Home General ରୋଜଗାର ଦେବାରେ ପଛେଇଛି ରାଜ୍ୟ

ରୋଜଗାର ଦେବାରେ ପଛେଇଛି ରାଜ୍ୟ

ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (ପିଏମ୍‍ଇଜିପି)ରେ ଯେତିକି ହିତାଧିକାରୀ ଆବେଦନ କରୁଛନ୍ତି ତାହାର ୧୫ ପ୍ରତିଶତ ମଞ୍ଜୁର ହେଉଛି । ଯାହା ଫଳରେ କି ଏହି ଯୋଜନା ରାଜ୍ୟରେ ପଛେଇ ଚାଲିଛି ।

ଏହି ଯୋଜନାରେ ରାଜ୍ୟରେ ହିତାଧିକାରୀଙ୍କୁ ରୋଜଗାର ଯୋଗାଇବାପାଇଁ ଯୋଜନା ଥିବାବେଳେ ପ୍ରାୟ ସାଢେ ୫ହଜାର ଆବେଦନ ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କ ନିକଟରେ ଋଣ ପାଇଁ ଆବେଦନ କରାଯାଇଥିଲା । ସେଥିରୁ ମାତ୍ର ୬୨୮ ଜଣଙ୍କର ଋଣ ମଞ୍ଜୁର ହୋଇଛି । ପ୍ରାୟ ୧୪୦୦ ଆବେଦନପତ୍ରକୁ ଫେରାଇ ଦିଆଯାଇଛି । ସାଢେ ୩ହଜାରରୁ ଉର୍ଦ୍ଧ୍ୱ ଆବେଦନପତ୍ର ପଡି ରହିଛି ।

ପିଏମ୍‍ଇଜିପି ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ସୁଦ୍ଧା ଏହି ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବ୍ୟାଙ୍କ୍‍ମାନଙ୍କ ତରଫରୁ ଆଶାନୁରୂପ ସହଯୋଗ ମିଳୁନାହିଁ । ଯାହା ଫଳରେ ଏହି ଯୋଜନା ଏବେ ରାଜ୍ୟରେ ପଛେଇ ଯାଇଛି ।

ସେହିଭଳି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ମଧ୍ୟ ମାନ୍ଦା ଅଗ୍ରଗତି ଲକ୍ଷ୍ୟ କରାଯାଇଛି । ଗତବର୍ଷ ଜୁନମାସ ସୁଦ୍ଧା ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ୪୨,୧୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଚଳିତବର୍ଷ ଜୁନ୍‍ମାସ ଶେଷ ସୁଦ୍ଧା ତାହା ୩୯,୩୦୫ କୋଟି ଟଙ୍କାକୁ କମି ଆସିଛି । ଏହି ଋଣ ପରିମାଣ ବୃଦ୍ଧି କରିବାପାଇଁ ଉଦ୍ୟୋଗୀମାନଙ୍କୁ ଅଧିକରୁ ଅଧିକ ସହାୟତା ଦେବା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‍ଏସଏମ୍‍ଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

କରୋନା ମହାମାରୀ ପରିପ୍ରେକ୍ଷୀରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ସବୁଠାରୁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହି କ୍ଷେତ୍ରକୁ ଅଧିକ ଋଣ ଦେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ସେଥିପାଇଁ କେନ୍ଦ୍ର ସରକାର କେତେକ ଆର୍ଥିକ ପ୍ରୋତ୍ସାହନକାରୀ ନୀତି ପ୍ରଣୟନ କରିଛନ୍ତି । ତଥାପି ଏହି କ୍ଷେତ୍ରକୁ ଋଣର ପରିମାଣ ବୃଦ୍ଧି ହେଉନଥିବା ସମୀକ୍ଷାରୁ ଜଣାପଡିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କର ଋଣ ପ୍ରଦାନ କ୍ଷେତ୍ରରେ ଅନାଗ୍ରହ ପରିଲକ୍ଷିତ ହେଉଥିବା ଯୋଗୁଁ ରାଜ୍ୟର ୧୩ଟି ଜିଲ୍ଲା ଋଣ ପାଇବା କ୍ଷେତ୍ରରେ ପଛୁଆ ରହିଛନ୍ତି । ଏହିସବୁ ଜିଲ୍ଲାମାନଙ୍କରୁ ଯେତିକି ଜମା ସଂଗ୍ରହ କରାଯାଉଛି ତାହାର ଅନ୍ତତଃ ୬୦ ପ୍ରତିଶତ ଋଣ ପ୍ରଦାନ କରାଯିବା କଥା । ତାହା ହେଉନଥିବା ଯୋଗୁଁ ରାଜ୍ୟସ୍ତରୀୟ ବ୍ୟାଙ୍କ ସମନ୍ୱୟ ସମିତି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । (ତଥ୍ୟ)