ଭୁବନେଶ୍ୱର : ଓଡିଶା ଇ-ଯାନ ନୀତି ଉପରେ ଆଜି କ୍ୟାବିନେଟ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଏହାକୁ ସବୁଜ ସଙ୍କେତ ଦେଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଏହି ନୀତିରେ ୨୦୨୫ ସୁଦ୍ଧା ଯେଭଳି ୨୦ ପ୍ରତିଶତ ବ୍ୟାଟେରୀ ଚାଳିତ ଯାନ ଗଡିବ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ୱାରା ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନନକାରୀ ଉଦ୍ୟୋଗମାନଙ୍କୁ ଉତ୍ସାହିତ କରିବା ସହିତ ଏ କ୍ଷେତ୍ରରେ ନବୀନକରଣ ଓ ଗବେଷଣାକୁ ପ୍ରୋତ୍ସାହନ ଦେବାପାଇଁ ବ୍ୟବସ୍ଥା ହୋଇଛି ।
ପ୍ରସ୍ତାବିତ ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀ ଲୋକଙ୍କୁ ଆର୍ଥିକ ରିହାତି ଦେବା ସହିତ ଗାଡି ପଞ୍ଜିକରଣ ଦେୟ ଓ ରୋଡ ଟ୍ୟାକ୍ସ ଛାଡ କରିବାର ବ୍ୟବସ୍ଥା ରହିଛି । ଏହାଦ୍ୱା ବ୍ୟତିତ ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରିବାପାଇଁ ପ୍ରୋତ୍ସାହନ ଓ ବୈଦ୍ୟୁତିକ ଗାଡି କିଣିବାପାଇଁ ଋଣ ବାବଦକୁ ସୁଧ ଛାଡର ବ୍ୟବସ୍ଥା ରହିଛି ।
ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ବିଭାଗର ‘ଷ୍ଟାର୍ଟ ଅପ୍’ ନୀତିରେ ଉକ୍ତ ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବାପାଇଁ ସ୍ଥିର ହୋଇଛି ।
ରାସ୍ତାରେ ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟରଯାନ ଗୁଡିକରୁ ନିସୃତ ବିଷାକ୍ତ ବସ୍ତୁ ଓ ବାୟୁ ଏହି ବିଶ୍ୱ ତାପାୟନ ପାଇଁ ବହୁଳ ଭାବରେ ଦାୟୀ । ଏହି ପରିପ୍ରେକ୍ଷୀରେ ବିଶ୍ୱ ତାପାୟନକୁ ହ୍ରାସ କରିବାପାଇଁ ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟର ଯାନର ହ୍ରାସ ଘଟାଇ ବୈଦ୍ୟୁତିକ ଯାନର ପ୍ରଚଳନକୁ ତ୍ୱରିତ କରିବା ନିହାତି ଜରୁରୀ ଅଟେ । ତେଣୁ ରାଜ୍ୟ ସରକାର ଏହି ଇ-ଯାନ ନୀତି ଆଣିଛନ୍ତି ।