Home Energy ଟିପିସିଓଡିଏଲ୍‌ର ବନ୍ୟା ମୁକାବିଲା ପ୍ରସ୍ତୁତି

ଟିପିସିଓଡିଏଲ୍‌ର ବନ୍ୟା ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର: ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଏହାର ମୁକାବିଲା ପାଇଁ ଟଇପିସିଓଡିଏଲ୍‍ ପ୍ରସ୍ତୁତ ହୋଇ ରହିଛି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଅଂଚଳଗୁଡ଼ିକୁ ଟିପିସିଓଡିଏଲ୍ ପକ୍ଷରୁ ଆଗୁଆ ଚିହ୍ନଟ କରାଯାଇଛି ।

ବନ୍ୟାର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିିଡିଏମ୍‌ପି) କାର୍ଯ୍ୟକାରୀ କରାଯାଇଛି । ଯେଉଁଥିରେ ସାମିଲ ରହିଛି ପ୍ରତିଷେଧମୂଳକ ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନାର ଭୂମିକା ଓ ଦାୟିତ୍ୱ ନିର୍ଧାରଣ ଏବଂ ଜରୁରୀକାଳୀନ ସମୟ ଭଳି ମାମଲା ପାଇଁ ଆବଶ୍ୟକ ଉପକରଣ/ଯନ୍ତ୍ରାଂଶ ଯୋଗାଡ଼ କରିବା ଯୋଜନା ।
ବିସିଡିଏମ୍‌ପିରେ ପ୍ରବଳତା ଦୃଷ୍ଟିରୁ ବିପର୍ଯ୍ୟୟର ବର୍ଗୀକରଣ କରାଯିବା ସହ ବ୍ୟବସ୍ଥିତ ଭାବେ ଆଲର୍ଟ (ସତର୍କ ସୂଚନା) ହାସଲ କରିବା, ତାହାକୁ ଅନୁଧ୍ୟାନ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ପାଇଁ ବିପର୍ଯ୍ୟୟ ପରିଚାଳନା ଢ଼ାଂଚା ନାମକ ଏକ କ୍ରୀୟାନ୍ୱୟନ ଯୋଜନା ରହିଛି ଏବଂ ବିସିଡିଏମ୍‌ପିକୁ ଲାଗୁ କରିବା କିମ୍ବା ପ୍ରତ୍ୟାହାର କରିବା ଲାଗି ବ୍ୟବସ୍ଥା ରହିଛି । ଏହି ଯୋଜନାର ପ୍ରତିକ୍ରିୟା ଯାଂଚ କରିବାଲାଗି ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି ।

ସଂପ୍ରତି ଜାରି ରହିଥିବା କୋଭିଡ୍‌-୧୯ ମହାମାରୀ ବିଦ୍ୟୁତ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବା ଜରୁରୀ କରିଛି କାରଣ ତାହା ଚିକିତ୍ସା ଅଧୀନରେ ଥିବା ରୋଗୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି । ଯେକୌଣସି ପ୍ରକାର ଆପାତକାଳୀନ ସମୟ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଟିପିସିଓଡିଏଲ୍ ସର୍ବଦା ପ୍ରସ୍ତୁତ ମୁଦ୍ରାରେ ରହିଥାଏ ।

ସମୟର ଆହ୍ୱାନକୁ ବୁଝିପାରି, ଟିପିସିଓଡିଏଲ୍ ପକ୍ଷରୁ ଅକ୍ସିଜେନ୍ ପ୍ଲାଂଟ୍‌କୁ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସପ୍ରାପ୍ତ ଅଂଚଳର ବିଭିନ୍ନ ସ୍ଥାନର ଗୁରୁତ୍ୱପୂର୍ଣ୍ଣ ସ୍ଥଳରେ ଦ୍ରୁତ ପ୍ରଶମନ ଦଳ ମୂତୟନ କରାଯାଇଛି । ଯେକୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଯେକୌଣସି ବ୍ୟକ୍ତି ୨୪ ଘଂଟିଆ କଲ୍ ସେଂଟର ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍ କରିପାରିବେ ।

ସୁରକ୍ଷା ପଦକ୍ଷେପ ବଜ୍ରପାତ ସମୟରେ ଘର ଭିତରେ ଥିବା କୌଣସି ତାର କିମ୍ବା ପାଇପ୍‌କୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍ ତାର/ଧାବତ ପାଇପ୍‌ରେ ବିଦ୍ୟୁତ ପ୍ରବାହିତ ହୁଏ । ସେହିଭଳି ଅତ୍ୟଧିକ ପବନ ବହିବା, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ଗଛ କିମ୍ବା ଯେକୌଣସି ଅସ୍ଥାୟୀ ଢ଼ାଂଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ ।

ଓଦା ହାତରେ କିମ୍ବା ହାଣ୍ଡ୍ ଗ୍ଲୋଭ୍‌ସ, ସୁରକ୍ଷା ଜୋତା କିମ୍ବା ଇନ୍‌ସୁଲେଟେଡ୍ ପ୍ଲାଟ୍‌ଫର୍ମ ବ୍ୟବହାର ନକରି କୌଣସି ବିଦ୍ୟୁତ ବ୍ୟବସ୍ଥାକୁ ସ୍ପର୍ଶ କରନ୍ତୁ ନାହିଁ । ବର୍ଷା ପରବର୍ତୀ ସମୟରେ ଦ୍ରୁତ ଗତିରେ ପ୍ରଭାବିତ ହେଉଥିବା ଡ୍ରେନ୍ ପାଖରେ ପିଲାମାନଙ୍କୁ ଖେଳିବାକୁ ନଦେବାକୁ ଟିପିସିଓଡିଏଲ୍ ପକ୍ଷରୁ ନିବେଦନ କରାଯାଇଛି ।

ଏହି ଅଭିଯାନ ସମ୍ପର୍କରେ ଟିପିସିଓଡିଏଲ୍‍ ସିଇଓ ଏମ୍ ସେନ୍‌ବାଗମ୍ କହିଛନ୍ତି ଯେ, “ବନ୍ୟା ବିପଦର ମୁକାବିଲା କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ ରହିଛୁ । ରେକର୍ଡ ସମୟ ଭିତରେ ପ୍ରଭାବିତ ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରଦାନ କରିବା ଏବଂ ତାହା ଯେଭଳି ଗ୍ରାହକଙ୍କୁ ସର୍ବନିମ୍ନ ପ୍ରଭାବିତ କରିବ ସେ ଦିଗର ଆମ ଟିମ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । ବନ୍ୟା ସମୟରେ ଯେକୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବା ଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଲୋକମାନଙ୍କୁ ଆମେ ନିବେଦନ କରୁଛୁ ।’’