ଭୁବନେଶ୍ୱର : ଅବକାରୀ କାରବାରରେ ଲିପ୍ତ ଲୋକଙ୍କ ଗିରଫଦାରୀ ସଂଖ୍ୟା ବର୍ଷକରେ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି । ୨୦୨୦-୨୧ ବର୍ଷରେ ଏପ୍ରିଲ୍ରୁ ଅକ୍ଟୋବର ମଧ୍ୟରେ ୧୪୨ ଜଣ ଗିରଫ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହି ସମୟରେ ଗିରଫଦାରୀ ସଂଖ୍ୟା ୪୪୮ରେ ପହଞ୍ଚିଛି ।
ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ୍ ଅବକାରୀ କାରବାର ଉପରେ ରୋକ ଲଗାଇବାପାଇଁ କ୍ଷେତ୍ର ସ୍ତରୀୟ ଅଧିକାରୀ ଓ ଅବକାରୀ ଗୁଇନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଚଢଉ ଜୋରଦାର ସହିତ ସାମଗ୍ରୀ ଜବତ ଓ ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିିଛି । ସୂଚନା ଅନୁଯାୟୀ ୨୦୨୦-୨୧ ବର୍ଷର ପ୍ରଥମ ସାତମାସ ଅର୍ଥାତ୍ ଏପ୍ରିଲ୍ରୁ ଅକ୍ଟୋବର ମଧ୍ୟରେ ୧୧୬ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଏହି ସମୟରେ ମାମଲା ସଂଖ୍ୟା ୩୭୭ରେ ପହଞ୍ଚିଛି । ସେହିଭଳି ଗତ ଆର୍ଥିକ ବର୍ଷରେ ମାତ୍ର ୩୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାବେଳେ ଚଳିତବର୍ଷ ତାହା ୧୪୬ କୁଇଣ୍ଟାଲକୁ ଟପିଯାଇଛି । ଜବତ ବ୍ରାଉନସୁଗାର ପରିମାଣ ୬୦୭ ଗ୍ରାମରୁ ବଢି ୮କିଲୋକୁ ଟପିଯାଇଛି ।
ତେବେ ଚଳିତ ବର୍ଷ ଅବକାରୀ ବିଭାଗର ଅନ୍ୟଏକ ସଫଳତା ହେଉଛି ୫୧୯ ଲିଟର କଫ ସିରପ ଜବତ । ଗତବର୍ଷ ଅବକାରୀ ବିଭାଗ ଗୋଟିଏ ହେଲେ ଲିଟର ଜବତ କରିନଥିବାବେଳେ ଚଳିତବର୍ଷ ଏତେ ବିପୁଳ ପରିମାଣର କଫସିରପ ଜବତର ଶ୍ରେୟ ଅବକାରୀ ଗୁଇନ୍ଦା ଓ ଅବକାରୀ ସ୍କ୍ୱାଡ୍କୁ ଯାଇଛି । କାରଣ ଗୁଇନ୍ଦା ସୂଚନା ଆଧାରରେ ହିଁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଏତେ ବିପୁଳ ପରିମାଣର କଫସିରପ ଜବତରେ ସଫଳ ହୋଇଛନ୍ତି ।
ସେହିଭଳି ଚଳିତ ବର୍ଷ ବିପୁଳ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଜବତରେ ଅବକାରୀ ବିଭାଗ ସଫଳ ହୋଇଛି । ଏହାର ବଡ ଉଦାହରଣ ହୋଇଛି ବାଲେଶ୍ୱର ଜିଲ୍ଲାରୁ ଦୁଇ ସ୍ଥାନରୁ ଚଢଉରେ ୩କୋଟି ୬୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା । ଜଳେଶ୍ୱରରୁ ୧.୫ କିଲୋ ବ୍ରାଉନସୁଗାର ଜବତ ହୋଇଥିବାବେଳେ ବସ୍ତାଥାନା ଅଞ୍ଚଳରୁ ୨.୧ କିଲୋ ଜବତ ହୋଇଛି ।
ସେହିଭଳି ବ୍ରହ୍ମପୁର ଅବକାରୀ ଜିଲ୍ଲାର ଅଧିକାରୀମାନେ ୧୨୫୦ କିଲୋ ଗଞ୍ଜେଇ ଜବତ କରିଥିଲେ ଯାହାର ମୂଲ୍ୟ ୬୨ଲକ୍ଷ ୫୦ହଜାର ଟଙ୍କା ହେବ । ସେହଭଳି କୋରାପୁଟ ଜିଲ୍ଲାରୁ ୮୪୦ କିଲୋ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୪୨ଲକ୍ଷ ଟଙ୍କା । ଅବକାରୀ ଚାଲାଣକାରୀମାନେ ଗଞ୍ଜେଇକୁ କଦଳୀ ଓ କଖାରୁ ଭର୍ତ୍ତି ଟ୍ରକରେ ଚାଲାଣ କରୁଥିବାବେଳେ ଅବକାରୀ ସ୍କ୍ୱାଡ୍ ଅତି ସତର୍କତାର ସହ ଏମାନଙ୍କୁ ଧରିଥିଲା । ଅବକାରୀ ଗୁଇନ୍ଦା ବିଭାଗର ସକ୍ରିୟତା ଯୋଗୁଁ ଏତେ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।
ବର୍ତ୍ତମାନ ସମଗ୍ର ରାଜ୍ୟରେ ବେଆଇନ୍ ନିଶା ବେପାରୀମାନେ ସକ୍ରିୟ ହୋଇ ଉଠିଥିବାବେଳେ ସେମାନଙ୍କ ମୂଳୋତ୍ପାଟନ ପାଇଁ ଅବକାରୀ ବିଭାଗ ଅଣ୍ଟା ଭିଡିଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ କ୍ଷେତ୍ର ସ୍ତରୀୟ ଅଧିକାରୀମାନେ ସୋମନଙ୍କ ସେମାନଙ୍କ ଶତ ପ୍ରତିଶତ ଶକ୍ତି ପ୍ରଦର୍ଶନ କରିବାକୁ କୁହାଯିବା ସହିତ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇଛି । ଯାହା ଫଳରେ ରାଜ୍ୟରେ ଅବକାରୀ ସାମଗ୍ରୀ ଜବତ ଓ ଗିରଫଦାରୀ ବଢୁଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଢିବା ସହିତ ରାଜ୍ୟରେ ନିଶା କାରବାର ହ୍ରାସ ପାଇବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)