ଭୁବନେଶ୍ୱର : ଭାରତର ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ ବୋଲି ବିଶିଷ୍ଟବକ୍ତାମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଓଡିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଞ୍ଚଳିକ କ୍ଷେତ୍ରପଚାର ବ୍ୟୁରୋ ପକ୍ଷରୁ ଆଜି ଆୟୋଜିତ ୱେବିନାରରେ ଏହି ମତ ପ୍ରକାଶ ପାଇଛି ।
ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ତପନ କୁମାର ମିଶ୍ର ସ୍ୱାଧୀନତା ସଂଗ୍ରାମରେ ଓଡିଶା ମୁଖ୍ୟତଃ ପାଞ୍ଚଟି ପର୍ଯ୍ୟାୟରେ ଗତି କରିଥିଲା ବୋଲି କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜୟୀରାଜଗୁରୁ, ଦ୍ୱିତୀୟ ପର୍ଯ୍ୟାରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ, ତୃତୀୟ ପର୍ଯ୍ୟାୟ ସିପାହୀ ବିଦ୍ରୋହ ଓ ଚନ୍ଦନ ହଜୁରୀଙ୍କ ଅବଦାନ, ଚତୁର୍ଥରେ କେନ୍ଦୁଝର ଭୂୟାଁ ମେଳି ଓ ପଞ୍ଚମରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସଂଗ୍ରାମ । ତେବେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନତା ସଂଗ୍ରାମ ଓଡିଶାରେ ଅଧିକ ଲୋକାଭିମୁଖୀ ହୋଇଥିଲା ବୋଲି ସେ କହିଛନ୍ତି ।
ଅନ୍ୟତମ ବକ୍ତାଭାବେ ଯୋଗଦେଇ ମହାରାଷ୍ଟ୍ରର ସହାୟକ ପ୍ରଫେସର ବାବା ସାହେବ କାମ୍ବଲେ ମହାରାଷ୍ଟ୍ରରେ ଇଷ୍ଟଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଆଦିବାସୀମାନଙ୍କ ଦ୍ୱାରା ପ୍ରଥମ ବିଦ୍ରୋହ ହୋଇଥିଲେ ମଧ୍ୟ ପରବର୍ତୀ କାଳରେ ସଂଗ୍ରାମ ନରମପନ୍ଥୀ, ଚରମପନ୍ଥୀ, ବିପ୍ଳବୀ ଓ ଗାନ୍ଧୀଙ୍କ ନେତୃତ୍ୱରେ ଏହା ହୋଇଥିଲା ବୋଲି କହିଛନ୍ତି । ନରମପନ୍ଥୀମାନେ ୧୮୮୫ରୁ ୧୯୦୫ ମଧ୍ୟରେ ଆର୍ଥିକ ଶୋଷଣକୁ ଆଧାର କରି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିଥିବାବେଳେ ୧୯୦୫ରୁ ୧୯୨୦ମଧ୍ୟରେ ଲାଲ-ବାଲ୍-ପାଲ୍ ନେତୃତ୍ୱାଧୀନ ସ୍ୱରାଜ ଆନ୍ଦୋଳନ ଓ ୧୯୨୦-୩୦ମଧ୍ୟରେ ବୀର ସାଭରକରଙ୍କ ଭଳି ବିପ୍ଳବୀମାନଙ୍କ ଇଂରେଜ ଶାସନ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଓ ୧୯୩୦ରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଆଇନ ଆମାନ୍ୟ ଆନ୍ଦୋଳନ ଇତ୍ୟାଦି ସହ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ଭାରତ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଆୟୁଧ ପାଲଟି ଥିଲା ।
ଆଲୋଚନାରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର କୁମାର ଚୌଧୁରୀ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆନ୍ତଃ-ରାଜ୍ୟ ସମ୍ପର୍କ ଜାତୀୟ ବିକାଶରେ ସହାୟକ ବୋଲି କହିଥିଲେ । ଏଥିରେ ସେ ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କର ସ୍ମୃତିଚାରଣ କରିଥିଲେ । ଆଞ୍ଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ଦୁଇ ରାଜ୍ୟର ସମ୍ପର୍କ ତଥା ମିଲେଟ ମିଶନର ଉଦାହରଣ ଦେଇଥିଲେ ।
ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ଦୀପ ଜଏ ମାମ୍ପାଁଲୀ ଧନ୍ୟବାଦ ଅର୍ପଣ କରିଥିବାବେଳେ, ଭୁବନେଶ୍ୱର ପତ୍ରସୂଚନା କାର୍ଯ୍ୟାଳୟ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ ।