Home News in Odia ଅଗଷ୍ଟ ୩ରୁ ଖୋଲିବ ନନ୍ଦନକାନନ

ଅଗଷ୍ଟ ୩ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର : ଆସନ୍ତା ୩ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦର୍ଶକଙ୍କ ପାଇଁ କୋଭିଡ କଟକଣା ମଧ୍ୟରେ ଖୋଲିବ । ଅଗଷ୍ଟ ମାଦର୍ଶିକାରେ ପାର୍କଗୁଡିକୁ ଖୋଲିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବାପରେ ତିନି ତାରିଖରୁ ନନ୍ଦନକାନନ ଖୋଲିବାପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ।

ତେବେ ପ୍ରାଣୀଉଦ୍ୟାନ ଭିତରକୁ ସୀମିତ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ ଓ ଏହା ଭିତରେ ବ୍ୟାଟେରୀଚାଳିତ ଗାଡି କିମ୍ବା ନୌକା ବିହାରର ସୁବିଧା ମିଳିବ ନାହିଁ । କରୋନା କଟକଣାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦର୍ଶକମାନେ ଚାଲି ଚାଲି ବିଭିନ୍ନ ପଶୁଙ୍କ ଖୁଆଡ ନିକଟକୁ ଯାଇ ସେମାନଙ୍କୁ ଦେଖିବେ ।

ଉଲ୍ଲେଖନୀୟ ଯେ କରୋନାର ଦ୍ୱିତୀୟ ଲହର ଆସିବା ପରଠାରୁ ରାଜ୍ୟ ସରକାର ନନ୍ଦନକାନନକୁ ବନ୍ଦକରି ରଖିଛନ୍ତି । ଏବେ ସରକାର ଧିରେ ଧିକେ ଅନଲକ ଆଡକୁ ଯାଉଥିବାରୁ ସେହି କ୍ରମରେ ନନ୍ଦନକାନନ ଖୋଲିବାକୁ ଅନୁମତି ମିଳିଛି ।

ଅନୁରୂପ ଭାବେ କରୋନା ପାଇଁ ବନ୍ଦ ଥିବା ଭିତରକନିକା ପର୍ଯ୍ୟଟନସ୍ଥଳୀ ମଧ୍ୟ ଆସନ୍ତା ୫ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । ତେବେ ଏଠାରେ ପର୍ଯ୍ୟଟକମାନେ ଏବେ ରାତ୍ରୀଯାପନର ସୁବିଧା ପାଇବେ ନାହିଁ । ଦିନବେଳା ସେମାନେ ବିଭିନ୍ନ ସ୍ଥାନ ବୁଲାବୁଲି କରିପାରିବେ ।

ଭିତରକନିକା ଅଭୟାରଣ୍ୟ ଖୋଲିବାପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବାପରେ ଏବେ ପର୍ଯ୍ୟଟକମାନଙ୍କ ପାଇଁ ବୋଟ୍‍ଗୁହିକ ପ୍ରସ୍ତୁତ ହେଉଛି । ବର୍ତ୍ତମାନ କେବଳ ଡାଙ୍ଗମାଳ ଓ ଗୁପ୍ତି ବାଟେ ପର୍ଯ୍ୟଟକମାନେ ଆସିପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।