ଭୁବନେଶ୍ୱର : ମହିଳାମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ କିସମର ଅପରାଧ ଓ ଏ ସଂକ୍ରାନ୍ତୀୟ ମାମଲା ଯେଭଳି ଭାବରେ ବଢ଼ି ଚାଲିଛି ତାହାର ଚାପ ଗଣତନ୍ତ୍ରର ତିନୋଟି ଯାକ ସ୍ତମ୍ଭ ସମ୍ଭାଳିବା ମୁସ୍କିଲ ହୋଇପଡିବ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅପରାଧ ବଢ଼ି ଚାଲିଥିବା ବେଳେ ଏ କ୍ଷେତ୍ରରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ରହୁଛି ଏବଂ ମାମଲାର ବିଳମ୍ବିତ ବିଚାର ପୀଡିତାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି ।
ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଦେଶର ଅପରାଧ ସଂକ୍ରାନ୍ତୀୟ ବାର୍ଷିକ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତବର୍ଷ ସମଗ୍ର ଦେଶରେ ୨୮,୦୪୬ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା ବେଳେ ଏଥିମଧ୍ୟରେ ଓଡ଼ିଶାର ରହିଛି ୧୨୧୧ଟି ମାମଲା । ରାଜସ୍ଥାନ ଭଳି ରାଜ୍ୟରେ ୫୩୧୦ଟି ବଳାତ୍କାର ମାମଲା ପୋଲିସ ରୁଜୁ କରିଥିବା ବେଳେ ଉତ୍ତର ପ୍ରଦେଶରେ ୨୭୬୯, ମଧ୍ୟପ୍ରଦେଶରେ ୨୩୩୯, ମହାରାଷ୍ଟ୍ରରେ ୨୦୬୧, ଝାଡଖଣ୍ଡରେ ୧୩୨୧, ହରିଆଣାରେ ୧୩୭୩, ଛତିଶଗଡରେ ୧୨୧୦ ଓ ଆସାମରେ ୧୬୫୭ଟି ବଳାତ୍କାର ମାମଲା ଦରଜ ହୋଇଥିଲା । ଅନ୍ୟସବୁ ରାଜ୍ୟରେ ଦରଜ ହୋଇଥିବା ଏ କିସମର ମାମଲା ସଂଖ୍ୟା ଓଡ଼ିଶାଠାରୁ କମ୍ ।
ସେହିଭଳି କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ୨୦୨୦ ବର୍ଷରେ ୩୭୪୧ଟି ବଳାତ୍କାର ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ଏଥିମଧ୍ୟରେ ରହିଛି ଓଡ଼ିଶାର ୧୪୪ଟି ମାମଲା । ତେବେ ଏ କ୍ଷେତ୍ରରେ ପଶ୍ଚିମବଙ୍ଗରେ ୮୭୨, ରାଜସ୍ଥାନରେ ୯୬୫, ଆସାମରେ ୪୮୫, ଉତ୍ତର ପ୍ରଦେଶରେ ୨୫୧, ହରିଆଣାରେ ୨୧୫, ଝାଡଖଣ୍ଡରେ ୧୮୮ଟି ମାମଲା ରୁଜୁ ହୋଇଥିଲା । ଅନ୍ୟସବୁ ରାଜ୍ୟରେ ବଳାତ୍କାର ଉଦ୍ୟମ ମାମଲା ସଂଖ୍ୟା ଓଡ଼ିଶାଠାରୁ କମ୍ ଥିଲା ।
ମୋଟାମୋଟି ଭାବେ ଗତବର୍ଷ ସୁଦ୍ଧା ସାରା ଦେଶରେ ୧୮,୭୩,୫୦୫ଟି ନାରୀମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧିକ ମାମଲା ବିଚାରାଧୀନ ଥିବାବେଳେ ସେଥିରୁ ମାତ୍ର ୮୩,୯୦୪ଟି ଫଏସଲା ହୋଇଥିଲା ଓ ଏଥିମଧ୍ୟରୁ ୪୬,୬୭୩ଟିରେ ଆସାମୀମାନେ ଖସି ଯାଇଥିଲେ । ଗତବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ଏ ସଂକ୍ରାନ୍ତୀୟ ୧,୩୬,୮୮୪ଟି ମାମଲା ବିଚାର ପାଇଁ ଥିବାବେଳେ ସେଥିରୁ ମାତ୍ର ୧୫୭୧ଟି ଫଏସଲା ହୋଇଥିଲା ଓ ସେଥିଭିତରୁ ମୋଟେ ୧୪୪ଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିଲା ।
ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାଗୁଡିକରେ ଗତବର୍ଷ ଜାତୀୟସ୍ତରରେ ଦଣ୍ଡବିଧାନ ହାର ୨୯.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ଥିଲା ମାତ୍ର ୯.୨ ପ୍ରତିଶତ । ତେବେ ଏ କିସମର ମୋଟ ମାମଲାର ମାତ୍ର ୪.୫ ପ୍ରତିଶତ ସାରା ଦେଶରେ ଫଏସଲା ହୋଇଥିବା ବେଳେ ଓଡ଼ିଶାରେ ଫଏସଲା ହାର ଥିଲା ୧.୧ ପ୍ରତିଶତ ।
ସବୁଠାରୁ ଉଦ୍ବେଗଜନକ କଥା ହେଉଛି ବଳାତ୍କାର ଓ ଗଣବଳାତ୍କାର ପରେ ହତ୍ୟା ଭଳି ୯୩୬ଟି ମାମଲା ଗତବର୍ଷ ଶେଷ ସୁଦ୍ଧା ସାରା ଦେଶରେ ବିଚାରାଧୀନ ଥିଲା ଓ ସେଥିମଧ୍ୟରୁ ବର୍ଷକ ଭିତରେ ମୋଟେ ୨୯ଟି ମାମଲା ଫଏସଲା କରାଯାଇଥିଲା, ଯେଉଁଥିରୁ ମାତ୍ର ୧୭ଟିରେ ଦଣ୍ଡବିଧାନ କରିବାକୁ ଆମ ଦେଶର ଆଇନ ବ୍ୟବସ୍ଥା ସକ୍ଷମ ହୋଇଥିଲା । ଏଭଳି ସମ୍ବେଦନଶୀଳ ମାମଲାର ଫଏସଲା ହାର ମାତ୍ର ୩.୧ ପ୍ରତିଶତ ।
ଆଇନ ବିଶେଷଜ୍ଞ ଓ ସମାଜଶାସ୍ତ୍ରୀମାନେ କହୁଛନ୍ତି ଯେ ବ୍ୟବସ୍ଥାର ଅଧପତନ ଯୋଗୁଁ ଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗିଡି ସାଧାରଣ ଲୋକଙ୍କ ଧନଜୀବନ ବିଶେଷକରି ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସିପାହୀ ବିଦ୍ରୋହ ପରେ ୧୮୬୦-୬୧ ବେଳକୁ ତିଆରି କରାଯାଇଥିବା ପୋଲିସ ଆଇନ ଓ ପିଙ୍ଗଳ କୋଡ୍ ଏହାକୁ ସମ୍ଭାଳିବାରେ ବ୍ୟର୍ଥ ହେଉଥିବା ବେଳେ ନ୍ୟାୟାଳୟରୁ ବି ତ୍ୱରିତ ନ୍ୟାୟ ନ ମିଳିବା ପୀଡିତାମାନଙ୍କ କଟା ଘା’ରେ ଚୂନ ଭଳି ହେଉଛି । (ତଥ୍ୟ)