ଭୁବନେଶ୍ୱର : ଛିନ୍ତାଇ ଚୋର ଗ୍ୟାଙ୍ଗ ଏବେ ଭୋରରୁ ସକ୍ରିୟ । କାରଣ ସେମାନଙ୍କ ନଜର ପଡିଛି ନିରସ୍ତ୍ର ପ୍ରାତଃଭ୍ରମଣକାରୀଙ୍କ ଉପରେ ।
କରୋନା କାଳରେ ଶରୀରକୁ ସୁସ୍ଥ ରଖିବାପାଇଁ ଲୋକେ ଅଧିକରୁ ଅଧିକ ସଂଖ୍ୟାରେ ପ୍ରାତଃ ଭ୍ରମଣ କରୁଥିବାବେଳେ ଏମାନେ ଆଖି ପିଛୁଳାକେ ସୁନାଚେନ୍ ଝାମ୍ପି ନେଉଛନ୍ତି । ଆଜି ଭୋର ସମୟରେ ନୂଆପଲ୍ଲୀର ଏନ୍-୧ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଜଣେ ଭଦ୍ର ମହିଳା ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ମୋଟର ସାଇକେଲରେ ଦ୍ରୁତ ବେଗରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବାକୁ ଉଦ୍ୟମ କରିଥିଲେ । ଏଥିରେ ସୁନାଚେନ୍ର କିଛି ଅଂଶ ଛିନ୍ତାଇଙ୍କ ହାତରେ ଲାଗିଥିବାବେଳେ ଅବଶିଷ୍ଟ ଅଂଶକୁ ମହିଳା ଜଣଙ୍କ ଜାବୁଡି ଧରିଥିଲେ ।
ଏହି ସମୟରେ ନିକଟରେ ଜଣେ ଘରୋଇ ସହାୟିକା ଚାଲି ଚାଲି ଯାଉଥିବାବେଳେ ଉକ୍ତ ଭଦ୍ର ମହିଳା ଆସି ତାଙ୍କୁ ଜାବୁଡି ଧରିଥିଲେ । ଉଭୟ ମହିଳାଙ୍କ ଉପସ୍ଥିତିକୁ ଲକ୍ଷ୍ୟକରି ସେମାନେ ସଂଗେ ସଂଗେ ଦ୍ରୁତ ବେଗରେ ପଳାଇ ଯାଇଥିଲେ । ଏହା ଏହି ଅଞ୍ଚଳରେ ଭୟାତୁର ପରିସ୍ଥିତି ସୃଷ୍ଟି କରିଛି । କାରଣ ନୂଆପଲ୍ଲୀ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ପ୍ରାତଃ ଭ୍ରମଣରେ ବାହାରିଥାନ୍ତି । ଏହା ଭିଆଇପି ଇଲାକା ବୋଲି ପରିଗଣିତ ହେଉଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣିଥାନ୍ତି । ତେଣୁ ନିଶ୍ଚିନ୍ତ ହୋଇ ଯୁବ ଓ ବୟସ୍କ ପ୍ରାତଃ ଭ୍ରମଣକାରୀମାନେ ନୟାପଲ୍ଲୀର ବିଭିନ୍ନ ଲେନ୍ରେ ଚାଲିଥାନ୍ତି । ଏହାଛଡା ସେମାନେ ଏକାମ୍ରକାନନ ଏବଂ ରେଣ୍ଟାଲ କଲୋନୀ ମୁଣ୍ଡାସାହି ଛକ ପର୍ଯ୍ୟନ୍ତ ଯାଇଥାନ୍ତି ।
ଏହି ଇଲାକା ସୁରକ୍ଷିତ ଅଞ୍ଚଳ ଭାବରେ ପରିଗଣିତ ହେଉଥିବାବେଳେ ସଂଖ୍ୟାଧିକ ଛିନ୍ତାଇ ଘଟଣା ଘଟୁଥିବା ପଦବ୍ରଜକାରୀମାନେ ଅଭିଯୋଗ କରୁଥିବା ଜଣାଯାଇଛି । ସବୁ ଘଟଣାଗୁଡିକ ପୁଲିସ୍ ନଜରକୁ ଆସୁନାହିଁ । କାରଣ ଲୋକେ ଏ ସଂକ୍ରାନ୍ତରେ ଅଭିଯୋଗ କରିବାକୁ ଥାନାକୁ ମଧ୍ୟ ଯାଉନାହାନ୍ତି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବା ଯୋଗୁଁ କମିଶନରେଟ ପୁଲିସ୍ ସାଧାରଣ ନାଗରିକମାନଙ୍କ ମଧ୍ୟରେ ଉପୁଜୁଥିବା ଭୟାତୁର ବାତାବରଣକୁ ଦୂର କରିବାପାଇଁ ଭୋରରୁ ପେଟ୍ରୋଲିଂ ବ୍ୟବସ୍ଥା ସକାଶେ ପଦକ୍ଷେପ ଗ୍ରହଣ କରିବାକଥା । ତେବେ ଏହା ପରିଲକ୍ଷିତ ହେଉନାହିଁ ।
ଅବଶ୍ୟ ଗୋଟିଏ ଦୁଇଟି ପେଟ୍ରୋଲିଂ ଭ୍ୟାନ ସମୟ ସମୟରେ ପଇଁତରା ମାରୁଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଏହା ଛିନ୍ତାଇକାରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଲକ୍ଷ୍ୟ ହେଉନାହିଁ । ପ୍ରାତଃ ଭ୍ରମଣକାରୀମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ବୟସ୍କ ପୁରୁଷ ଓ ମହିଳା ରହୁଥିବା ଦୃଷ୍ଟିରୁ ବରିଷ୍ଠ ନାଗରିକମାନଙ୍କର ସୁରକ୍ଷାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଉଛି ।
ନୟାପଲ୍ଲୀ ଓ ଆଖପାଖ ଅଞ୍ଚଳରେ ଗଢି ଉଠୁଥିବା ବସ୍ତିଗୁଡିକ ଏହି ଧରଣର ଅପରାଧିମାନଙ୍କର ଆଶ୍ରୟସ୍ଥଳ ସାଜିଥିବା ଯୋଗୁଁ ସମୟ ସମୟରେ ସେଠାରେ ପୁଲିସ୍ ଦ୍ୱାରା ଚଢଉ କରାଗଲେ ଏହି ଧରଣର ଅପରାଧିମାନଙ୍କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବରିଷ୍ଠ ନାଗରିକମାନେ ମତପୋଷଣ କରୁଛନ୍ତି । (ତଥ୍ୟ)