Home General ପଡୋଶୀ ରାଜ୍ୟ ଏବେ ଓଡିଶାର ଶତ୍ରୁ

ପଡୋଶୀ ରାଜ୍ୟ ଏବେ ଓଡିଶାର ଶତ୍ରୁ

ଭୁବନେଶ୍ୱର : ସମ୍ବିଧାନର ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ରାଜ୍ୟ ମଧ୍ୟରେ ଭାଇଚାରା ସମ୍ପର୍କ ରହିବାପାଇଁ ଯେଉଁ ବ୍ୟବସ୍ଥା ରହିଛି ଏବେ ଆମର ପଡୋଶୀ ରାଜ୍ୟମାନେ ତାହାର ଖୋଲା ଉଲ୍ଲଙ୍ଘନ କରି ଓଡିଶାର ଜମି, ଜଙ୍ଗଲ, ଜଳ ଓ ଭାଷା ଉପରେ ଶତ୍ରୁ ଦେଶ ଭଳି ଆକ୍ରମଣ ଜାରି ରଖିଛନ୍ତି । ଏହା ଓଡିଶା ସରକାର ଓ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି ।

ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୦ଟି ଜିଲ୍ଲାରେ ଥିବା ପ୍ରାୟ ୧୦୦ ଗାଁ, ୧୫ହଜାର ହେକ୍ଟରରୁ ଉର୍ଧ ଜଙ୍ଗଲ ଜମି ଓ ୧୩ହଜାର ଏକରରୁ ଉର୍ଧ ଅନ୍ୟାନ୍ୟ କିସମ ଜମି ସମେତ ୭ଟି ନଦୀ ନାଳ ଓ ୮ଟି ଜଙ୍ଗଲସୀମାକୁ ନେଇ ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଭଳି ପଡୋଶୀ ରାଜ୍ୟ ସୀମାନ୍ତର ୧୦ଟି ଜିଲ୍ଲାରେ ବିବାଦ ସୃଷ୍ଟି କରିଚାଲିଛନ୍ତି ।

ଗତ କିଛିବର୍ଷ ଧରି ଆନ୍ଧ୍ରରେ ଥିବା ଓଡିଆ ବିଦ୍ୟାଳୟଗୁଡିକୁ ସେଠାକାର ସରକାର ଭୟଙ୍କର ଭାବେ ଅବହେଳା କରି ଓଡିଆ ଭାଷାରେ ଶିକ୍ଷାଦାନକୁ ଗୌଣ କରିଦେଉଛନ୍ତି । ଛତିଶଗଡରେ ବି ସମାନ ଅବସ୍ଥା । ଝାଡଖଣ୍ଡ ସରକାର ଓଡିଆକୁ ତାଙ୍କ ରାଜ୍ୟର ଦ୍ୱିତୀୟ ରାଜଭାଷାର ମାନ୍ୟତା ଦେଇଥିବାବେଳେ ଚଳିତ ଶିକ୍ଷାବର୍ଷରୁ ଏହା ପ୍ରତ୍ୟାହାର କରିନେବାକୁ ଘୋଷଣା କରିବା ପରିପ୍ରେକ୍ଷୀରେ ଷଢେଇକଳା, ଖରସୁଆଁ, ସିଂହଭୂମ୍‍, ଚକ୍ରଧରପୁର ଆଦି ଅଞ୍ଚଳର ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛନ୍ତି ।

ଗୋଟିଏ ପଟେ କେନ୍ଦ୍ର ସରକାର ନୂଆ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ ଅନ୍ୟପଟେ ପଡୋଶୀ ରାଜ୍ୟରେ ଥିବା ଓଡିଆ ବହୁଳ ଅଞ୍ଚଳଗୁଡିକରେ ଓଡିଆ ବିଦ୍ୟାଳୟଗୁଡିକୁ ବନ୍ଦ କରିଦେବାପାଇଁ ଯେଉଁ ଷଡଯନ୍ତ୍ର ଚାଲିଛି ସେଥିରେ ବିଚ୍ଛିନ୍ନାଞ୍ଚଳରେ ଥିବା ଓଡିଆ ପରିବାରର ପିଲାମାନେ ମାତୃଭାଷାରେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେବାକୁ ଯାଉଛନ୍ତି ।

