ଭୁବନେଶ୍ୱର : ଚଳିତ ବର୍ଷ ଫେବୃୟାରୀ ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡର ଦ୍ୱିତୀୟ ଲହର ଥମୁଥିବାବେଳେ ଏବେ ବି ୪ଟି ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ୍ ୪ ପ୍ରତିଶତ ଉପରେ ରହିଛି । ଏହି ୪ଟି ଜିଲ୍ଲା ହେଉଛି ଯାଜପୁର, ଖୋରଧା, ପୁରୀ ଏବଂ କଟକ । ଅନ୍ୟ ଜିଲ୍ଲାଗୁଡିକରେ ୨ପ୍ରତିଶତରୁ ସାମାନ୍ୟ ଅଧିକ ରହିଛି ।
ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଇତି ମଧ୍ୟରେ ୧୫୫ଦିନରେ ପହଞ୍ଚିଥିବାବେଳେ ମଇ ୨୩ ତାରିଖରେ ସର୍ବାଧିକ ୧୨,୮୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସଂକ୍ରମଣ ଆରମ୍ଭ ହେବାର ୬୦ଦିନ ପରେ ଦେଖିବାକୁ ମିଳିଥିଲା । ଏହା ପରେ ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଇଥିଲା । ତେବେ ଜୁଲାଇ ୬ ତାରିଖ ପରେ ଏହା ଦୈନିକ ୨୫୦୦ ରୁ ୨୦୦୦ ଭିତରେ ରହୁଥିବାବେଳେ ଏହାକୁ ପ୍ଲାଟୁ ସ୍ଥିତି ବୋଲି କୁହାଯାଉଛି ।
ଆଜି ଗୋଟିଏ ଦିନରେ ୧୮୬୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋରଧାରେ ୪୯୬, କଟକରେ ୨୨୧, ଯାଜପୁରରେ ୧୦୭ ଓ ପୁରୀରେ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଠାରେ ଟେଷ୍ଟ ପଜିଟିଭ ୪ ପ୍ରତିଶତ ଉପରେ ରହିଥିବା ଜଣାଯାଇଛି ।
ଇତି ମଧ୍ୟରେ ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି । ୬୧୦ ଗୁରୁତର ଚିକିତ୍ସା ଶଯ୍ୟା ସହିତ ଏଥିପାଇଁ ୩ହଜାର ଶଯ୍ୟା ଚିହ୍ନଟ ହୋଇଛି । ତେବେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଶଯ୍ୟା ବ୍ୟବସ୍ଥା ହୋଇଥିବା ଜଣାଯାଇଛି । କଟକ ସ୍ଥିତ ଶିଶୁ ଭବନକୁ ଏଥିପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସିରେ ପରିଣତ କରାଯିବ ।
ଇତି ମଧ୍ୟରେ ରାଜ୍ୟରେ ୨୮ଟି ପିଏସ୍ଏ ଓ ୧୫ଟି ତରଳ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ଦୈନିକ ୨୦୦-୨୫୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ ହୋଇପାରୁଛି । ରାଜ୍ୟର ଚାହିଦା ହେଉଛି ଦୈନିକ ହାରାହାରି ୫୦ ମେଟ୍ରିକ ଟନ୍ । ସେହିଭଳି ଜରୁରୀ ସମୟରେ ଚାହିଦା ମେଣ୍ଟାଇବାପାଇଁ ଅକ୍ସିଜେନ୍ ସିଲିଣ୍ଡର ଚାହିଦାକୁ ୧୫୫ ମେଟ୍ରିକ ଟନ୍କୁ ବୃଦ୍ଧି କରାଯାଇଛି ।
କେନ୍ଦ୍ର ସରକାର ଇତି ମଧ୍ୟରେ ଜରୁରୀ କୋଭିଡ ପ୍ୟାକେଜରେ ୨୩,୧୨୩ କୋଟି ଟଙ୍କା ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅର୍ଥର ଅନୁପାତ ୬୦:୪୦ ରହିବ । ଏଥିରୁ ଓଡିଶା ସରକାର ୮୬୧କୋଟି ୯୬ଲକ୍ଷ ଟଙ୍କା ପାଇବେ ।
ରାଜ୍ୟର ତିନି ଜିଲ୍ଲା ଗଞ୍ଜାମ, କୋରାପୁଟ ଓ ରାୟଗଡାରେ ଇତି ମଧ୍ୟରେ ସେରୋ ସର୍ଭେ ହୋଇଥିବାବେଳେ ୬ରୁ ୧୮ବର୍ଷ ପିଲାଙ୍କ ଶରୀରରେ ୬୦ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଥିବା ଜଣାଯାଇଛି । ଏଥିରୁ ଶିଶୁମାନଙ୍କ ଶରୀରରେ କରୋନା ପ୍ରତିରୋଧ ଶକ୍ତି ଅଧିକ ରହିଥିବା ଜଣାଯାଇଛି । (ତଥ୍ୟ)