ଭୁବନେଶ୍ୱର : ରାଜ୍ୟରେ ୩୩୫ଟି ସ୍ଥାନକୁ ଦୁର୍ଘଟଣା ପ୍ରବଣ ବା ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ ସର୍ବାଧିକ ୧୪୮ଟି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଅଧିନରେ ଥିବା ରାସ୍ତାରେ ରହିଛି ।
ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଗତ ୫ବର୍ଷ ଅର୍ଥାତ ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି । ସଡକର କୌଣସି ସ୍ଥାନରେ ୩ବର୍ଷରେ ୫୦୦ ମିଟର ଅଞ୍ଚଳରେ ୫ଟି ଦୁର୍ଘଟଣା କିମ୍ବା ୧୦ଟି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ସେହି ସ୍ଥାନକୁ ବ୍ଲାକ ସ୍ପଟ କୁହାଯାଏ ।
ତଦନୁଯାୟୀ ୨୦୧୫ ମସିହାରେ ରାଜ୍ୟରେ ୨୫୧ଟି ବ୍ଲାକ ସ୍ପଟ ଚିହ୍ନିତ ହୋଇଥିବାବେଳେ ୨୦୧୬ରେ ଏହା ୨୮୬, ୨୦୧୭ରେ ୪୩୫, ୨୦୧୮ରେ ୨୭୫ ଓ ୨୦୧୯ରେ ଏହା ୩୩୫ରେ ପହଞ୍ଚିଛି । ଏହି ୩୩୫ଟି ବ୍ଲାକ ସ୍ପଟ ମଧ୍ୟରୁ ସର୍ବାଧିକ ୩୪ଟି କଟକ ଜିଲ୍ଲାରେ ଥିବାବେଳେ ଖୋରଧା ଓ ଅନୁଗୁଳରେ ୨୯ଟି କରି, ରାଉରକେଲାରେ ୨୮, ଗଞ୍ଜାମରେ ୨୬, ନୟାଗଡରେ ୨୪, ଯାଜପୁରରେ ୨୩, କୋରାପୁଟରେ ୧୬, ମୟୁରଭଞ୍ଜ ଓ ପୁରୀରେ ୧୩ଟି କରି, କଳାହାଣ୍ଡିରେ ୧୧, ସମ୍ବଲପୁରରେ ୧୦ ଟି ରହିଛି । ଅନ୍ୟ ଜିଲ୍ଲାରେ ଏହା ଏକ ଅଙ୍କରେ ସୀମିତ ଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।