Home General ଭିକାରୀ ମୁକ୍ତ ହୋଇ ପାରୁନି ପୌରାଞ୍ଚଳ

ଭିକାରୀ ମୁକ୍ତ ହୋଇ ପାରୁନି ପୌରାଞ୍ଚଳ

ଭୁବନେଶ୍ୱର : ରାଜ୍ୟର ମହାନଗର ନିଗମ ସମେତ ସମସ୍ତ ପୌରାଞ୍ଚଳକୁ ଭିକାରୀମୁକ୍ତ କରାଯାଇ ପାରୁନାହିଁ । ଏପରିକି ସହରାଞ୍ଚଳରେ ଥିବା ଭିକାରୀ, ବୃଦ୍ଧ, ଅସହାୟ, ଶାରିରୀକ ଅକ୍ଷମମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ହୋଇଥିବା ନିଷ୍ପତ୍ତି ବି କାର୍ଯ୍ୟକାରୀ ହୋଇନାହିଁ ।

ନିକଟରେ ସହରାଞ୍ଚଳରେ ଆଶ୍ରୟସ୍ଥଳ ସଂକ୍ରାନ୍ତରେ ହୋଇଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । ଚଳିତବର୍ଷ ଏପ୍ରିଲମାସରେ ବସିଥିବା ବୈଠକରେ ସହରାଞ୍ଚଳକୁ ଭିକାରୀମୁକ୍ତ ପାଇଁ ନିଷ୍ପତ୍ତି ହୋଇଥିଲା । ଏଥି ସହିତ ଅସହାୟ, ଭିନ୍ନକ୍ଷମ ଓ ଭିକ୍ଷୁକମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ କୁହାଯାଇଥିଲା । ତେବେ କୌଣସି କାରଣ ପାଇଁ ଏହା ସମସ୍ତ ପୌରାଞ୍ଚଳରେ କାର୍ଯ୍ୟକାରୀ ହୋଇପାରିନାହିଁ ।

ଅନ୍ୟ ପକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ସହରକୁ ଭିକାରୀମୁକ୍ତ କରିବାପାଇଁ ‘ସହାୟ’ ନାମରେ କାର୍ଯ୍ୟକ୍ରମ ଚଳାଇଥିଲେ ମଧ୍ୟ ଏବେ ବି ସହରର ବିଭିନ୍ନ ସ୍ଥାନରେ ଭିକାରୀମାନଙ୍କୁ ଦେଖିବାକୁ ମିଳୁଛି । ସହରର ଗଳିକନ୍ଦି ନୁହେଁ, ବରଂ ରାଜରାସ୍ତାର ବିଭିନ୍ନ ଛକ ସ୍ଥାନମାନଙ୍କରେ ପିଲାଙ୍କ ଠାରୁ ବୟସ୍କମାନେ ହାତ ପତାଉଛନ୍ତି । ଭିକ ମାଗିବାପାଇଁ ସେମାନେ ବିଭିନ୍ନ ପ୍ରକାର କୌଶଳ ଆପଣଉଥିବାରୁ ସେମାନଙ୍କୁ ସହଜରେ ଠାବ କରାଯାଇ ପାରୁନାହିଁ ।

ସହରର ପ୍ରମୁଖ ଛକ ବିଶେଷକରି ପାୱାରହାଉସ, କଳିଙ୍ଗ ହସ୍ପିଟାଲ, ଡମଣା ଆଦି ଛକରେ ଗାଡିମୋଟର ରହିଲାମାତ୍ରେ ପିଲା ଓ ବୟସ୍କମାନେ ହାତରେ ବିଭିନ୍ନ ଖେଳନା ଓ ଘରକରଣା ସାମଗ୍ରୀ ଧରି ଗାଡି ନିକଟକୁ ଆସୁଛନ୍ତି । କେତେବେଳେ ଲୋକଙ୍କୁ ସେମାନଙ୍କ ସାମଗ୍ରୀ ଖରିଦ ପାଇଁ କହୁଛନ୍ତି ତ ଆଉ କେତେବେଳେ ହାତ ପତାଇ ପଇସା ମାଗୁଛନ୍ତି । ଏମାନଙ୍କ ହାତରେ ବିକ୍ରି ଯୋଗ୍ୟ ସାମଗ୍ରୀ ଥିବାରୁ ସେମାନଙ୍କୁ ଧରିବା ସହଜ ହେଉନାହିଁ ।

ସେହିଭଳି ଏବେ କିଛି ବ୍ୟକ୍ତି ବିଭିନ୍ନ ୟୁନିଟ୍‍ର ଗଳିକନ୍ଦିରେ ଯାଇ ଭିକ୍ଷାବୃତ୍ତି କରୁଛନ୍ତି । ଗାଈ ମରିବା ଠାରୁ ଘରପୋଡି ଓ ଚିକିତ୍ସା ସହାୟତା ପାଇଁ ଅର୍ଥ ମାଗୁଛନ୍ତି । ତେଣୁ ଏମାନଙ୍କୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାହା ଏବେ ବିଏମ୍‍ସି କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ତେବେ ଭିକ୍ଷାବୃତ୍ତି ଭଳି ଘୃଣ୍ୟ କାର୍ଯ୍ୟରୁ ଯେଉଁମାନଙ୍କୁ ବିଏମ୍‍ସି ଉଦ୍ଧାର କରୁଛି ସେମାନଙ୍କୁ ଏବେ ବିଭିନ୍ନ ଆତ୍ମନିଯୁକ୍ତି ଯୋଜନାରେ ସାମିଲ କରି ସେମାନଙ୍କ ଜୀବନର ଗତିପଥ ବଦଳାଇବାରେ ଲାଗିଛି । ଧୂପକାଠିତିଆରି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘରକରଣା ସାମଗ୍ରୀ ତିଆରି ପ୍ରତି ଲୋକେ ଆଗ୍ରହ ପ୍ରକାଶ ସହିତ ଭିକ୍ଷାବୃତ୍ତି ଭଳି କାର୍ଯ୍ୟକୁ ଆଉ ନଫେରିବାକୁ ସ୍ଥିର କରିଛନ୍ତି । ତେବେ ରାଜଧାନୀରେ ବହୁ ଅଣଓଡିଆ ଭିକାରୀଙ୍କ ଆର୍ବିଭାବ ହେଉଥିବାରୁ ସେମାନଙ୍କୁ ଉଦ୍ଧାର ଓ ଥଇଥାନ କର୍ତ୍ତୃପକ୍ଷଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । (ତଥ୍ୟ)