ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରି ଗଢି ତୋଳିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଭିନ୍ନ ସଂସ୍କାର ଓ ଗଠନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ଉଚ୍ଚଶିକ୍ଷାର ବିକାଶ ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଛି ବୋଲି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହଛନ୍ତି ।
ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଚତୁର୍ଥ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡଃ ସାହୁ କହିଲେ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ରାଜ୍ୟରେ ମଡେଲ ସିଲାବସ୍ ପ୍ରଚଳନ ସହିତ ପରୀକ୍ଷାରେ ସଂସ୍କାର ଆଣିବା ଉଲ୍ଲେଖନୀୟ ପଦକ୍ଷେପ । ଏଥିସହିତ ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯାଇ ପିଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମଲେଖା କୋଭିଡ ମହାମାରୀ ସମୟରେ ଏକ ବଡ ଉପଲବ୍ଧ ଥିଲା । ପରୀକ୍ଷା ପରିଚାଳନାରେ ସଂସ୍କାର ସହିତ ପ୍ରଶ୍ନବ୍ୟାଙ୍କ ପ୍ରସ୍ତୁତି ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।
ଏଥି ସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା”କୁ କାର୍ଯ୍ୟାକାରୀ କରିବା ଦିଗରେ ଉଚ୍ଚଶିକ୍ଷା ପରିଷଦର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏହି ଯୋଜନାରେ ସଂପ୍ରତି ଦୁଇଟି ବ୍ୟାଚ୍ ର ୭୭ ଜଣ ଯୁବ ଅଧ୍ୟାପକ ଓ ୩୦ ଜଣ ରିସର୍ଚ୍ଚ ଫେଲୋ କାର୍ଯ୍ୟ କରୁଛନ୍ତି ।
ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଗବେଷଣା ନିମନ୍ତେ ଦୁଇ ବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ ଫଣ୍ଡ ପ୍ରଦାନ ଓ ଏନଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପିଏଚଡି ନିମନ୍ତେ ମାସିକ ୧୫ ହଜାର ଟଙ୍କା ୪ ବର୍ଷ ନିମନ୍ତେ ପ୍ରଦାନ କରାଯାଉଛି ବୋଲି ଡଃ ସାହୁ କହିଥିଲେ ।
ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଯେପରି ନାକ୍ ମାନ୍ୟତା ଓ ଏନ.ଆଇ.ଆର.ଏଫ ର୍ୟାଙ୍କ ସହଜରେ ପାଇପାରିବେ ସେ ଦିଗରେ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଗଠନମୂଳକ ପଦକ୍ଷେପ ନିଆଯାଉଛି । ଏଥିସହିତ କାଉନ୍ସିଲ୍ ଦ୍ୱାରା ଏକାଡେମିିକ ଅଡିଟ୍, ଦୀର୍ଘକାଳୀନ ସୂତ୍ରରେ ଶିକ୍ଷାନୁଷ୍ଠାନର ଉନ୍ନତି କରିବା ଦିଗରେ ଯୋଜନା ପ୍ରସ୍ତୁତ ଓ ପ୍ରଣୟନ ଆଦି ବିଷୟରେ ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏଥିସହିତ ସମୟର ଆବଶ୍ୟକତା ଅନୁଯାୟୀ ୟୁଜି ଓ ପିଜି ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନାରେ ନିରନ୍ତର ସଂସ୍କାରର ଆବଶ୍ୟକତା ରହିଛି ଓ ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଡଃ ସାହୁ କହିଥିଲେ ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଲେ ପରିବର୍ତିତ ପାଠ୍ୟକ୍ରମ ଅନୁଯାୟୀ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଲେ ଉଚ୍ଚଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପରିଷଦକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରାଯାଇଛି । ପ୍ରାରମ୍ଭରେ ପରିଷଦର ସଦସ୍ୟ ସଚିବ ଶ୍ରୀ ସିଦ୍ଧାର୍ଥ ଧଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଚଳିତ ପାଠ୍ୟସୂଚୀରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟକୁ ସାମିଲ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ନିଷ୍ପତି ଅନୁଯାୟୀ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱାରା ସ୍ନାତକ ସ୍ତରରେ “ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା” ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାକୁ ଆଜି ଆନୁଷ୍ଠାନିକ ଭାବେ ସ୍ନାତକ ସ୍ତରରେ ପ୍ରଚଳନ କରାଯାଇଛି ।
ଏହି ପରିବର୍ତିତ ସିଲାବସ୍ଟି ଏକ ବାଧ୍ୟତା ମୂଳକ ପାଠ୍ୟକ୍ରମ ଯାହାକି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଯୁକ୍ତ ୩ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟାରରେ ପଢାଯିବ । ଏହି ପାଠ୍ୟକ୍ରମ ବାଧ୍ୟତାମୂଳକ ବିଷୟ ଭାବେ ପ୍ରଚଳନ କରିବା ଦ୍ୱାରା ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ର ଅଧିକ ମଜ୍ବୁତ୍ ହେବ ଏବଂ ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବାରେ ଓ ଦକ୍ଷତାର ସହିତ ମୁକାବିଲା କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ବୈଠକରେ ପରିଷଦର ସମସ୍ତ ସଭ୍ୟ ଏବଂ କୁଳପତିମାନେ ଯୋଗଦାନ କରିଥିଲେ ।