ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ଚିକିତ୍ସା ମୂଲ୍ୟାଙ୍କନ ବୋର୍ଡ (ମେଡିକାଲ ଆସେସ୍ମେଣ୍ଟ ବୋର୍ଡ)ର ପୁନର୍ଗଠନ କରାଯାଇଛି । ଏହି ବୋର୍ଡଗୁଡ଼ିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅପିଲ୍ ପ୍ରାଧିକରଣଙ୍କୁ ସହାୟତା ଦେବେ । ଭିନ୍ନକ୍ଷମ ପ୍ରମାଣପତ୍ରର ସମୀକ୍ଷା ଓ ପୁନଃଆକଳନ ପାଇଁ ବୋର୍ଡଗୁଡ଼ିକ କାର୍ଯ୍ୟକରିବେ ।
ଫକୀର ମୋହନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ (ବାଲେଶ୍ୱର) ଅଧୀନରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ରହିଥିବାବେଳେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଏମ୍କେସିଜି ମେଡିକାଲ୍ କଲେଜ୍ (ବ୍ରହ୍ମପୁର) ଅଧୀନରେ ରହିବେ । ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ବଲାଙ୍ଗୀରସ୍ଥିତ ସନ୍ଥକବି ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଅଧୀନରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ରଖାଯାଇଛି ।
ଅନୁରୂପ ଭାବରେ କଟକ, ଢେଙ୍କାନାଳ, ଅନୁଗୋଳ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଏସ୍ସିବି ମେଡିକାଲ୍ କଲେଜ (କଟକ) ଅଧୀନରେ ରହିଛନ୍ତି । କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଅଧୀନରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାକୁ ରଖାଯାଇଥିବାବେଳେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଓ ହସ୍ପିଟାଲ୍ ଅଧୀନସ୍ଥ କରାଯାଇଛି । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାକୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ଗବେଷଣା ପ୍ରତିଷ୍ଠାନର ଅନ୍ତର୍ଭୁକ୍ତ କରାଯାଇଛି ।
ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା ତଥା ଅନ୍ୟାନ୍ୟ କର୍ତ୍ତୃପକ୍ଷ ଅପିଲ୍ ପ୍ରାଧିକରଣଙ୍କୁ ସୂଚନା ଦେବା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ବାବଦରେ ସଂପୃକ୍ତ ମେଡିକାଲ ଆସେସ୍ମେଣ୍ଟ ବୋର୍ଡଗୁଡ଼ିକୁ ଆବେଦନ କରିପାରିବେ । ପ୍ରମାଣପତ୍ରଗୁଡ଼ିକର ବିସ୍ତୃତ ତନଖି/ପୁନଃଆକଳନ ରିପୋର୍ଟ ଏବଂ ଫଳାଫଳ ସିଧାସଳଖ ନିଯୁକ୍ତିଦାତା ସଂସ୍ଥାଗୁଡ଼ିକୁ ବୋର୍ଡ ପକ୍ଷରୁ ପ୍ରଦାନ କରାଯିବ ।
ଭିନ୍ନକ୍ଷମ ପ୍ରମାଣପତ୍ରରେ ଥିବା ଅନିୟମିତତା ବା ଠକାମି ଦର୍ଶାଇ ସୁବିଧା ପାଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ସକାଶେ ସଂପୃକ୍ତ ମେଡିକାଲ୍ କଲେଜ୍ର ସୁପିରଟେଣ୍ଡେଣ୍ଟ ଅନିୟମିତତା ବାବଦରେ ତନଖି/ପୁନଃଆକଳନ କରି ଅପିଲ୍ ପ୍ରାଧିକରଣଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରିପୋର୍ଟ ପ୍ରଦାନ କରିବେ ।