ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଓଡ଼ିଶାର ଶିକ୍ଷା ଓ ଶିକ୍ଷକମାନଙ୍କର ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଛି ଓଡ଼ିଶା ପ୍ରାଥମିକ ବି.ଏଡ୍. ଶିକ୍ଷକ ମହାସଂଘ । ସଂଘର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଡଃ ଦେବେନ୍ଦ୍ର କୁମାର ନାୟକ ଓ ବନବିହାରୀ ପ୍ରତିହାରୀ ପ୍ରମୁଖ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଭେଟିଥିଲେ ।
ଆଲୋଚନା ସମୟରେ ମହାସଂଘ ତରଫରୁ ବିଭିନ୍ନ ଦାବି ଉପସ୍ଥାପନ କରି ତା’ର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ରାଜ୍ୟରେ ତୁରନ୍ତ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରାଯିବା ସହ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଥିବା ସମସ୍ୟା ଓ ସେଗୁଡ଼ିକ କିପରି କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ସମାଧାନ ହୋଇପାରିବ ଏବଂ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିକୁ ସଜଡ଼ାଯାଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା ।
ଶିକ୍ଷକମାନଙ୍କ ସମସ୍ୟା ବିଷୟରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପଣ୍ଡା, ମନ୍ତ୍ରୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । “ଗୋଟିଏ ଦେଶ, ଗୋଟିଏ ଶିକ୍ଷାନୀତି ଏବଂ ଗୋଟିଏ ପ୍ରକାରର ଶିକ୍ଷକ ନିଯୁକ୍ତି ନୀତି”କୁ ଆପଣାଇବାକୁ ସଂଘ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ମହାସଂଘ ତରଫରୁ ପ୍ରସ୍ତାବ ଦିଆଯାଇଛି । ଏହା ହେଲେ ଶିକ୍ଷକମାନଙ୍କ ମଧ୍ୟରେ ଥିବା ବିଭିନ୍ନ ଗୋଷ୍ଠୀ ଓ ଭେଦଭାବ ଦୂର ହେବା ସହ ସାରା ଭାରତରେ ଶିକ୍ଷକମାନେ ଗୋଟିଏ ପ୍ରକାରର ହେବ । ସେମାନଙ୍କ ମଧ୍ୟରେ ଥିବା ତାରତମ୍ୟତା ଓ ଗୋଷ୍ଠୀ ବିବାଦ ଦୂର ହୋଇ ସମସ୍ତେ ସମାନ ହୋଇପାରିବେ ବୋଲି ମହାସଂଘ ଜଣାଇଛି ।
ଓଡ଼ିଶା ସରକାର ବିଜ୍ଞାପନ ଦେଇ ଓ.ଟି.ଇ.ଟି. ପରୀକ୍ଷା କରାଇ ବି.ଏଡ୍୍. ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡରର ବ୍ୟବସ୍ଥା ନ କରି ସମସ୍ତଙ୍କୁ ଗୋଟିଏ ପ୍ରକାରର ମାଟ୍ରିକ୍ ସିଟି ହାରରେ ଦରମା ଦିଆଯାଉଥିବା ବିଷୟ ସଂଘ ମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଯାଇଥିଲା । ସମଗ୍ର ଶିକ୍ଷା ଯୋଜନାରେ କନିଷ୍ଠ ଶିକ୍ଷକମାନଙ୍କୁ ବିଜ୍ଞାପନ ଦେଇ ନିଯୁକ୍ତି ଦେଉଥିଲେ ମଧ୍ୟ କେନ୍ଦ୍ର ଦେଉଥିବା ଅନୁଦାନ ଅନୁସାରେ ଶିକ୍ଷକଙ୍କୁ ଦରମା ନ ଦେଇ ମାତ୍ର ଟ.୬୫୧୨/- ଦରମା ଦେଇ ଛଅ ବର୍ଷ ଗୋତି ଶ୍ରମିକ ଭାବେ ଖଟାଉଛନ୍ତି ଏବଂ ଏହି ସମୟକୁ ମୂଳ ଚାକିରୀରେ ଗଣନା ମଧ୍ୟ କରୁନଥିବା ବିଷୟ କେନ୍ଦ୍ର ମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଯାଇଛି ।
ଆଦୌ ନିଯୁକ୍ତି ପାଇନଥିବା ବି.ଏ. / ବି.ଏସ୍ସି., ସି.ଟି. ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ପ୍ରମୋଶନ ଦିଆଯାଇ ବି.ଏଡ୍ ଶିକ୍ଷକମାନଙ୍କ ସହ ସମତୁଲ କରାଯାଉଥିବା ବିଷୟ ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଛି । ଏଥିରେ ମନ୍ତ୍ରୀ ମହୋଦୟ ହସ୍ତକ୍ଷେପ କରି ଓଡ଼ିଶାର ଶିକ୍ଷକମାନଙ୍କୁ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେସଙ୍ଗେ ନ୍ୟାୟ ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି ।