହା ଅଭିଭାବକଙ୍କୁ ଚିନ୍ତାରେ ପକାଇଲାଣି । ୟୁଟ୍ୟୁବ କିମ୍ବା ଅନ୍ୟ ଆପ୍ ଜରିଆରେ ସିଧାସଳଖ ପଢିବାପାଇଁ ଏବେ ପିଲା ପିଛା ଅତି କମ୍ରେ ମାସକୁ ୩୦୦ ଟଙ୍କା ବ୍ୟୟ କରିବାକୁ ପଡିବ । ଏତିକି ପଇସାରେ ଘରୋଇ ଟେଲିକମ୍ କମ୍ପାନୀମାନେ ମାସକୁ ୫୦ଜିବି ଡାଟା ବି ଦେଉନାହାନ୍ତି ।
ବର୍ତ୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାରୁ ଆଗାମୀ ଦିନରେ ଛୋଟ ଛୋଟ ବ୍ୟବସାୟୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଘର ଚଳାଇବା କଷ୍ଟକର ହୋଇପଡିବ । ଏଭଳି ସ୍ଥିତିରେ ସେମାନେ ପିଲାଙ୍କୁ ବର୍ଦ୍ଧିତ ଦରରେ ଇଣ୍ଟରନେଟ୍ ଡାଟା ଖରିଦ କରି ଯୋଗାଇବା କଷ୍ଟକର ହେବ ।
ପିଲାଙ୍କ ପାଠପଢା ଲାଗି ଆବଶ୍ୟକ ଇଣ୍ଟରନେଟ୍ ଖର୍ଚ୍ଚ ଯୋଗାଇବାକୁ ସରକାର ଚିନ୍ତା କରିନଥିବା ଗତ ବିଧାନସଭାରେ କହିଥିଲେ । ତେଣୁ ଏଭଳି ତିରୋଟ ସମୟରେ ପିଲାମାନେ କିଭଳି ଅଳ୍ପ ଖର୍ଚ୍ଚ କିମ୍ବା ବିନା ଖର୍ଚ୍ଚରେ ପାଠ ପଢିବେ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)