ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ୫୦୦ ଏକରରୁ ଅଧିକ ସରକାରୀ ଜମିକୁ ଲୋକେ ମାଡିବସିଥିବାବେଳେ ତାହାକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ଜାରି ରହିଛି । ତେବେ ସହରରେ ଆଉ କେତେ ପରିମାଣରେ ଅବ୍ୟବହୃତ ସରକାରୀ ଜମି ମାଫିଆମାନଙ୍କ ହାତକୁ ଚାଲିଗଲାଣି ତାହାର ଚୂଡାନ୍ତ ହିସାବ ହୋଇପାରୁ ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସହରରେ ସାଧାରଣ ପ୍ରଶାସନ ବିଭାଗ ଅଧିନରେ ମୋଟ୍ ୨୨,୯୦୦ ଏକର ଜମି ରହିଛି । ତେବେ ଏହି ସରକାରୀ ଜମି ମଧ୍ୟରୁ କେତେ ବ୍ୟବହାର ନହୋଇ ପଡି ରହିଛି ତାହାର ହିସାବ ସରକାରଙ୍କ ନିକଟରେ ନାହିଁ । ସେଥିପାଇଁ ଏହି ଅବ୍ୟବହୃତ ଜମି ମଧ୍ୟରୁ କେତେ ଜମିକୁ ମାଫିଆମାନେ ଜବରଦଖଲ କରିନେଇଛନ୍ତି ତାହାର ବି ଆକଳନ ହୋଇପାରୁ ନାହିଁ ।
ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୫୦୦ ଏକରରୁ ଅଧିକ ଜମି ବେଆଇନ୍ ଭାବେ ଲୋକେ ମାଡି ବସିଛନ୍ତି । କୋଟି କୋଟି ଟଙ୍କା ମୂଲ୍ୟର ଏହି ସରକାରୀ ଜମିକୁ ମୁକୁଳାଇବାପାଇଁ ସରକାର ୨୦୧୪ ମସିହାରୁ କେନ୍ଦ୍ରୀୟ ପ୍ରବର୍ତ୍ତନ ପର୍ଯ୍ୟବେକ୍ଷଣ କମିଟି ଗଠନ କରିଛନ୍ତି । ଏହି କମିଟି ଜବରଦଖଲ ହୋଇଥିବା ଜମିକୁ ମୁକୁଳାଇବା କଥା ।
ହେଲେ ଜମି ଜବରଦଖଲ କରିଥିବା ଲୋକେ ୧୦ହଜାରରୁ ଅଧିକ ମାମଲା ରୁଜୁ କରୁଥିବାରୁ ଜବରଦଖଲ ଜମି ମୁକୁଳାଯାଇ ପାରୁନାହିଁ । ମାମଲା ପାଇଁ ସରକାର ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବାବେଳେ ଜବରଦଖଲକାରୀମାନେ କିନ୍ତୁ ଉକ୍ତ ଜମି ଉପରେ ଘର, ଦୋକାନଘର ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ଭଡା ଅର୍ଥରେ ବର୍ଷ ବର୍ଷ ଧରି ସରକାରଙ୍କ ବିରୁଦ୍ଧରେ ମାମଲା ଲଢୁଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏବେ ସହରର ବିଭିନ୍ନ ସ୍ଥାନରେ ‘ଏହା ସରକାରୀ ସମ୍ପତ୍ତି । ଜବରଦଖଲ ଦଣ୍ଡନୀୟ ଅପରାଧ’ ବୋଲି ବୋର୍ଡ ମରାଯାଉଛି । ହେଲେ ସରକାର ଯେଉଁଠି ବୋର୍ଡ ମାରୁଛନ୍ତି ସେହିଠାରେ କିମ୍ବା ତାହାରି ଆଖପାଖରେ ରାତାରାତି ବସ୍ତି ଗଢି ଉଠୁଛି । ମାଫିଆମାନେ ସାଧାରଣ ପ୍ରଶାସନ ଜମିକୁ ପ୍ଲଟିଂ କରି ଶାଗମାଛ ଦରରେ ବିକ୍ରି କରୁଛନ୍ତି । ରାତାରାତି ସେଠାରେ ଘର ତିଆରି କରି ପାଣି ଓ ବିଜୁଳି ସଂଯୋଗ ଦେଇଦେଉଛନ୍ତି । ଏହାପରେ ଗଢି ଉଠୁଥିବା ଏହି ବସ୍ତିକୁ ଭାଙ୍ଗିବାକୁ ଆଉ ସରକାରୀ ବାବୁମାନଙ୍କର ଯୁ ପାଉନାହିଁ ।
ଏହିଭଳି ଭାବେ ସହର ଭିତରେ ଓ ଆଖପାଖରେ ଶହ ଶହ କୋଟି ଟଙ୍କାର ଜମି ସରକାରଙ୍କ ହାତରୁ ଖସିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଯେଉଁ ୫୦୦ ଏକରରୁ ଅଧିକ ଜମି ଜବରଦଖଲ ହୋଇଛି ତାହା ଭିତରେ ବାପୁଜୀନଗର ଠାରୁ ଆରମ୍ଭକରି ଶହୀଦନଗର, ଆଚର୍ଯ୍ୟବିହାର, ଜୟଦେବବିହାର, ଲକ୍ଷ୍ମୀସାଗର, ପଟିଆ, ଖଣ୍ଡଗିରି ଆଦି ମୂଲ୍ୟବାନ ଜମି ଥିବା ଅଞ୍ଚଳ ରହିଛି ।
ତେବେ କରୋନା ମହାମାରୀ ସମୟରେ ସରକାରୀ ଜମି ଜବରଦଖଲ ଅଧିକ ଭାବରେ ବଢିବା ସହିତ ସହରରେ ବସ୍ତିସଂଖ୍ୟା ବି ବଢିବାରେ ଲାଗିଛି । ଯେହେତୁ ସରକାର ଗତ ୫ବର୍ଷ ଭିତରେ ଗୋଟିଏ ହେଲେ ବେଆଇନ୍ ବସ୍ତିକୁ ହଟାଇ ନାହାନ୍ତି ତେଣୁ ଏଥିରେ ଉତ୍ସାହିତ ହୋଇ ଜମି ମାଫିଆମାନେ ମନଇଚ୍ଛା ସରକାରୀ ଜମିରେ ବସ୍ତି ତିଆରି କରିବାରେ ଲାଗିଛି । ସାଧାରଣ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନହେଲେ ରାଜଧାନୀରେ ଯେଉଁ କିଛି ସରକାରୀ ଜମି ଅଛି ତାହା ବି ହାତରୁ ଖସିଯିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)