ଆନ୍ଧ୍ରପ୍ରଦେଶ ସହ ଓଡିଶାର କୋରାପୁଟ ଜିଲ୍ଲାରେ ୩୦ରୁ ଅଧିକ ଗାଁ, ଗଞ୍ଜାମରେ ୨୦ଟି ଗାଁ, ଗଜପତିରେ ୧୬ଟି ଓ ରାୟଗଡା ଜିଲ୍ଲାରେ ୫ଟି ଗାଁକୁ ନେଇ ସୀମା ବିବାଦ ଲାଗି ରହିଥିବାବେଳେ କେତେକ ସ୍ଥାନରେ ଲୋକେ ଦ୍ୱୈତ ଶାସନର ଶିକାର ହେଉଛନ୍ତି । ଏମିତିକି ଓଡିଶାର କେତେକ ଗାଁରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିବାବେଳେ ପୁଣି ସେହି ଗାଁମାନଙ୍କରେ ଓଡିଶା ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେଉଛି ।

ଗଜପତିର କେତେକ ଗାଁରେ ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ର ଖୋଲିବା ସହିତ ସେଠାକାର ମନ୍ତ୍ରୀ ଓଡିଶାର ଏହି ଗାଁରେ ଅନୁପ୍ରବେଶକରି ଧମକପୂର୍ଣ୍ଣ ବିବୃତ୍ତି ଦେଉଛନ୍ତି । ଏମିତିକି ଆନ୍ଧ୍ରର କେତେକ ସରକାରୀ ଅଫିସର ଓ ରାଜନେତା ମଧ୍ୟ କୋଟିଆ ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶ କରୁଥିବାବେଳେ ସେଠି କେତେକ ସ୍ଥାନରେ ତେଲଗୁ ଭାଷାରେ ବୋର୍ଡ ବସାଇବା ସହ ଓଡିଶା ସରକାରଙ୍କ ସାଇନ୍‍ବୋର୍ଡଗୁଡିକୁ ବିକୃତ କରୁଛନ୍ତି । କେବଳ ସେତିକି ନୁହେଁ, ଓଡିଶାର ବିନା ସମ୍ମତିରେ ଆନ୍ଧ୍ର ପୋଲାଭରମ ସମେତ କେତେକ ପ୍ରକଳ୍ପ କରୁଥିବାରୁ ଓଡିଶାର ବ୍ୟାପକ ଅଞ୍ଚଳ ବୁଡିବାର ଆଶଙ୍କା ରହିଛି ।

ବାଲେଶ୍ୱର ଜିଲ୍ଲାର ଉଦୟପୁର ଅଞ୍ଚଳରେ ଓଡିଶାର ବେଳାଭୂମିରେ ଜବରଦସ୍ତ ପଶ୍ଚିମବଙ୍ଗ ପାଚେରୀ ଉଠାଉଛି । କେବଳ ସେତିକି ନୁହେଁ ଓଡିଶା ସୀମା ଭିତରେ ପଶି ନଦୀ ପଠାରୁ ବେଆଇନ୍‍ ବାଲି ଉଠାଇବା ସହିତ ଆଖପାଖ ଅଞ୍ଚଳର ଗଛ ଲତା ଜଙ୍ଗଲ ଆଦି ମଧ୍ୟ ଜେସିବି ଲଗାଇ ନଷ୍ଟ ଭ୍ରଷ୍ଟ କରୁଛନ୍ତି । ଅନେକ ସମୟରେ ପଶ୍ଚିମବଙ୍ଗର କିଛି ଅସାମାଜିକ ଲୋକ ଓଡିଶା ଭିତରେ ପଶି ଗୁଣ୍ଡାଗର୍ଦ୍ଦି ବି କରିବାକୁ ପଛାଉ ନାହାନ୍ତି । ପଶ୍ଚିମବଙ୍ଗ ସହ ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ପ୍ରାୟ ୧୩ଟି ଗାଁକୁ ନେଇ ସୀମା ବିବାଦ ଲାଗି ରହିଥିବାବେଳେ ଝାଡଖଣ୍ଡ ସହ ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୨୦ରୁ ଅଧିକ ଗାଁ ଏବଂ ଛତିଶଗଡ ସହ ନବରଙ୍ଗପୁର ଓ ଝାରସୁଗୁଡା ଜିଲ୍ଲାର ୫ଟି ଗାଁକୁ ନେଇ ଦୀର୍ଘ ବର୍ଷ ଧରି ସୀମା ବିବାଦ ଲାଗି ରହିଛି । (ତଥ୍ୟ)