ପ୍ରଶାସନିକ କଳକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ କମିଶନ ଓ ବୋର୍ଡଗୁଡ଼ିକୁ କ୍ରିୟାଶୀଳ କରିବା ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱାରୋପ କରୁଛନ୍ତି । ଏହି ସଂସ୍ଥାଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଦସ୍ୟ ପଦବୀ ପୂରଣ ପାଇଁ ତତ୍ପରତା ପ୍ରକାଶ ପାଇଛି ।
ରାଜ୍ୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ବରିଷ୍ଠ ସଦସ୍ୟ ଏହାର ଭାରପ୍ରାପ୍ତ ଅଧ୍ୟକ୍ଷ ଅଛନ୍ତି । ସେହିପରି ରାଜ୍ୟ ସୂଚନା କମିଶନରେ କେତେଗୁଡ଼ିଏ ସୂଚନା କମିଶନର ପଦବୀ ପୂରଣ ଲାଗି ପଦକ୍ଷେପ ନିଆଯାଉଥିବା ଜଣାଯାଇଛି ।
ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନରେ ଜଣେ ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଫିସର ଅଧ୍ୟକ୍ଷ ଥିବା ବେଳେ ଜଣେ ପୂର୍ବତନ ବିଧାୟିକା ଓ ଅନ୍ୟ ଜଣେ ଅବସରପ୍ରାପ୍ତ ଓଏଫ୍ଏସ୍ ଅଫିସର ଏହାର ସଦସ୍ୟ ଅଛନ୍ତି । ଏହି ସଂସ୍ଥାର ଆଉ କେତେକ ସଦସ୍ୟ ପଦବୀ ଦୀର୍ଘ ବର୍ଷ ଧରି ଖାଲିପଡ଼ିଛି । ଏହା ପୂରଣ ଲାଗି ବିଜ୍ଞାପନ ପ୍ରକାଶ ପରେ ପରେ ଏବେ ପ୍ରାର୍ଥୀ ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଚଳିତମାସ ମଧ୍ୟରେ ଓଡ଼ିଶା ଖାଦ୍ୟ କମିଶନର ଆଉ କେତେଜଣ ନୂଆ ସଦସ୍ୟ ନିଯୁକ୍ତି ପାଇପାରନ୍ତି ।
ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ହେଉଛି ଲୋକାୟୁକ୍ତ । ବହୁ ସଦସ୍ୟ ବିଶିଷ୍ଟ ଲୋକାୟୁକ୍ତର ମୁଖିଆ ପଦବୀରେ ନିଯୁକ୍ତି ଦିଆଯାଇଥିବା ବେଳେ ଖାଲି ପଡ଼ିଥିବା ଅନ୍ୟାନ୍ୟ ସଦସ୍ୟ ପଦବୀଗୁଡ଼ିକ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିଚାର ବିମର୍ଶ ଚାଲିଛି ।
ଓଡ଼ିଶା ସରକାର ଗଠନ କରିଥିବା ଆଇନ୍ କମିଶନର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଅନ୍ୟ ସଦସ୍ୟ ପଦବୀଗୁଡ଼ିକ ଖାଲିପଡ଼ିଛି । ଆଇନ୍ଗତ ସଂସ୍କାର କ୍ଷେତ୍ରରେ ଏହି କମିଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଦୃଷ୍ଟିରୁ ପୋଖତ ଲୋକଙ୍କୁ ନେଇ ପୂର୍ଣ୍ଣାଙ୍ଗ ଆଇନ୍ କମିଶନକୁ କାର୍ଯ୍ୟକ୍ଷମ କରାଇବା ପାଇଁ ମଧ୍ୟ ବିଭାଗୀୟ ସ୍ତରରେ ଉଦ୍ୟମ ଚାଲିଛି ।
ରାଜ୍ୟ ସରକାର ଯୋଜନା ବୋର୍ଡର ପୁନର୍ଗଠନ କରିବେ । ଜଣେ ଅନୁଭବୀ ରାଜନେତାଙ୍କୁ ଏହାର ଉପାଧ୍ୟକ୍ଷ ଦାୟିତ୍ୱ ଦେଉଛନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସଂସ୍ଥାର ସଦସ୍ୟ ଭାବେ ନିଯୁକ୍ତ କରି ବୋର୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ପାଇଁ ଯୋଜନା ଚାଲିଛି ।
ସେହିଭଳି ରାଜ୍ୟ ମହିଳା କମିଶନ, ଶିଶୁ ଅଧିକାର ସୁରକ୍ଷା କମିଶନ, ଭିନ୍ନକ୍ଷମ କମିଶନ, ସମାଜ ମଙ୍ଗଳ ବୋର୍ଡ, ଯୁବ ମଙ୍ଗଳ ବୋର୍ଡ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମିଶନ୍ ଶକ୍ତି ଆଦି ଅନୁଷ୍ଠାନଗୁଡ଼ିକ ଯେପରି ଅଧିକ କ୍ରିୟାଶୀଳ ହୋଇପାରିବେ ତାହା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗମାନେ ଧ୍ୟାନ ରଖିଛନ୍ତି ।
ରାଜ୍ୟ ସରକାର ଏହି କମିଶନ ଓ ବୋର୍ଡଗୁଡ଼ିକ ଲାଗି ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । ତେବେ ଅଧିକାଂଶ ସଂସ୍ଥାରେ ସଦସ୍ୟଙ୍କ ସମେତ ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଥିବାରୁ ଏହି ସଂସ୍ଥାଗୁଡ଼ିକ ଉପରେ ଚାପ ବଢ଼ୁଛି । ଏହି ସମସ୍ୟାକୁ ଆଖି ଆଗରେ ରଖି ସରକାରୀ କମିଶନ ଓ ବୋର୍ଡଗୁଡ଼ିକ ଯେପରି ଅଧିକ କ୍ରିୟାଶୀଳ ହୁଅନ୍ତି ତାହା ଉପରେ ପ୍ରଶାସନିକ ବିଭାଗଗୁଡ଼ିକ ସତର୍କ ଦୃଷ୍ଟି ରଖିଛନ୍ତି ।