Home Finance ବଜେଟ୍‍ ବ୍ୟୟ ୫୦ହଜାର କୋଟି ଟପିଲାଣି

ବଜେଟ୍‍ ବ୍ୟୟ ୫୦ହଜାର କୋଟି ଟପିଲାଣି

ଭୁବନେଶ୍ୱର : ରାଜ୍ୟ ସରକାର ଗତ ଛଅ ମାସ ମଧ୍ୟରେ ୫୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୮୦୦୦ କୋଟି ଟଙ୍କା ଅଧିକ । କୋଭିଡ ପରବର୍ତ୍ତୀ ସମୟରେ ଅଧିକ ଅର୍ଥ ବ୍ୟୟ ଆବଶ୍ୟକ ପଡୁଥିବାବେଳେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉନ୍ନୟନ ପାଇଁ ଅଧିକରୁ ଅଧିକ ଅର୍ଥ ଯୋଗାଇ ଦେଉଛନ୍ତି ।

ଓଡିଶା ସରକାରଙ୍କ ବିଭିନ୍ନ ବିଭାଗମାନେ ଅଧିକରୁ ଅଧିକ ବଜେଟ୍‍ ଅର୍ଥ ଖର୍ଚ୍ଚ କରିବାରେ ଲାଗିଥିବାବେଳେ ଏହାର ଶ୍ରେୟ ରାଜ୍ୟ ପ୍ରଶାସନକୁ ଯାଉଛି । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟ ବଜେଟ୍‍ର ୩୪.୭ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷର ଏହି ସମୟରେ ବ୍ୟୟ ପରିମାଣ ୩୦.୧୦ ପ୍ରତିଶତ ରହିଥିଲା ।

ଓଡିଶା ସରକାରଙ୍କ ସର୍ବଶେଷ ଆର୍ଥିକ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ ମଧ୍ୟରେ ମୋଟ୍‍ ୫୦,୪୬୫ କୋଟି ଟଙ୍କା ବ୍ୟୟ ହୋଇଛି । ୨୦୨୦-୨୧ ବର୍ଷର ଏହି ସମୟରେ ୪୨,୫୧୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ବିଗତ ବର୍ଷଗୁଡିକ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ବଜେଟ୍‍ ବ୍ୟୟ ଭଲ ରହିଛି ।

ତେବେ କ୍ୟାପିଟାଲ କଣ୍ଟେଣ୍ଟ ଅଫ୍‍ ଦି ଏକ୍ସପେଣ୍ଡିଚର (କାପେକ୍ସ) ବ୍ୟୟ ଏତେଟା ଉତ୍ସାହଜନକ ନୁହେଁ । କାପେକ୍ସରେ ବ୍ୟୟ ପରିମାଣ ହ୍ରାସ ଦେଖି ରାଜ୍ୟ ସରକାର ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । କୋଭିଡ ପାଇଁ ରାଜସ୍ୱ ଆଦାୟ ଯେଭଳି ପ୍ରଭାବିତ ନହୁଏ ତାହା ନିଶ୍ଚିତ ଲାଗି ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷର ଛଅ ମାସ ମଧ୍ୟରେ ନିଜସ୍ୱ ରାଜସ୍ୱ ଆଦାୟ କ୍ଷେତ୍ରରେ ୭୩ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ନିଜସ୍ୱ ରାଜସ୍ୱ ମଧ୍ୟରେ ନିଜସ୍ୱ ଟିକସ ଏବଂ ନିଜସ୍ୱ ଅଣଟିକସ ରହିଛି ଯେଉଁଥିପାଇଁ ରାଜ୍ୟ ସରକାର ୫୭,୫୦୦ ଟଙ୍କାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରାଜ୍ୟ ସରକାର ନିଜସ୍ୱ ଟିକସ ବାବଦରେ ୩୭,୪୭୬ କୋଟି ଟଙ୍କା ଆଦାୟ କରିଛନ୍ତି । ଏହି ଧାରା ଜାରି ରହିଲେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ସରକାରଙ୍କ ୭୦ହଜାର କୋଟି ଟଙ୍କାରୁ ଅଧିକ ରେକର୍ଡ ରାଜସ୍ୱ ସଂଗ୍ରହ କରିପାରିବେ ।

ତେବେ କେନ୍ଦ୍ରରୁ ମିଳିଥିବା ଅଂଶଧନ ଟିକସ ଓ ଅନୁଦାନ ୨୦୨୦ ତୁଳନାରେ କମ୍‍ ରହିଛି । ରାଜ୍ୟ ସରକାର ଅଂଶଧନ ଟିକସ ବାବରେ ୧୧,୭୭୯ କୋଟି ଟଙ୍କା ପାଇଛନ୍ତି ଯାହାକି ଗତବର୍ଷ ତୁଳନାରେ କମ୍‍ । ଗତ ଆର୍ଥିକ ବର୍ଷର ପ୍ରଥମ ୬ମାସରେ ରାଜ୍ୟ ସରକାର ଏ ବାବଦରେ ୧୨,୦୩୨ କୋଟି ଟଙ୍କା ପାଇଥିଲେ ।

ଅନୁରୂପ ଭାବେ ଓଡିଶା ସରକାର କେନ୍ଦ୍ରୀୟ ଅନୁଦାନ ଆକାରରେ ୮୩୭୨ କୋଟି ଟଙ୍କା ପାଇଛନ୍ତି ଯାହାକି ଗତ ଆର୍ଥିକବର୍ଷର ଏହି ସମୟ ତୁଳନାରେ ୩୧ ପ୍ରତିଶତ କମ୍‍ ରହିଛି । ଗତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ କେନ୍ଦ୍ରୀୟ ଅନୁଦାନ ଆକାରରେ ଓଡିଶାକୁ ୧୨,୧୫୯ କୋଟି ଟଙ୍କା ମିଳିଥିଲା । ଗତ କିଛିବର୍ଷ ଧରି ରାଜ୍ୟ ସରକାର ଅଂଶଧନ ଟିକସ ଓ ଅନୁଦାନ ବାବଦରେ କେନ୍ଦ୍ରରୁ କମ୍‍ ଅର୍ଥ ପାଉଛନ୍ତି । ତେବେ ଟିକସ ଆଦାୟ କ୍ଷେତ୍ରରେ ରାଜ୍ୟ ପ୍ରଶାସନର ଦୃଢ ପଦକ୍ଷେପ ଯୋଗୁଁ ନିଜସ୍ୱ ରାଜସ୍ୱ ବୃଦ୍ଧି ପାଇବା ସହିତ ଏହା ସରକାରଙ୍କୁ ଏକ ପ୍ରକାର ବଞ୍ଚାଇ ଦେଇଛି ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି । (ତଥ୍ୟ)