ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନୂତନ କମିଶନରଙ୍କୁ ସ୍ୱାଗତ ଜଣାଇଥିଲେ ।
ଦାୟିତ୍ୱ ଗ୍ରହଣ କରିବା ପରେ ଡ. ମେହେର୍ଦ୍ଦା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ କୋଭିଡ୍ ପ୍ରୋଟୋକଲ ମଧ୍ୟରେ ବିଭାଗର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଆକ୍ସନ୍ ପ୍ଳାନ୍ ସଂପର୍କରେ ପ୍ରାରମ୍ଭିକ ଆଲୋଚନା କରିଥିଲେ । ବିଶେଷ କରି ପୋଷଣ କାର୍ଯ୍ୟକ୍ରମ, ମମତା ଯୋଜନା, ସମନ୍ୱିତ ଶିଶୁବିକାଶ ଯୋଜନା, ଅଙ୍ଗନବାଡ଼ି ସେବା ଆଦିର କାର୍ଯ୍ୟକାରିତା ସଂପର୍କରେ ଅବଗତ ହୋଇଥିଲେ ।
କୋଭିଡ୍ କଠିନ ପରିସ୍ଥିତିରେ ମଧ୍ୟ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦନ କରିଥିବାରୁ ସଚିବ ବିଭାଗୀୟ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ । ମହିଳା ଓ ଶିଶୁବିକାଶ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ମହିଳା ଓ ଶିଶୁମାନଙ୍କ ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁବିଧ ଯୋଜନାକୁ ଏହି ବିଭାଗର ଅଧିକାରୀମାନେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇଥାନ୍ତି ।
ନିଜ ଶକ୍ତି ଓ ସାମର୍ଥ୍ୟର ପୂର୍ଣ୍ଣ ଉପଯୋଗ କରି ବିଭାଗ ମାଧ୍ୟମରେ ରାଜ୍ୟର ମହିଳା ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ସଚିବ ଡ. ମେହେର୍ଦ୍ଦା ପରାମର୍ଶ ଦେଇଥିଲେ ।
ଆଜିର ଏହି ବୈଠକରେ ବିଭାଗର ନିର୍ଦ୍ଦେଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କନ୍ସଲଟାଣ୍ଟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ଡ. ମେହେର୍ଦ୍ଦା ମହାମାନ୍ୟ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।