Home General ଦୁଇ ଗୁଣ ବଢିଲା ବାଣୀଶ୍ରୀ ଛାତ୍ରବୃତ୍ତି

ଦୁଇ ଗୁଣ ବଢିଲା ବାଣୀଶ୍ରୀ ଛାତ୍ରବୃତ୍ତି

ଭୁବନେଶ୍ୱର : ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଏଣିକି ବର୍ଦ୍ଧିତ ହାରରେ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ରାଜ୍ୟର ପ୍ରାୟ ୨୩ ହଜାର ୬ ଶହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ବର୍ଦ୍ଧିତ ବୃତ୍ତି ପାଇବେ । ସେ କହିଛନ୍ତି ଯେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବାଣୀଶ୍ରୀ ଛାତ୍ରବୃତ୍ତି ବୃଦ୍ଧି ହେବା ଫଳରେ ସେମାନେ ଶିକ୍ଷା କ୍ଷେତ୍ରରେ ଅଧିକ ଉପକୃତ ହୋଇପାରିବେ ।

ଛାତ୍ରବୃତ୍ତି ପରିମାଣ ବଢ଼ିବା ଫଳରେ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଏବେ ୨ ଶହ ଟଙ୍କା ପରିବର୍ତ୍ତେ ୪୦୦ ଟଙ୍କା ମିଳିବ । ଷଷ୍ଠରୁ ଦଶମ ଶ୍ରେଣୀର ପିଲାମାନଙ୍କ ବାଣୀଶ୍ରୀ ବୃତ୍ତି ୨୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଯୁକ୍ତ-୨ ଓ ଯୁକ୍ତ-୩ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୃତ୍ତି ୩ ଶହରୁ ୬ ଶହ ଟଙ୍କାକୁ ଓ ସ୍ନାତକୋତ୍ତର ତଥା ବୈଷୟିକ ଧନ୍ଦାମୂଳକ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ବୃତ୍ତି ୩୫୦ ଟଙ୍କାରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟ ବାହାରେ ଜେନେରାଲ/ବୈଷୟିକ/ଧନ୍ଦାମୂଳକ ଶିକ୍ଷା ନେଉଥିବା ସମସ୍ତ ଶ୍ରେଣୀର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ୩୫୦ ଟଙ୍କା ବୃତ୍ତିକୁ ବଢ଼ାଇ ୭୦୦ ଟଙ୍କା କରାଯାଇଛି ।

ଅନୁରୂପ ଭାବରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ରିଡର୍ସ ଆଲାଉନ୍ସ ମଧ୍ୟ ବୃଦ୍ଧି କରାଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କ ପାଇଁ ୨୦୦ ଟଙ୍କା, ମାଧ୍ୟମିକ ଶ୍ରେଣୀ ପିଲାଙ୍କ ପାଇଁ ୩୦୦ ଟଙ୍କା ଏବଂ ଅନ୍ୟ ଶ୍ରେଣୀଗୁଡ଼ିକରେ ପଢ଼ୁଥିବା ପିଲାମାନଙ୍କୁ ୪୦୦ ଟଙ୍କା ରିଡର୍ସ ଆଲାଉନ୍ସ ମିଳିବ । ଏହା ପୂର୍ବରୁ ଯଥାକ୍ରମେ ୧୦୦ ଟଙ୍କା, ୧୫୦ ଟଙ୍କା ଓ ୨୦୦ ଟଙ୍କା ରହିଥିଲା । ଶାରୀରିକ ପ୍ରତିବନ୍ଧକ ଥିବା ଛାତ୍ରଛାତ୍ରୀମାନଙ୍କୁ ପରିବହନ ଆଲାଉନ୍ସ ୧୦୦ ଟଙ୍କା ମିଳୁଥିବାବେଳେ ତାହା ବୃଦ୍ଧି କରାଯାଇ ୨୦୦ ଟଙ୍କା ରଖାଯାଇଛି ।

ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବାଣୀଶ୍ରୀ ବୃତ୍ତି ପାଇବା ନିମନ୍ତେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ପୂର୍ବରୁ ରହିଥିବା ପରିବାର/ଅଭିଭାବକଙ୍କ ବାର୍ଷିକ ଆୟସୀମା ୬୦ ହଜାର ଟଙ୍କା ଥିବାବେଳେ ଏବେ ତାହା ଉଠାଇ ଦିଆଯାଇଛି । କିନ୍ତୁ ଆବେଦନ ସମୟରେ ଅଭିଭାବକମାନେ ବାର୍ଷିକ ଆୟ ବାବଦରେ କେବଳ ଏକ ଅଣ୍ଡରଟେକିଂ ପ୍ରଦାନ କରିବେ ।