ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ‘ମୋ ସାଇକେଲ’ କୁ ଚଳାଇବା ଲୋକଙ୍କ ପାଇଁ ସହଜ ହେଉନାହିଁ । ଏଥିପାଇଁ ଥିବା ‘ମୋ ସାଇକେଲ ଆପ୍’ ଟି ଠିକଣା ଭାବେ କାର୍ଯ୍ୟ କରୁନଥିବାରୁ ଲୋକେ ଏହାଠାରୁ ଦୂରେଇ ଯାଉଛନ୍ତି ।
ମୋ ସାଇକେଲ ବ୍ୟବହାର ପାଇଁ ରହିଛି ମୋ ସାଇକେଲ ଆପ୍ । ତେବେ ଏହି ଆପ୍ଟି ଖୋଲୁଥିଲେ ମଧ୍ୟ କେଉଁ ସ୍ଥାନରେ କେତୋଟି କେଉଁ କମ୍ପାନୀର ସାଇକେଲ ରହିଛି ତାହା ଦର୍ଶାଉନାହିଁ । ଫଳରେ ସାଇକେଲ ଚଳାଇବାପାଇଁ ଆଗ୍ରହୀ ଲୋକେ ତାହାକୁ ବ୍ୟବହାର କରିପାରୁ ନାହାନ୍ତି । ଏହି ତ୍ରୁଟିକୁ ସୁଧାରିବାପାଇଁ କର୍ତ୍ତୃପକ୍ଷ ବାରମ୍ବାର ଉଦ୍ୟମ କରୁଥିଲେ ମଧ୍ୟ ତାହା ସଫଳ ହୋଇପାରୁ ନାହିଁ ।
ଏଥି ସହିତ ରାଜଧାନୀର ବିଭିନ୍ନ ସାଇକେଲ ଷ୍ଟାଣ୍ଡରେ ଯେଉଁସବୁ ସାଇକେଲଗୁଡିକ ରହିଛି ସେଥି ମଧ୍ୟରୁ ଅଧିକାଂଶ ଚଳାଇବା ଯୋଗ୍ୟ ନୁହେଁ । କାହାର ସିଟ୍ ନାହିଁ ତ ଆଉ କାହାର ସିଟ୍ ଚିରି ଫାଟି ଗଲାଣି । ଏହାର ରକ୍ଷଣା ବେକ୍ଷଣ ଠିକଣା ଭାବେ ହେଉନଥିବା ଓ ଏହା ଉପରେ ପରସ୍ତ ପରସ୍ତ ଧୂଳି ଜମୁଥିବାରୁ ଲୋକେ ମୁହଁ ମୋଡି ଚାଲି ଯାଉଛନ୍ତି ।
ନିକଟରେ ମୋ ସାଇକେଲ ଯୋଜନାରେ ଖରିଦ ସାଇକେଲ କବାଡିଖାନାକୁ ଯିବାର ଅଭିଯୋଗ ଆସିବାପରେ ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା । ଏପରିକି ଏହି ଘଟଣା ଥାନାରେ ପହଞ୍ଚିଥିଲା । ଏହାପରେ ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା । ତେବେ ମୋ ସାଇକେଲ ଯୋଜନା ଦାୟିତ୍ୱରେ ଥିବା ବିଏମ୍ସି କର୍ତ୍ତୃପକ୍ଷ ସାଇକେଲ ବ୍ୟବସ୍ଥାକୁ ସୁଧାରିବାପାଇଁ ପ୍ରତିଶ୍ରୁତି ଦେବା ସହିତ ସାଇକେଲ ବିକ୍ରି କରିଥିବା ସଂସ୍ଥା ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଥିଲେ ।
ଏହାପରେ ଏହି ଯୋଜନାରେ ସାମିଲ ଥିବା ତିନିଟି କମ୍ପାନୀ ହେକ୍ସି, ୟାନା ଓ ୟୁଲୁ ନିଜ ନିଜ ସାଇକେଲଗୁଡିକୁ ସଫା ସୁତୁରା କରି ବିଭିନ୍ନ ଷ୍ଟାଣ୍ଡରେ ରଖିଥିଲେ । ହେଲେ ଏହାର କିଛିଦିନ ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । କେଉଁଠି ମାଳ ମାଳ ସାଇକେଲ ଖରା ବର୍ଷାରେ ତଳେ ପଡିଛନ୍ତି ତ ଆଉ କେଉଁଠି ଅଳିଆ ଗଦାରେ । ଲୋକଙ୍କ ଭିତରେ ପୂର୍ବଭଳି ଆଉ ମୋ ସାଇକେଲ ଚଳାଇବାପାଇଁ ଆଗ୍ରହ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।
ତେବେ ମୋ ସାଇକେଲର ଏଭଳି ଅବସ୍ଥା ପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତ କରିଥିବା ଆପ୍ ହିଁ ଦାୟୀ ବୋଲି ଅଭିଯୋଗ ହେଉଛି । ଆରମ୍ଭରୁ ଏଥିରେ ତ୍ରୁଟି । ପ୍ରଥମେ ଏହି ଆପ୍ ଜରିଆରେ ତିନି କମ୍ପାନୀର ସାଇକେଲ ପାଇଁ ଭିନ୍ନ ଭିନ୍ନ ଭାବେ ଅର୍ଥ ରଖିବାକୁ ପଡୁଥିଲା । ହେଲେ ସେତେବେଳେ କୌଣସି ପ୍ରକାରେ ଏହା କାର୍ଯ୍ୟ କରୁଥିଲା । ଏବେ ଏହି ଆପ୍ ଖୋଲି ସାଇକେଲ ଚଳାଇବା ଆଉ ସମ୍ଭବପର ହେଉନାହିଁ । ଏଭଳି ସ୍ଥିତି ଲାଗି ରହିଲେ ରାଜଧାନୀରେ ଥିବା ଅବଶିଷ୍ଟ ସାଇକେଲଗୁଡିକ କବାଡିଖାନା ଯିବାପାଇଁ ବେଶିଦିନ ଲାଗିବନାହିଁ ବୋଲି ରାଜଧାନୀର ବହୁ ସାଇକେଲପ୍ରେମୀ ମତ ଦେଉଛନ୍ତି । (ତଥ୍ୟ)