ଭୁବନେଶ୍ୱର: ରାଜ୍ୟର ଥାନାଗୁଡିକ ପାଇଁ ଓକାକ୍ (ଓଡ଼ିଶା କମ୍ପୁଟର ଆପ୍ଲିକସେନ ସେଣ୍ଟର) ଜରିଆରେ ସିସିଟିଭି କିଣାରେ ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି । ଓକାକ୍ ବର୍ତମାନ ଓଡିଶା କରପସନ୍ ସେଣ୍ଟରରେ ପରିଣତ ହୋଇସାରିଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଅଭିଯୋଗ କରିଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶାର ୫୯୩ଟି ଥାନାରେ ସିସିଟିଭି ସ୍ଥାପନ ଲାଗି ଓକାକ୍ ଜରିଆରେ ରାଜ୍ୟ ସରକାର ମୁମ୍ବାଇର ମେସର୍ସ କ୍ରିଷ୍ଟାଲ ଇଂଟିଗ୍ରେଟେଡ଼ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ୧୦୪.୯୬ କୋଟି ଟଙ୍କାର ପରଚେଜ ଅର୍ଡର ଦେଇଛନ୍ତି । ପ୍ରତି ଥାନାରେ ସିସିଟିଭି ସ୍ଥାପନ ଲାଗି ୧୫.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ୮ଟି ବୁଲେଟ କ୍ୟାମେରା ଓ ୧୨ଟି ଡୋମ କ୍ୟାମେରା ସ୍ଥାପନ କରାଯାଇ ଥାନା ମଧ୍ୟରେ ବିଭିନ୍ନ ଗତିବିଧି ଉପରେ ନଜର ରଖାଯିବ ।
ସବୁଠାରୁ ବଡ଼ ପ୍ରଶ୍ନ ହେଲା ଯେ, ଖୋଲା ବଜାରରୁ ଆଣିଲେ ସମାନ ସ୍ପେସିପିକେଶସନ ବିଶିଷ୍ଟ କ୍ୟାମେରା ଓ ଅନ୍ୟାନ୍ୟ ଉପକରଣ ସ୍ଥାପନ ବାବଦରେ ସର୍ବାଧିକ ଛଅ ଲକ୍ଷ ଟଙ୍କାରେ ମିଳୁଥିବା ବେଳେ ଯାହା ରାଜ୍ୟର ୫୯୩ଟି ଥାନା ପାଇଁ ସର୍ବୋମୋଟ ୩୫.୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ପରଚେଜ ଅର୍ଡରରେ ୫୯୩ଟି ଥାନାରେ ସିସିଟିଭି ସ୍ଥାପନ ବାବଦରେ ୯୪.୪୧୫ କୋଟି ଟଙ୍କା ଖର୍ଚ୍ଚ ଉଲ୍ଲେଖ ରହିଛି ।
ସେହିପରି ସେଂଟ୍ରାଲ ମନିଟରିଂ ସିଷ୍ଟମ ସ୍ଥାପନା ବାବଦରେ ୧୦.୨୧ କୋଟି ଖର୍ଚ୍ଚ କରାଯିବ ଯାହାକି ବଜାର ଦର ଠାରୁ ଖୁବ୍ ଅଧକ । ମୋଟାମୋଟି ଭାବେ ଦେଖିବାକୁ ଗଲେ ବଜାର ଦର ଅନୁଯାୟୀ ସର୍ବାଧିକ ୪୦ କୋଟି ଟଙ୍କା ଖର୍ଚ୍ଚ ହେବା କଥା । କିନ୍ତୁ ରାଜ୍ୟ ସରକାର ୨୫୦ ପ୍ରତିଶତ ଅଧିକ ଦରରେ ମୁମ୍ବାଇର ମେସର୍ସ କ୍ରିଷ୍ଟାଲ ଇଂଟିଗ୍ରେଟେଡ଼ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ପରଚେଜ ଅର୍ଡର ଦେଇଛନ୍ତି । ଟେଣ୍ଡରରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଥିବାରୁ ପରଚେଜ ଅର୍ଡରକୁ ତୁରନ୍ତ ରଦ୍ଦ କରିବାକୁ ଶ୍ରୀ ଦାସ ଦାବୀ କରିଛନ୍ତି ।
ସୁଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ସିସିିଟିଭି ସ୍ଥାପନ ଲାଗି ପରଚେଜ ଅର୍ଡର (ସଂଖ୍ୟା-୩୬, ତା.୨୩/୦୭/୨୦୨୧) ଇସ୍ୟୁ ବେଳେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆଖିବୁଜି ଦେଇଛନ୍ତି । ବିଶେଷ କରି କମ୍ପାନୀର ସର୍ଭିସ ସେଂଟର ଓଡ଼ିଶାରେ ଅଛି କି ନାହିଁ ସେବିଷୟରେ ଯାଂଚ କରିନାହାନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି କୌଣସି କ୍ୟାମେରା ଅଥବା ଅନ୍ୟ ଉପକରଣ ଖରାପ/ଅକାମୀ ହୋଇପଡ଼େ ସେଭଳି ସ୍ଥିତିରେ କିଭଳି ସଜଡ଼ା ଯିବ ? ଏଗୁଡିକକୁ ରାଜ୍ୟ ଭିତରେ ଠିକ୍ କରାଯିବ ଅଥବା କମ୍ପାନୀର ଉତରପ୍ରଦେଶସ୍ଥିତ ସର୍ଭିସେ ସେଂଟରକୁ ସଜଡ଼ା ଲାଗି ପଠାଯିବ ? ରାଜ୍ୟର କୋଣ ଅନୁକୋଣରୁ ଆଗାମୀ ଦିନରେ ବିଭିନ୍ନ ଅକାମୀ ଉପକରଣ ଓ କ୍ୟାମେରାକୁ କିଭଳି ସଂଗ୍ରହ କରାଯିବ ଏବଂ ସେଥିଲାଗି କଣ ବ୍ୟବସ୍ଥା ରହିଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ଦାସ ଦାବୀ କରିଛନ୍ତି ।
ଟେଣ୍ଡରରେ ଘୋଟାଲା ବିଷୟରେ ଏକ ପ୍ରମାଣ ଉପସ୍ଥାପନା କରି କହୁଛୁ ଯେ, ଭାରତ ସରକାରଙ୍କ ଜେମ୍ ମାର୍କେଟିଂ ୱେବସାଇଟରେ କ୍ୟାମେରା ମଡେଲ ସଂଖ୍ୟା (ଏସ୍ ସି-ଆଏଫ୍୩୨ଡିପି୧)ର ୟୁନିଟ୍ ପିଛା ୧୧,୮୦୦ଟଙ୍କାରେ ମିଳୁଥିବାବେଳେ ରାଜ୍ୟ ସରକାରଙ୍କ ପରଚେଜ ଅର୍ଡରରେ ସମାନ ମଡେଲର କ୍ୟାମେରାର ମୂଲ୍ୟ ୧୫,୭୨୯ ଟଙ୍କା ରହିଛି । କଂପାନୀକୁ ପରଚେଜ ଅର୍ଡର ଇସ୍ୟୁ କରିବା ପୂର୍ବରୁ ନବୀନ ସରକାର କାହିଁକି ଭାରତ ସରକାରଙ୍କ ଜେମ୍ ମାର୍କେଟିଂ ୱେବସାଇଟରେ ବିଭିନ୍ନ କ୍ୟାମେରା ଓ ଅନ୍ୟାନ୍ୟ ଉପକରଣର ମୂଲ୍ୟକୁ ଯାଂଚ କରିଲେ ନାହିଁ, ତାହା ସ୍ପଷ୍ଟ କରିବାକୁ ଶ୍ରୀ ଦାସ ଦାବୀ କରିଛନ୍ତି ।
ରାଜ୍ୟ ସରକାର ତୁରନ୍ତ ଏହି ଟେଣ୍ଡରକୁ ବାତିଲ କରନ୍ତୁ ଏବଂ ଏହି ଦୁର୍ନୀତିରେ ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥି ସହ ବିଧାୟକମାନଙ୍କୁ ନେଇ ଗୋଟିଏ ପରଚେଜ କମିଟି ଗଠନ କରିବାକୁ ଶ୍ରୀ ଦାସ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ ସୋରେନ, ନବ ଚରଣ ମାଝୀ ଏବଂ ଡ.ବୁଧନ ମୁର୍ମୁ ଉପସ୍ଥିତ ଥିଲେ ।