Home News in Odia ମୋ ଡଙ୍ଗା ଯୋଜନା ପାଇଁ ପ୍ରସ୍ତାବ

ମୋ ଡଙ୍ଗା ଯୋଜନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ବର୍ଷା ଦିନରେ ଭୁବନେଶ୍ୱର ସହରର ଦୟନୀୟ ପରିସ୍ଥିତି ପ୍ରସଙ୍ଗରେ ମାଷ୍ଟର କ୍ୟାଣ୍ଟିନ ଛକରେ ଆଜି ଡଙ୍ଗା ଚଳାଯାଇଥିଲା । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏକ ବଡ଼ ଡଙ୍ଗାକୁ ମାଷ୍ଟର କ୍ୟାଣ୍ଟିନ ଛକରେ ରଖି ତାହା ଉପରେ ରହି ବର୍ଷାଦିନେ ଭୁବନେଶ୍ୱରର ବିଭିନ୍ନ ଅଂଚଳର ଦୁରାବସ୍ଥା ସମ୍ପର୍କରେ ବର୍ଣ୍ଣନା କରିବା ସହ ଯାତାୟତ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ “ମୋ ଡଙ୍ଗା ଯୋଜନା” କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ ।

ଶ୍ରୀ ରାଉତରାୟ କହିଲେ ଯେ ବିଜେଡି ସରକାରର ୨୧ ବର୍ଷର ଶାସନରେ ଭୁବନେଶ୍ୱର ରାସ୍ତାଘାଟ ଅତି ଶୋଚନୀୟ ହୋଇପଡ଼ିଛି । ମାଲକାନଗିରିର ରାସ୍ତା ଠାରୁ ଭୁବନେଶ୍ୱରର ରାସ୍ତା ଖରାପ । ବିଭିନ୍ନ ଯୋଜନାରେ ଭୁବନେଶ୍ୱରର ଗଳି ରାସ୍ତା ଏବଂ ମୁଖ୍ୟ ରାସ୍ତା ସଜାଡ଼ିବା ପାଇଁ କୋଟି କୋଟି ଅର୍ଥ ବ୍ୟୟ ହୋଇଥିଲେ ବି ବିଜେଡ଼ି ସରକାରର ବାଟବାରଣା ନୀତି ପାଇଁ ରାସ୍ତା ଘାଟ ଅବସ୍ଥାର ପରିବର୍ତନ ହେଉନାହିଁ । ମୁଖ୍ୟତଃ ବେଙ୍ଗ ମୁତିଲେ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଜଳନିଷ୍କାସନର ବ୍ୟବସ୍ଥା ନାହିଁ । ପ୍ରାକୃତିକ ଜଳାଧାର ସବୁ ବନ୍ଦ କରି ଅଟ୍ଟାଳିକା ହେବାଦ୍ୱାରା ରାସ୍ତାଘାଟରେ ପାଣି ଜମି ରହୁଛି ।

ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ମାତ୍ର ସରକାର ସ୍ଥାୟୀ ପ୍ରତିକାର କରୁନାହାଁନ୍ତି । ଲୋକଙ୍କ ଘରେ ମଧ୍ୟ ପାଣିପସୁଛି । ବିଶେଷ କରି ଇସ୍କନ ମନ୍ଦିର ପାଖ, ନୂଆପଲ୍ଲି, ବମିଖାଲ, ଜନପଥ, ବାପୁଜୀ ନଗର, ଏରୋଡ୍ରମ ଏରିଆ, ବିଜେପି ନଗର, ଡୁମୁଡୁମା ପ୍ରଭୃତି ଅଂଚଳରେ ବର୍ଷାଜନିତ ପରିସ୍ଥିତି ଅତି ଦୟନୀୟ । ଲୋକେ ଘରୁ ପଦାକୁ ବାହାରିପାରୁ ନାହାଁନ୍ତି । ଏବଂ ପଦାରୁ ଘରକୁ ଆସି ପାରୁନାହାଁନ୍ତି । ଏଣୁ ଯିବାଆସିବା ପାଇଁ ସରକାର ସମୁଦାୟ ୬୭ଟି ୱାର୍ଡ ନିମନ୍ତେ ଡଙ୍ଗା ବ୍ୟବସ୍ଥା କରନ୍ତୁ ବୋଲି ବିଧାୟକ ଶ୍ରୀ ରାଉତରାୟ ପ୍ରସ୍ତାବ ଦେଇଛନ୍ତି ।