ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ଥିବା କୋଭିଡ କଟକଣା କୋହଳ କରିବା ପ୍ରସଙ୍ଗରେ କଟକ ନଗର ପୂଜା କମିଟି ଅଡି ବସିଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବି ଅନୁରୂପ ଦାବି ଦାନା ବାନ୍ଧୁଛି । କେବଳ କଟକ ପାଇଁ କଟକଣା କୋହଳ କରାଗଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ତାହାର ପ୍ରତିକୂଳ ପ୍ରଭାବ ପଡିପାରେ ବୋଲି ବିଭିନ୍ନ ମହଲ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ଗଣେଶ ପୂଜାଠାରୁ ଆରମ୍ଭ ହୋଇଥିବା ପାର୍ବଣଋତୁ ଭିତରେ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା, କାର୍ତ୍ତିକେଶ୍ୱର ପୂଜା ଆଦି ବହୁ ଉତ୍ସାବାନୁଷ୍ଠାନ ରହିଛି । ଏହାକୁ ଆଖିଆଗରେ ରଖି ଇତି ମଧ୍ୟରେ ରାଜ୍ୟ ସରକାର ଗତଥର ଭଳି କୋଭିଡ ମାର୍ଗନିର୍ଦ୍ଦେଶିକା ପାର୍ବଣଋତୁ ପାଇଁ ଜାରି କରିଛନ୍ତି । ଏ ପ୍ରସଙ୍ଗ ଗତବର୍ଷ ହାଇକୋର୍ଟରେ ଉଠିଥିଲା ଏବଂ ଅଦାଲତ କୋଭିଡ କଟକଣା ଉପରେ ମୋହର ବସାଇଥିଲେ । ଗତବର୍ଷ ଭଳି ଏବର୍ଷ ପୂଜା ମଣ୍ଡପରେ ମୂର୍ତ୍ତି ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରଖିବା ସହ ପରଦା ପକାଇ ପୂଜାର୍ଚ୍ଚନା କରିବା, ମଣ୍ଡପରେ ଏବଂ ଭସାଣି କାର୍ଯ୍ୟକ୍ରମରେ ଗହଳି ନକରିବା, ଆକର୍ଷଣୀୟ ସାଜସଜ୍ଜା ନକରିବା ଏବଂ ସର୍ବୋପରି ପୂଜାରେ ବିଧିରକ୍ଷା ପାଇଁ ଯେଉଁମାନଙ୍କ ଉପସ୍ଥିତି ନିହାତି ଜରୁରୀ ସେମାନେ ଅନ୍ୟାନ୍ୟ କୋଭିଡ କଟକଣା ମାନିବାପାଇଁ ଏଥିରେ କୁହାଯାଇଛି ।
ଦୋକାନ ବଜାର, ମଲ୍, ସିନେମାହଲ ଠାରୁ ଆରମ୍ଭକରି ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ ଏମିତିକି ମଦଦୋକାନ ପର୍ଯ୍ୟନ୍ତ ଖୋଲା ରହୁଥିବା ଏବଂ କଟକଣା ମଧ୍ୟରେ ଦୁଇବର୍ଷ ହେବ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କାର୍ଯ୍ୟକ୍ରମ ହୋଇ ଆସୁଥିବା ପରିପ୍ରେକ୍ଷୀରେ କଟକ ନଗରରେ ପୂଜା ମଣ୍ଡପରେ ମୂର୍ତ୍ତିଙ୍କ ଉଚ୍ଚତା ୪ଫୁଟରୁ ଅଧିକ ରଖିବା, କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଅନୁମତି ଦେବା, ପୂଜା ମଣ୍ଡପରୁ ପରଦା ହଟାଇବା ଆଦି ଦାବିରେ କଟକ ନଗର ପୂଜା କମିଟି ବୈଠକରେ ସରଗରମ ଆଲୋଚନା ହୋଇଛି ।
ଏହି ପ୍ରସଙ୍ଗରେ ବିରୋଧିଦଳ ପକ୍ଷରୁ ସୋମବାର ଦିନ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ୧୬ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଟକର ପ୍ରତିନିଧିମାନେ ଆଲୋଚନା କରିବେ ବୋଲି କୁହାଯାଉଛି । ଉତ୍ତରପ୍ରଦେଶରେ କୁମ୍ଭ ମେଳା, କେରଳରେ ଓନାମ ପର୍ବ ପାଇଁ କଟକଣା କୋହଳ କରାଯିବା ଏବଂ ପଶ୍ଚିମବଙ୍ଗ ସମେତ ୫ଟି ପ୍ରଦେଶରେ ନିର୍ବାଚନବେଳେ କଟକଣାକୁ ନମାନିବା ଯୋଗୁଁ କରୋନା ସଂକ୍ରମଣ ବ୍ୟାପିଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର ପାର୍ବଣଋତୁ ପାଇଁ କୋଭିଡ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି ।
ଯଦି କଟକ ଲାଗି କଟକଣା କୋହଳ ହୁଏ ତେବେ ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡା, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜୟପୁର, କଳାହାଣ୍ଡି, ବଲାଙ୍ଗିର ସମେତ ରାଜ୍ୟର ଯେଉଁସବୁ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଅନୁଷ୍ଠିତ ହୋଇଥାଏ ସେଠାରେ ବି ମଣ୍ଡପଗୁଡିକ ଉପରୁ କଟକଣା ହଟାଇବାପାଇଁ ଦାବି ଜୋର ଧରୁଛି । ଗୋଟିଏ ପଟେ କରୋନାର ଚଳିତ ସଂକ୍ରମଣ ଟିକେ କମିଥିବାବେଳେ ମୁଣ୍ଡଉପରେ କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରର ଖଣ୍ଡା ଝୁଲୁଥିବାବେଳେ ଶାରଦୀୟ କଟକଣାକୁ କେନ୍ଦ୍ରକରି ରାଜନୈତିକ ନେତାମାନେ ଜବରଦସ୍ତ କସରତ ଚଳାଇଛନ୍ତି । ତେବେ ସପ୍ତାହକ ମଧ୍ୟରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଥିବାବେଳେ ଚିକିତ୍ସା ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱଆରୋପ କରୁଛନ୍ତି । (ତଥ୍ୟ)