ଭୁବନେଶ୍ୱର : ନିଶା କାରବାର ଅଭିଯୋଗରେ ୨୦୨୧ ବର୍ଷରେ ୨୮,୪୨୭ଜଣ ବନ୍ଧା ହୋଇଥିବାବେଳେ ୩୪ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ସମୟରେ ଅବକାରୀବିଭାଗ ପକ୍ଷରୁ ୧୯୨୦ଟି ଗାଡିମୋଟର ବି ଜବତ ହୋଇଛି ।
ଅବକାରୀ ବିଭାଗ ପକ୍ଷରୁ ଗତବର୍ଷ ହୋଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଅବକାରୀ ବିଭାଗର ଧରପଗଡ ଯୋଗୁଁ ୩୪,୪୩୧ଟି ମାମଲା ରୁଜୁ ହୋଇଥିବାବେଳେ ୨୮,୪୨୭ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ।
ଗତବର୍ଷ ଅବକାରୀ ବିଭାଗ ଧରପଗଡ ସମୟରେ ୮ଲକ୍ଷ ୮୧ହଜାର ଲିଟରରୁ ଅଧିଖ ଦେଶୀମଦ, ୯ଲକ୍ଷ ୨୩ହଜାରରୁ ଅଧିକ କିଲୋଗ୍ରାମର ମଦ ତିଆରି ସାମଗ୍ରୀ, ୫୬୨୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ ହୋଇଛି । ସେହିଭଳି ଟିକସ ଫାଙ୍କିଥିବା ୨୦୩୪ ଲିଟର ବିଦେଶୀ ମଦ, ୩୮୯୭ଲିଟର ସ୍ପିରିଟ୍, ୩୨ହଜାର ଲିଟର ମହୁଲି ମଦ, ୧୭,୯୨୦ଲିଟର ବିଦେଶୀମଦ, ୨୦,୯୯୨ ଲିଟର ବିୟର, ୪୮୧୮ କିଲୋ ଭାଙ୍ଗ, ୧୧,୮୪୬ କୁଇଣ୍ଟାଲ ମହୁଲ ଫୁଲ, ୧୬,୧୭୪ ଲିଟର ତାଡିକୁ ଅବକାରୀ ବିଭାଗ ଜବତ ରିଛି । ନିଶା କାରବାରରେ ସାମିଲ ଥିବା ୧୯୨୦ଟି ଗାଡିକୁ ଜବତ କରାଯାଇଛି । ଏହି ଗାଡିଗୁଡିକ ମଧ୍ୟରେ ଦୁଇ ଚକିଆ, ଅଟୋ, କାର୍ ଓ ଟ୍ରକ ଆଦି ରହିଛି ।
ସେହିଭଳି ଗତବର୍ଷ ଅବକାରୀ କର୍ତ୍ତୃପକ୍ଷ ଗଞ୍ଜେଇ, ବ୍ରାଉନସୁଗାର, ଅଫିମ ଓ କଫସିରପ ଆଦି କାରବାର ଅଭିଯୋଗରେ ୬୯୯ଟି ମାମଲା ରୁଜୁ କରିଥିବାବେଳେ ୭୮୪ଜଣଙ୍କୁ ଗିରଫ କରିଛନ୍ତି । ଏହି ବର୍ଷକ ମଧ୍ୟରେ ୩୧,୪୪୪ କିଲୋ ଗଞ୍ଜେଇ, ୧୧,୮୪୬ ଗ୍ରାମ ବ୍ରାଉନସୁଗାର, ୮ କିଲୋ ଅଫିମ ଓ ୫୮୬ ଲିଟର କଫସିରପ ଜବତ କରାଯାଇଛି । ଗତବର୍ଷ ଜବତ ହୋଇଥିବା ସାମଗ୍ରୀର ଆନୁମାନୁକ ମୂଲ୍ୟ ୧୦୫କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।
ଗତବର୍ଷ ଡିସେମ୍ବର ୧୨ତାରିଖରେ କନ୍ଧମାଳ ଅବକାରୀ କର୍ତ୍ତୃପକ୍ଷ ୧୨୫୦ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୯ ତାରିଖରେ ଗଜପତି କର୍ତ୍ତୃପକ୍ଷ ୧୯୫୦ କିଲୋଗ ଗଞ୍ଜେଇ, ମାର୍ଚ୍ଚ ୩ ରେ ବ୍ରହ୍ମପୁର ଅବକାରୀ ବିଭାଗ ୧୬୪୩ କିଲୋ, ଫେବୃୟାରୀ ୨୪ତାରିଖରେ ମାଲକାନଗିରିରୁ ୮୦୦ କିଲୋ, ଫେବୃୟାରୀ ୮ତାରିଖରେ ବଲାଙ୍ଗିରରୁ ୪୬୮ କିଲୋ, ଜାନୁୟାରୀ ୩୦ ତାରିଖରେ ବ୍ରହ୍ମପୁର ଅବକାରୀ ବିଭାଗ ୧୮୫୯ କିଲୋ ଏବଂ ଜାନୁୟାରୀ ୬ାତରିଖରେ ୯୬୧ କିଲୋ ଗଞ୍ଜେଇ ଜବତ କରିଥିଲା ।
ସେହିଭଳି ଗଞ୍ଜାମ ଅବକାରୀ ଦଳ ମଇ ମାସରେ ୯୦୦ କିଲୋ ଗଞ୍ଜେଇ ଜବତ କରିଥିବାବେଳେ ବ୍ରହ୍ମପୁର ଅବକାରୀ ବିଭାଗ ସେପ୍ଟେମ୍ବର ମାସରେ ୧୧୪୦ କିଲୋ ଗଞ୍ଜେଇ ଧରିଥିଲେ । ସେହିଭଳି ଗତ ବର୍ଷ ଅକ୍ଟୋବର ୨୨ ତାରିଖରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ବାଲେଶ୍ୱରରୁ ୨୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାବେଳେ ଏପ୍ରିଲ୍ ୬ତାରିଖରେ ୩୨୫ଗ୍ରାମ ଜବତ ହୋଇଥିଲା ।
ଅବକାରୀ ବିଭାଗ ପକ୍ଷରୁ ନକଲି ଓ ଟିକସ ଫାଙ୍କି ବିଦେଶୀ ମଦ ଉପରେ ନଜର ରଖାଯିବା ଫଳରେ ପ୍ରାୟ ଏ ସଂକ୍ରାନ୍ତୀୟ ୨୦୦ ମାମଲା ରୁଜୁ ହୋଇଛି । ଗଞ୍ଜାମ, ବ୍ରହ୍ମପୁର, କଟକ, ଖୋରଧ, କେନ୍ଦ୍ରାପଡା, ରାଉରକେଲା, ଝାରସୁଗୁଡା, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ନବରଙ୍ଗପୁର ଓ ନୟାଗଡ ଆଦି ଅଞ୍ଚଳରୁ ବିପୁଳ ପରିମାଣ ବିଦେଶୀ ମଦ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ଲେବୁଲ୍, ହୋଲୋଗ୍ରାମ, ଠିପି ଆଦି ବି ଜବତ ହୋଇଛି । (ତଥ୍ୟ)