ଭୁବନେଶ୍ୱର : ବିଶ୍ୱ ସ୍ତରରେ ୨୦୩୦ ଏବଂ ଏହାର ୫ ବର୍ଷ ପୂର୍ବରୁ ଦେଶରେ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ କୋଭିଡ-୧୯ ମହାମାରୀ ଏ କ୍ଷେତ୍ରରେ ବାଧା ସୃଷ୍ଟି କରିଛି । ଫଳରେ ଦେଶରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ହ୍ରାସ ପାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୧ ରିପୋର୍ଟ ଅନୁଯାୟୀ ୨୦୧୯ ଏବଂ ୨୦୨୦ ମଧ୍ୟରେ ଭାରତରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ୪୧ ପ୍ରତିଶତ କମିଛି । ଅର୍ଥାତ୍ ଯକ୍ଷ୍ମା ପରୀକ୍ଷା ଏବଂ ରୋଗୀଙ୍କୁ ଖୋଜି ବାହାର କରିବାର ସମସ୍ତ କଷ୍ଟସାଧ୍ୟ ଉଦ୍ୟମ ନଷ୍ଟ ହୋଇଛି ବୋଲି ବୁଧବାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆୟୋଜିତ ଏକ ଆଲୋଚନାରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଯକ୍ଷ୍ମା ପରୀକ୍ଷା ଏବଂ ଚିକିତ୍ସା ନେଇ ତଥ୍ୟ ପ୍ରସ୍ତୁତ କରିବା କ୍ଷେତ୍ରରେ ନିୟୋଜିତ ସରକାରୀ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ସମସ୍ତ ସରକାରୀ, ବେସରକାରୀ, ଏନ୍ଜିଓ ଓ ବ୍ୟକ୍ତିଗତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଯକ୍ଷ୍ମା ରୋଗକୁ ଚିହ୍ନଟ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଜରୁରୀ ବୋଲି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଇ. ଭେଙ୍କଟରାଓ କହିଛନ୍ତି ।
“ଯକ୍ଷ୍ମା ରୋଗ ନିମନ୍ତେ ସେବା ପ୍ରଦାନ କରୁଥିବା ଘରୋଇ ସଂସ୍ଥାଗୁଡ଼ିକୁ ସଚେତନ କରିବା ଆବଶ୍ୟକତା” ଶୀର୍ଷକ ଆଲୋଚନା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସେଂଟର ଫର କାଟାଲାଇଜିଙ୍ଗ ଚେଞ୍ଜ (ସିଥ୍ରୀ)ର ମିଳିତ ସହଭାଗିତାରେ ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ଆଇଏମ୍ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ବକ୍ତବ୍ୟ ରଖିଥିଲେ ।
ଘରୋଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୋଗର ଚିହ୍ନଟ ନେଇ ଦୁର୍ବଳ ଉଦ୍ୟମ ଯୋଗୁଁ ରୋଗ ବିଷୟରେ ପ୍ରକୃତ ସୂଚନା ମିଳିପାରୁ ନାହିଁ ବୋଲି ପ୍ରଫେସର ରାଓ କହିଥିଲେ ।
ଭାରତରେ ପ୍ରତ୍ୟେକ ୩ ମିନିଟରେ ଦୁଇ ଜଣ ଯକ୍ଷ୍ମାଜନିତ ରୋଗ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି (ଅର୍ଥାତ୍ ପ୍ରତ୍ୟେକ ଦିନ ଅନ୍ୟୁନ୍ୟ ୧୪୦୦ ମୃତ୍ୟୁ) । ଦେଶରେ ସାରା ବିଶ୍ୱର ୩୦ ପ୍ରତିଶତ ଅର୍ଥାତ୍ ସର୍ବାଧିକ ୨.୬୪ ମିଲିୟନ୍ ଟିବି ରୋଗୀ ଅଛନ୍ତି ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଜେନେରାଲ୍ ମେଡିସିନ ବିଭାଗର ଡାକ୍ତର ସନ୍ତୋଷ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ।
ପଲମୁନାରୀ ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରିୟଦର୍ଶିନୀ ବେହେରା ନ୍ୟାସ୍ନାଲ୍ ଟ୍ୟୁବରକୁଲୋସିସ୍ ଏଲିମିନେସନ୍ ପ୍ରୋଗ୍ରାମ୍ (ଏନ୍ଟିଇପି)ର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ପ୍ରଫେସର ରାଓ କହିଥିଲେ ଯେ ବେସରକାରୀ ଭାବେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ସେମାନଙ୍କ ଠାରୁ ତଥ୍ୟ ଗ୍ରହଣ କରି ଏବଂ ପରୀକ୍ଷା ଏବଂ ଔଷଧ ପ୍ରଦାନରେ ସେମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଓ ସମସ୍ତ ରୋଗୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇବା ଦ୍ୱାରା ଏହି କାର୍ଯ୍ୟଧାରା ସଫଳ ହୋଇପାରିବ ବୋଲି ଏନ୍ଟିଇପି ମତ ଦେଇଛି । ଏହି ବେସରକାରୀ ଚିକିତ୍ସକ ଓ ଅନୁଷ୍ଠାନ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ସଠିକ୍ ଭାବେ ନ କଲେ ଆଇନ୍ର ଆଶ୍ରୟ ମଧ୍ୟ ନିଆଯାଇପାରେ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସିଥ୍ରୀର ରାଜ୍ୟ ମୁଖ୍ୟ ଶ୍ରୀ ଅଶୋକ ନାୟକ ଏବଂ ପ୍ରୋଗ୍ରାମ ଅଫିସର ଶ୍ରୀ ବିଭୁତି ଭୂଷଣ ପ୍ରଧାନ ମଧ୍ୟ ବକ୍ତବ୍ୟ ରଖିଥିଲେ ।