ଭୁବନେଶ୍ୱର : ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅବଧିକୁ ବଢାଇବା ପାଇଁ ନେଇଥିବା ନିଷ୍ପତ୍ତି ଲାଗି ପ୍ରଶଂସା କରିଛନ୍ତି । ଓଡିଶା ସରକାର ୨୦୩୩ ପର୍ଯ୍ୟନ୍ତ ଆହୁରି ୧୦ ବର୍ଷ ପାଇଁ ଉଭୟ ହକି ଦଳର ପ୍ରାୟୋଜକ ରହିବେ ।
ମୁଖ୍ୟ ପ୍ରାୟୋଜକ ଭାବରେ ଓଡିଶା ଗତ ତିନିବର୍ଷ ଧରି ଭାରତୀୟ ହକିକୁ ସମର୍ଥନ କରିଆସୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଦୂରଦୃଷ୍ଟି ଏବଂ ଜାତୀୟ ଖେଳ ପ୍ରତି ଥିବା ଆଗ୍ରହ ପାଇଁ ସମସ୍ତ ଶ୍ରେୟ ପାଇବାକୁ ଯୋଗ୍ୟ, କାରଣ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପାଇଁ ପୁରୁଷ ଦଳ ଜର୍ମାନୀକୁ ହରାଇବା ପରେ ଭାରତ ଅଲିମ୍ପିକ୍ସରେ ହକିରେ ପଦକ ଜିତିବା ପାଇଁ ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଥିଲା । ମହିଳା ଦଳ ମଧ୍ୟ ଯେକୌଣସି ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନ ହାସଲ କରିଛି ।
ଓଏସଏଲ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ମହିମାନନ୍ଦ ମିଶ୍ର କହିଛନ୍ତି ଯେ ଓଡିଶା ଦେଶରେ ହକିର ରାଜଧାନୀ ବୋଲି କୁହାଯାଉଛି, ହକିକୁ ସମର୍ଥନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଖେଳର ଅତୀତର ଗୌରବ ଆମ ଦେଶକୁ ଫେରାଇ ଆଣିବା ପାଇଁ ଏକ ସଠିକ୍ ପଦକ୍ଷେପ ।