Home Education ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁଆରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମିଟିଭ୍‌-୧ ପରୀକ୍ଷା ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକୁ ଜାନୁଆରୀ ୧୦ ତାରିଖଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଥି ପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟଗୁଡ଼ିକ ପୂର୍ବାହ୍ନ ୯ ଘଟିକାଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲାରହିବ । ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ୍‌ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ ।

ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଦ୍ୟଳୟ ଖୋଲିବା ପାଇଁ ସ୍ଥିରୀକୃତ ମାର୍ଗଦର୍ଶିକା ଜାରି କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନର ପରିବେଶକୁ ପରିଷ୍କାର ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ କୁହାଯାଇଛି ।